ରୋମୀୟ 8
8
ପବିତ୍ରଆତ୍ମାଙ୍କ ଅଧିକୄତ ଜୀବନ
1ଅତଏବ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନଙ୍କ ପାଇଁ ଏବେ କୌଣସି ଦଣ୍ଡାଜ୍ଞା ନାହିଁ, 2କାରଣ ଜୀବନଦାୟକ ଆତ୍ମାଙ୍କ ନିୟମ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ମୋତେ ପାପ ଓ ମୃତ୍ୟୁର ନିୟମରୁ ମୁକ୍ତ କରିଛି। 3ପାପପ୍ରକୃତି ସକାଶେ ଦୁର୍ବଳ ହେବାରୁ ବିଧିବ୍ୟବସ୍ଥା ଯାହା ସାଧନ କରିବାକୁ ଶକ୍ତିହୀନ ହେଲା, ଈଶ୍ୱର ଆପଣା ପୁତ୍ରଙ୍କୁ ପାପୀ ମନୁଷ୍ୟର ସାଦୃଶ୍ୟରେ ପାପାର୍ଥକ ବଳି ସ୍ଵରୂପେ ପଠାଇ ତାହା ସାଧନ କଲେ। ଏବଂ ଏହିରୂପେ ସେ ପାପୀ ମନୁଷ୍ୟଠାରେ ପାପକୁ ଦଣ୍ଡିତ କଲେ, 4ଏହା ଦ୍ଵାରା ଆମେ ଯେଉଁମାନେ ପାପ-ପ୍ରକୃତି ଅନୁସାରେ ଜୀବନ ନ କାଟି ଆତ୍ମାଙ୍କ ଅନୁସାରେ ଜୀବନ କାଟୁଛୁ, ଆମଠାରେ ବିଧିବ୍ୟବସ୍ଥାର ନ୍ୟାୟସଙ୍ଗତ ଦାବୀଗୁଡ଼ିକ ପୂରଣ ହୋଇପାରିବ।
5ଯେଉଁମାନେ ନିଜର ପାପପ୍ରକୃତି ଅନୁସାରେ ଜୀବନ କାଟନ୍ତି; ସେମାନେ ସେହି ପ୍ରକୃତିର ଅଭିଳାଷଗୁଡ଼ିକ ପ୍ରତି ମନୋନିବେଶ କରନ୍ତି କିନ୍ତୁ ଯେଉଁମାନେ ଆତ୍ମାଙ୍କ ଅନୁସାରେ ଜୀବନ କାଟନ୍ତି ସେମାନେ ଆତ୍ମାଙ୍କ ଅଭୀପ୍ରାୟ ପ୍ରତି ମନୋନିବେଶ କରନ୍ତି। 6ପାପପ୍ରକୃତି ପ୍ରତି ମନୋନିବେଶ କରିବା ମୃତ୍ୟୁଜନକ, କିନ୍ତୁ ଆତ୍ମାଙ୍କ ପ୍ରତି ମନୋନିବେଶ କରିବା ଜୀବନ ଓ ଶାନ୍ତିଦାୟକ। 7କାରଣ ପାପାସକ୍ତ ମନ ଈଶ୍ୱର ବିରୋଧୀ; ତାହା ଈଶ୍ୱରଙ୍କ ବିଧିବ୍ୟବସ୍ଥାର ବଶବର୍ତ୍ତୀ ନୁହେଁ, କିମ୍ବା ବଶବର୍ତ୍ତୀ ହୋଇପାରେ ନାହିଁ। 8ଯେଉଁମାନେ ପାପପ୍ରକୃତିର ବଶବର୍ତ୍ତୀ ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରନ୍ତି ନାହିଁ।
9କିନ୍ତୁ, ଈଶ୍ୱରଙ୍କ ଆତ୍ମା ଯଦି ତୁମ ମଧ୍ୟରେ ବାସ କରନ୍ତି ତେବେ ତୁମେ ପାପପ୍ରକୃତିର ବଶୀଭୂତ ନୁହଁ, ମାତ୍ର ଆତ୍ମାଙ୍କ ବଶୀଭୂତ ଅଟ। ପୁଣି, ଖ୍ରୀଷ୍ଟଙ୍କର ଆତ୍ମା ଯାହାଠାରେ ନାହିଁ, ସେ ଖ୍ରୀଷ୍ଟଙ୍କର ନୁହେଁ। 10କିନ୍ତୁ ଖ୍ରୀଷ୍ଟ ଯଦି ତୁମ ଅନ୍ତରରେ ଅଛନ୍ତି, ତେବେ ପାପ ହେତୁ ତୁମର ଶରୀର ମୃତ ହେଲେ ହେଁ, ଧାର୍ମିକତା ହେତୁ ତୁମର ଆତ୍ମା ସଜୀବ ଅଟେ। 11ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କ ଅନ୍ତରରେ ଅଛନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟଙ୍କୁ ଉଠାଇଲେ ସେ ତୁମ୍ଭମାନଙ୍କ ଅନ୍ତରରେ ଥିବା ତାହାଙ୍କ ଆତ୍ମାଙ୍କ ଦ୍ଵାରା ତୁମ ମରଶରୀରରେ ମଧ୍ୟ ଜୀବନ ଦାନ କରିବେ।
12ତେଣୁ, ହେ ଭାଇମାନେ, ଆମେ ଋଣୀ ସତ, କିନ୍ତୁ ପାପପ୍ରକୃତି ଅନୁସାରେ ଜୀବନ କାଟିବାକୁ ଶରୀର ନିକଟରେ ଋଣୀ ନୋହୁଁ। 13କାରଣ ତୁମେ ଯଦି ନିଜର ପାପପ୍ରକୃତି ଅନୁସାରେ ଜୀବନଯାପନ କର, ତେବେ ମରିବ; କିନ୍ତୁ ଯଦି ଆତ୍ମାଙ୍କ ଦ୍ଵାରା ଶରୀରର କୁକର୍ମଗୁଡ଼ିକୁ ବିନାଶ କର, ତେବେ ବଞ୍ଚିବ।
14କାରଣ ଯେଉଁମାନେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ଚାଳିତ ସେମାନେ ଈଶ୍ୱରଙ୍କ ସନ୍ତାନ। 15ଯେହେତୁ ତୁମ୍ଭେମାନେ ପୁନର୍ବାର ଭୟର ବନ୍ଧନରେ ରହିବାକୁ, କ୍ରୀତଦାସର ଆତ୍ମା ପାଇ ନାହଁ; ମାତ୍ର, ପୁତ୍ରତ୍ଵର ଆତ୍ମା ପାଇଛ। ଏବଂ ତଦ୍ଦ୍ୱାରା ଆମେ, “ଆବ୍ବା, ପିତା” ବୋଲି ସମ୍ବୋଧନ କରିଥାଉ। 16ସ୍ଵୟଂ ସେହି ଆତ୍ମା ଆମ ଆତ୍ମା ସହିତ ସାକ୍ଷ୍ୟ ଦିଅନ୍ତି ଯେ ଆମେ ଈଶ୍ୱରଙ୍କ ସନ୍ତାନ। 17ଯଦି ଆମେ ସନ୍ତାନ, ତେବେ ଉତ୍ତରାଧିକାରୀ ମଧ୍ୟ, ଅର୍ଥାତ୍ ଆମେ ଈଶ୍ୱରଙ୍କର ଉତ୍ତରାଧିକାରୀ ଏବଂ ଖ୍ରୀଷ୍ଟଙ୍କର ସହ ଉତ୍ତରାଧିକାରୀ, ଅବଶ୍ୟ ତାହାଙ୍କ ଗୌରବରେ ଭାଗୀ ହେବାକୁ ହେଲେ ଆମକୁ ତାହାଙ୍କ ଦୁଃଖଭୋଗରେ ମଧ୍ୟ ଭାଗୀ ହେବାକୁ ହେବ।
ଭବିଷ୍ୟତ୍ ଗୌରବମୟ
18ମୁଁ ମନେ କରେ ଯେଉଁ ଗୌରବ ଆମଠାରେ ପ୍ରକାଶିତ ହେବ ତା ତୁଳନାରେ ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ। 19ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶନ ପାଇଁ ସମଗ୍ର ସୃଷ୍ଟି ଆଗ୍ରହ ସହକାରେ ଅପେକ୍ଷା କରି ରହିଛି। 20କାରଣ ସୃଷ୍ଟିକୁ ଅସାରତାରେ ବଶୀଭୂତ କରାଗଲା, କିନ୍ତୁ ତାହାର ନିଜ ଇଚ୍ଛାରୁ ଯେ ହେଲା ତା ନୁହେଁ, ମାତ୍ର ଯେ ତାହାକୁ ବଶୀଭୂତ କଲେ ତାହାଙ୍କ ଇଚ୍ଛାନୁସାରେ ହେଲା, 21କିନ୍ତୁ ଏହି ଆଶାରେ ଯେ ସୃଷ୍ଟି ତାହାର କ୍ଷୟଶୀଳତା ବନ୍ଧନରୁ ମୁକ୍ତ ହୋଇ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ସ୍ୱାଧୀନତାରେ ଭାଗୀ ହେବ।
22ଆମେ ଜାଣୁ ଯେ, ସମଗ୍ର ସୃଷ୍ଟି ବର୍ତ୍ତମାନ କାଳ ପର୍ଯ୍ୟନ୍ତ ପ୍ରସବବେଦନା ପରି ଆର୍ତ୍ତନାଦ କରି ଆସୁଛି। 23କେବଳ ସୃଷ୍ଟି ନୁହେଁ, ଆମେ, ଯେଉଁମାନେ ପ୍ରଥମ ଫଳ ସ୍ଵରୂପେ ଆତ୍ମାଙ୍କୁ ପାଇଛୁ, ଆମେ ନିଜେ ମଧ୍ୟ ଶରୀରର ମୁକ୍ତି ପୂର୍ବକ ପୁତ୍ରତ୍ଵର ଅଧିକାର ପ୍ରାପ୍ତି ନିମନ୍ତେ, ଆଗ୍ରହରେ ଅପେକ୍ଷା କରୁ କରୁ ଅନ୍ତରରେ ଆର୍ତ୍ତନାଦ କରୁଛୁ। 24ଯେହେତୁ ଏହି ଆଶାରେ ତ ଆମେ ପରିତ୍ରାଣ ପାଇଛୁ। ମାତ୍ର ଦୃଶ୍ୟମାନ ବିଷୟକୁ ଆଶା କରିବା ପ୍ରକୃତରେ ଆଶା ନୁହେଁ। ଯାହା ମିଳି ସାରିଛି ତା ପାଇଁ କିଏ ଆଶା କରେ? 25କିନ୍ତୁ ଯାହା ଏପର୍ଯ୍ୟନ୍ତ ଆମେ ପାଇ ନାହୁଁ ତା ପାଇଁ ଯଦି ଆଶା ରଖୁ, ତେବେ ଆମେ ଧୈର୍ଯ୍ୟ ସହକାରେ ଅପେକ୍ଷା କରିଥାଉ।
26ସେହିପ୍ରକାରେ, ଆତ୍ମା ଆମର ଦୁର୍ବଳତାରେ ଆମକୁ ସାହାଯ୍ୟ କରନ୍ତି। କିପରି ଭାବରେ ପ୍ରାର୍ଥନା କରିବା ଉଚିତ ତାହା ଆମେ ଜାଣୁ ନାହୁଁ, କିନ୍ତୁ ଆତ୍ମା ନିଜେ ଆମ ତରଫରୁ ଆର୍ତ୍ତସ୍ଵରରେ ନିବେଦନ କରନ୍ତି ଯାହା ଭାଷାରେ ବ୍ୟକ୍ତ କରାଯାଇ ପାରେ ନାହିଁ। 27ପୁଣି ଯେ ଆମର ହୃଦୟ ଅନୁସନ୍ଧାନ କରନ୍ତି ସେ ଆତ୍ମାଙ୍କ ମନୋଭାବ ଜାଣନ୍ତି, କାରଣ ଆତ୍ମା ସାଧୁମାନଙ୍କ ତରଫରୁ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ନିବେଦନ କରନ୍ତି।
28ଆମେ ଜାଣୁ ଯେ ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଛନ୍ତି ଈଶ୍ୱର ସବୁ ବିଷୟରେ ସେମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ ସାଧନ କରନ୍ତି। 29କାରଣ ଈଶ୍ୱର ଯେଉଁମାନଙ୍କୁ ଆଦ୍ୟରୁ ଜାଣିଥିଲେ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ସାଦୃଶ୍ୟରେ ଅନୁରୁପି ହେବାକୁ ପୂର୍ବରୁ ନିରୂପଣ ମଧ୍ୟ କଲେ, ଯେପରିକି ସେ ଅନେକଙ୍କ ଭ୍ରାତା ମଧ୍ୟରେ ଅଗ୍ରଜ ହେବେ। 30ପୁଣି ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କଲେ, ସେମାନଙ୍କୁ ଆହ୍ଵାନ ମଧ୍ୟ କଲେ; ଯେଉଁମାନଙ୍କୁ ଆହ୍ଵାନ କଲେ, ସେମାନଙ୍କୁ ଧାର୍ମିକ ବୋଲି ଗଣ୍ୟ ମଧ୍ୟ କଲେ; ଯେଉଁମାନଙ୍କୁ ଧାର୍ମିକ ଗଣ୍ୟ କଲେ, ସେମାନଙ୍କୁ ଗୌରବାନ୍ୱିତ ମଧ୍ୟ କଲେ।
31ତେବେ, ଏହିସମସ୍ତ ନିମନ୍ତେ, ଆମେ କଅଣ କହିପାରୁ? ଈଶ୍ୱର ଯଦି ଆମର ସପକ୍ଷ, ତେବେ କିଏ ଆମର ବିପକ୍ଷ ହୋଇପାରେ? 32ଯେ ନିଜର ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ ସମସ୍ତଙ୍କ ପାଇଁ ସମର୍ପି ଦେଲେ, ସେ କଅଣ ତାହାଙ୍କ ସହିତ ସବୁ ବିଷୟ, ଅନୁଗ୍ରହ କରି ଆମକୁ ଦେବେ ନାହିଁ? 33ଯେଉଁମାନଙ୍କୁ ଈଶ୍ୱର ମନୋନୀତ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ ଆଣିବ? ଈଶ୍ୱର ତ ନିଜେ ସେମାନଙ୍କୁ ଧାର୍ମିକ ଗଣ୍ୟ କରନ୍ତି। 34ଦଣ୍ଡାଜ୍ଞା ଦେବ କିଏ? ଖ୍ରୀଷ୍ଟ ଯୀଶୁ ସେ ତ ମୃତ୍ୟୁଭୋଗ କଲେ, ଆହୁରି ମଧ୍ୟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେଲେ ଏବଂ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ବିଦ୍ୟମାନ ଥାଇ ଆମ ନିମନ୍ତେ ନିବେଦନ ମଧ୍ୟ କରୁଅଛନ୍ତି। 35କିଏ ଆମକୁ ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି କଷ୍ଟ, କି ନିର୍ଯ୍ୟାତନା, କି ଦୁର୍ଭିକ୍ଷ କି ଉଲଙ୍ଗତା କି ବିପଦ, କି ଖଡ୍ଗ ବିଚ୍ଛିନ୍ନ କରିବ? 36କାରଣ ଏହିପରି ଲେଖାଅଛି:
“ତୁମ୍ଭ ସକାଶେ ଆମେ ସାରାଦିନ ମୃତ୍ୟୁର ସମ୍ମୁଖୀନ ହେଉଅଛୁ;
ଆମେ ବଧ ହେବା ମେଷ ପରି ଗଣ୍ୟ ହେଉଅଛୁ।”
37ନା, ଯେ ଆମକୁ ପ୍ରେମ କଲେ ଆମେ ତାହାଙ୍କ ଦ୍ଵାରା ଏସମସ୍ତ ବିଷୟ ଉପରେ ସଂପୂର୍ଣ୍ଣ ରୂପେ ବିଜୟୀ ହୋଇଛୁ। 38କାରଣ ମୁଁ ଦୃଢ଼ ନିଶ୍ଚିତ ଯେ ମୃତ୍ୟୁ କି ଜୀବନ, ସ୍ଵର୍ଗଦୂତଗଣ କି ପ୍ରେତାତ୍ମାଗଣ, ବର୍ତ୍ତମାନ କି ଭବିଷ୍ୟତ୍, କିମ୍ବା କୌଣସି ଶକ୍ତି, 39ଉଚ୍ଚସ୍ଥ ବିଷୟ କି ଗଭୀରସ୍ଥ ବିଷୟ, କିମ୍ବା ସମଗ୍ର ସୃଷ୍ଟିରେ ଏପରି କୌଣସି ବିଷୟ ନାହିଁ, ଯାହା ଆମର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଆମକୁ ବିଚ୍ଛିନ୍ନ କରିପାରିବ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.