୧ ଥେସଲନୀକୀୟ 2
2
ଥେସଲନୀକୀରେ ପାଉଲଙ୍କ ସେବାକାର୍ଯ୍ୟ
1ହେ ଭାଇମାନେ, ତୁମ୍ଭେମାନେ ତ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇ ନାହିଁ;
2ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ଵରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ଵରଙ୍କ ଦ୍ଵାରା ସାହସପ୍ରାପ୍ତ ହୋଇଥିଲୁ।
3କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତା-ମୂଳକ ଅବା ଛଳଯୁକ୍ତ ନୁହେଁ,
4କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ଵରଙ୍କ କର୍ତ୍ତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁ; ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ ନାହୁଁ, ବରଂ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ଵର , ତାହାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ।
5ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ସମୟରେ ଚାଟୁବାଦ ବ୍ୟବହାର କରି ନାହୁଁ ଅବା ଲୋଭକୁ ଗୁପ୍ତ କରିବା ନିମନ୍ତେ ଛଳନା କରି ନାହୁଁ, ଈଶ୍ଵର ଏଥିର ସାକ୍ଷୀ।
6ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ଵରୂପେ ଆମ୍ଭେମାନେ ସମ୍ଭ୍ରମ ଦାବୀ କରି ପାରିଥାଆନ୍ତୁ, ତଥାପି ତୁମ୍ଭମାନଙ୍କଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ, କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ।
7କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ,
8ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ଥିବାରୁ ଆମ୍ଭେମାନେ ସେହି ପ୍ରକାରେ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ଆପଣା ପ୍ରାଣ ମଧ୍ୟ ଦେବାକୁ ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କର ପ୍ରିୟପାତ୍ର ହୋଇଥିଲ।
9ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ଵରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ଵରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ।
10ବିଶ୍ଵାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି ଈଶ୍ଵର ମଧ୍ୟ ସାକ୍ଷୀ।
11ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ, ସେହିପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକା; ଅନୁରୋଧ କରିଥିଲୁ,
12ଯେପରି ତୁମ୍ଭମାନଙ୍କ ଆହ୍ଵାନକାରୀ ଯେଉଁ ଈଶ୍ଵର, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ନିମନ୍ତେ ତୁମ୍ଭେମାନେ ତାହାଙ୍କର ଯୋଗ୍ୟ ଆଚରଣ କର।
13ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ଵାରା ପ୍ରଚାରିତ ଈଶ୍ଵରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ତାହା ମନୁଷ୍ୟର ବାକ୍ୟ ସ୍ଵରୂପେ ଗ୍ରହଣ ନ କରି ବରଂ ଈଶ୍ଵରଙ୍କ ବାକ୍ୟ ସ୍ଵରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ଵରଙ୍କ ବାକ୍ୟ ଅଟେ, ପୁଣି ବିଶ୍ଵାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି।
14କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ତଳୀସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁୀମାନଙ୍କ ଦ୍ଵାରା ଯେଉଁସବୁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ଵଜାତୀୟମାନଙ୍କ ଦ୍ଵାରା ସେହିସବୁ ଦୁଃଖଭୋଗ କରିଅଛ।
15ସେହି ଯିହୁଦୀମାନେ ପ୍ରଭୁ ଯୀଶୁଙ୍କୁ, ପୁଣି ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡ଼ନା କଲେ; ସେମାନେ ଈଶ୍ଵରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,
16କାରଣ ବିଜାତିମାନଙ୍କର ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ଆମ୍ଭମାନଙ୍କୁ ବାଧା ଦିଅନ୍ତି; ଏହି ପ୍ରକାରେ ସେମାନେ ସର୍ବଦା ଆପଣା ଆପଣାର ପାପ ପରିପୂର୍ଣ୍ଣ କରୁଥାଆନ୍ତି; କିନ୍ତୁ ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।
ପୁନଃ ଯାତ୍ରା ପାଇଁ ପାଉଲଙ୍କ ଆଗ୍ରହ
17କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟ; ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ।
18ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା।
19କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ବା ଆନନ୍ଦ ବା ଦର୍ପର ମୁକୁଟ କଅଣ ଅଟେ? କି ତୁମ୍ଭେମାନେ ନୁହଁ?
20ତୁମ୍ଭେମାନେ ତ ଆମ୍ଭମାନଙ୍କର ଗୌରବ ଓ ଆନନ୍ଦର କାରଣ ଅଟ।
Currently Selected:
୧ ଥେସଲନୀକୀୟ 2: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.