Skip to content
Bible App logo

ରୋମୀୟ 11

11
ଇସ୍ରାଏଲର ଏକ ଅବଶିଷ୍ଟାଂଶ
1ତେବେ ମୁଁ ପ୍ରଶ୍ନ କରେ: ଈଶ୍ୱର କଅଣ ତାହାଙ୍କର ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି? କଦାପି ନୁହେଁ! ମୁଁ ନିଜେ ଜଣେ ଇସ୍ରାଏଲୀୟ, ଅବ୍ରହାମଙ୍କର ବଂଶଧର, ଏବଂ ବେଞ୍ଜାମୀନ ଗୋଷ୍ଠୀରେ ଜାତ। 2ଈଶ୍ୱର ଯେଉଁମାନଙ୍କୁ ଆଦ୍ୟରୁ ଜାଣିଥିଲେ, ତାହାଙ୍କର ସେହି ଲୋକମାନଙ୍କୁ ସେ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଏଲିୟଙ୍କ ସମ୍ବନ୍ଧରେ ଧର୍ମଶାସ୍ତ୍ର ଯାହା କହେ ତାହା କଅଣ ତୁମେ ଜାଣ ନାହିଁ, ଇସ୍ରାଏଲ ବିରୁଦ୍ଧରେ ସେ କିପରି ଈଶ୍ୱରଙ୍କ ନିକଟରେ ବିନତି କରି କହିଥିଲେ: 3“ହେ ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ହତ୍ୟା କରିଛନ୍ତି ଏବଂ ତୁମ୍ଭର ଯଜ୍ଞବେଦିଗୁଡ଼ିକୁ ଭାଙ୍ଗି ପକାଇଛନ୍ତି; କେବଳ ମୁଁ ଜଣେମାତ୍ର ଅବଶିଷ୍ଟ ଅଛି, ଓ ସେମାନେ ମୋର ପ୍ରାଣ ନେବାକୁ ଚେଷ୍ଟା କରୁଛନ୍ତି”? 4ଈଶ୍ୱର ତାଙ୍କୁ କି ଉତ୍ତର ଦେଇଥିଲେ? “ମୁଁ ନିଜ ନିମନ୍ତେ ସାତ ସହସ୍ର ଲୋକଙ୍କୁ ସଂରକ୍ଷିତ କରିଛି ଯେଉଁମାନେ ବାଲ୍ ଦେବତା ସମ୍ମୁଖରେ ଜାନୁପାତ କରିନାହାନ୍ତି।” 5ସେହିପରି, ଏହି ବର୍ତ୍ତମାନ କାଳରେ ମଧ୍ୟ ଅନୁଗ୍ରହ ଦ୍ଵାରା ମନୋନୀତ ହୋଇଥିବା ଏକ ଅବଶିଷ୍ଟାଂଶ ରହିଛନ୍ତି। 6ପୁଣି ଏହା ଯଦି ଅନୁଗ୍ରହ ଦ୍ଵାରା ସାଧିତ, ତେବେ ତ ଏହା ଆଉ କ୍ରିୟାକର୍ମ ଦ୍ଵାରା ନୁହେଁ; ଯଦି ତାହା ହୁଅନ୍ତା, ତେବେ ତ ତାକୁ ଆଉ ଅନୁଗ୍ରହ ବୋଲି କୁହାଯିବ ନାହିଁ।
7ତେବେ କଅଣ କୁହାଯିବ? ଏତେ ଆନ୍ତରିକଭାବେ ଇସ୍ରାଏଲ ଯାହା ଖୋଜୁଥିଲା ତାହା ସେ ପାଇଲା ନାହିଁ। କିନ୍ତୁ ମନୋନୀତ ଲୋକେ ତାହା ପାଇଲେ, ଅନ୍ୟମାନଙ୍କର ହୃଦୟ କଠିନ କରାଗଲା। 8କାରଣ ଏହିପରି ଲେଖାଅଛି:
“ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତ୍ଵର ଆତ୍ମା ଦେଇଛନ୍ତି,
ପୁଣି ଏପରି ଚକ୍ଷୁ ଦେଇଛନ୍ତି ଯଦ୍ଦ୍ୱାରା ସେମାନେ ଦେଖିପାରିବେ ନାହିଁ
ଏବଂ ଏପରି କର୍ଣ୍ଣ ଦେଇଛନ୍ତି,
ଯଦ୍ଦ୍ୱାରା ସେମାନେ ଶୁଣି ପାରିବେ ନାହିଁ।”
9ଆହୁରି ମଧ୍ୟ ଦାଉଦ କହନ୍ତି:
“ସେମାନଙ୍କର ମେଜ ଏକ ଫାନ୍ଦ ଓ ଫାଶ ସ୍ଵରୂପ ହେଉ,
ତାହା ସେମାନଙ୍କ ପାଇଁ ଏକ ଝୁଣ୍ଟିବାର କାରଣ ଏବଂ ପ୍ରତିଶୋଧ ସ୍ଵରୂପ ହେଉ।
10ସେମାନେ ଯେପରି ଦେଖିପାରିବେ ନାହିଁ ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧକାରମୟ ହେଉ,
ଓ ସେମାନଙ୍କ ଅଣ୍ଟା ଚିରଦିନ ପାଇଁ ନଇଁ ପଡ଼ୁ।”
11ମୁଁ ପୁନର୍ବାର ପ୍ରଶ୍ନ କରେ: ସେମାନେ କଅଣ ଏପରି ଝୁଣ୍ଟିଲେ ଯେ ସେମାନଙ୍କର ଏକାବେଳେ ପତନ ଘଟିଲା? କଦାପି ନୁହେଁ! ବରଞ୍ଚ, ସେମାନଙ୍କର ଆଜ୍ଞାଲଘଂନ ହେତୁ ଅଣଯିହୁଦୀ ଲୋକମାନଙ୍କ ନିକଟକୁ ପରିତ୍ରାଣ ଆସିଲା, ଯେପରିକି ଯିହୁଦୀମାନେ ଈର୍ଷାନ୍ୱିତ ହେବେ। 12କିନ୍ତୁ ସେମାନଙ୍କର ଆଜ୍ଞାଲଘଂନ ଯଦି ଜଗତର ସମୃଦ୍ଧିର କାରଣ ହେଲା, ଏବଂ ସେମାନଙ୍କର ହାନି ଅଣଯିହୁଦୀମାନଙ୍କର ସମୃଦ୍ଧିର କାରଣ ହେଲା, ତେବେ ସେମାନଙ୍କର ପୁନଃସ୍ଥାପନ କେତେ ଅଧିକତର ସମୃଦ୍ଧି ଆଣି ନ ଦେବ!
13ହେ ଅଣଯିହୁଦୀମାନେ ମୁଁ ତୁମ୍ଭମାନଙ୍କୁ କହୁଛି। ଅଣଯିହୁଦୀମାନଙ୍କ ପାଇଁ ପ୍ରେରିତଶିଷ୍ୟ ହୋଇଥିବାରୁ, ମୁଁ ଏହି ଆଶାରେ ମୋର ସେବାକାର୍ଯ୍ୟ ଉପରେ ବିଶେଷ ଗୁରୁତ୍ଵ ଦିଏ ଯେ 14କୌଣସି ପ୍ରକାରେ ମୋର ସ୍ଵଜାତୀୟ ଲୋକଙ୍କ ମନରେ ଈର୍ଷାଭାବ ଜାଗ୍ରତ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରିପାରିବି। 15କାରଣ ସେମାନେ ପ୍ରତ୍ୟାଖ୍ୟାତ ହେବାରୁ ଯଦି ଗୃହୀତ ହେଲେ, ତାହା ମୃତମାନଙ୍କ ମଧ୍ୟରୁ ଜୀବନଲାଭ କରିବା ଛଡ଼ା ଆଉ କଅଣ ହୋଇପାରେ? 16ପ୍ରଥମ ଫଳ ସ୍ଵରୂପେ ଉତ୍ସର୍ଗିତ ମଇଦାର ଗୋଟିଏ ଅଂଶ ଯଦି ପବିତ୍ର, ତେବେ ସମଗ୍ର ମଇଦାପିଣ୍ଡୁଳାଟି ମଧ୍ୟ ପବିତ୍ର; ଯଦି ମୂଳ ପବିତ୍ର, ତେବେ ଶାଖାପ୍ରଶାଖା ମଧ୍ୟ ପବିତ୍ର।
17କିନ୍ତୁ କେତେକ ଶାଖା ଯଦି ଛେଦିତ ହୋଇଅଛି, ଓ ତୁମ୍ଭେମାନେ, ବନ୍ୟ ଅଲିଭ୍ ବୃକ୍ଷର ଶାଖା ହେଲେ ସୁଦ୍ଧା, ସେଗୁଡ଼ିକ ମଧ୍ୟରେ କଲମ୍ କରା ହୋଇଛ ଏବଂ ବର୍ତ୍ତମାନ ଅଲିଭ୍ ବୃକ୍ଷ ମୂଳରୁ ପୁଷ୍ଟିକାରକ ରସରେ ଭାଗୀ ହେଉଛ, 18ତେବେ ସେହି ଶାଖାଗୁଡ଼ିକ ସହ ନିଜକୁ ତୁଳନା କରି ଗର୍ବୋତ୍‌ଫୁଲ୍ଲ ହୁଅ ନାହିଁ। ଯଦି ହୁଅ, ତେବେ ଏହି କଥା ବିବେଚନା କର: ତୁମେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମକୁ ଧରିଛି। 19ତା ହେଲେ ତୁମେ କହିବ, “ମୁଁ ଯେପରି କଲମ୍ କରାଯାଇ ପାରିବି ଏଥିପାଇଁ ତ ଶାଖାଗୁଡ଼ିକ ଛେଦିତ ହେଲା।” 20ତାହା ଠିକ କଥା। କିନ୍ତୁ ସେମାନେ ଅବିଶ୍ୱାସ ହେତୁ ଛେଦିତ ହେଲେ, ଓ ତୁମେ ବିଶ୍ୱାସ ହେତୁ ସ୍ଥାନ ପାଇଲ। ସେଥିପାଇଁ ଗର୍ବ କର ନାହିଁ, କିନ୍ତୁ ଭୟରେ ଆଚରଣ କର। 21ଈଶ୍ୱର ଯଦି ପ୍ରକୃତ ଶାଖାମାନଙ୍କୁ ଛାଡ଼ିଲେ ନାହିଁ, ତେବେ ସେ ତୁମ୍ଭମାନଙ୍କୁ ମଧ୍ୟ ଛାଡ଼ିବେ ନାହିଁ।
22ସେଥିପାଇଁ ଈଶ୍ୱରଙ୍କ ଦୟା ତଥା କଠୋରତା ବିଷୟ ବିବେଚନା କର: ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେମାନେ, ତାହାଙ୍କ ଦୟାର ପରିସର ମଧ୍ୟରେ ରହିଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଦୟା। ପ୍ରକାଶିତ ହେବ ନଚେତ୍, ତୁମ୍ଭେମାନେ ମଧ୍ୟ ଛେଦିତ ହେବ। 23ପୁଣି ସେମାନେ ଯଦି ଅବିଶ୍ୱାସରେ ଲିପ୍ତ ନ ରହନ୍ତି, ତେବେ ସେମାନେ କଲମ କରାଯିବେ, କାରଣ ସେମାନଙ୍କୁ ପୁନର୍ବାର କଲମ କରିବାକୁ ଈଶ୍ୱରଙ୍କ ସାମର୍ଥ୍ୟ ଅଛି। 24ଯାହା ସ୍ଵଭାବତଃ, ବନ୍ୟ ଅଲିଭ ବୃକ୍ଷ ସେଥିରୁ ତୁମ୍ଭେମାନେ ଛେଦିତ ହୋଇ ଯଦି, ଏକ ଉତ୍ତମ ଅଲିଭବୃକ୍ଷରେ କଲମ କରାଗଲ, ଯାହାକି ପ୍ରକୃତିର ନିୟମବିରୁଦ୍ଧ, ତେବେ ଏହି ପ୍ରକୃତ ଶାଖାଗୁଡ଼ିକ, କେତେ ସହଜରେ ନିଜ ଅଲିଭବୃକ୍ଷରେ କଲମ କରା ନ ଯିବେ!
ଇସ୍ରାଏଲର ପରିତ୍ରାଣ
25ଭାଇମାନେ, ତୁମ୍ଭେମାନେ ଯେପରି ବୃଥାଗର୍ବୀ ହେବ ନାହିଁ, ସେଥିପାଇଁ ଏହି ନିଗୂଢ଼ତତ୍ତ୍ୱ ବିଷୟରେ ଅଜ୍ଞ ଥାଅ ବୋଲି ମୁଁ ଚାହେଁ ନାହିଁ: ଅଣଯିହୁଦୀମାନେ ପୂର୍ଣ୍ଣ ସଂଖ୍ୟାରେ ନ ଆସିବା ଯାଏ ଇସ୍ରାଏଲ ଜାତି ଆଂଶିକଭାବେ କଠିନମନା ହୋଇଛି, 26ଅତଏବ ସମଗ୍ର ଇସ୍ରାଏଲ ପରିତ୍ରାଣ ପାଇବ। ଯେହେତୁ ଏହିପରି ଲେଖାଅଛି:
“ସିୟୋନରୁ ଉଦ୍ଧାରକର୍ତ୍ତା ଆସିବେ;
ସେ ଯାକୁବ ବଂଶରୁ ଅଧର୍ମ ଦୂର କରିବେ।
27ଯେତେବେଳେ ମୁଁ ସେମାନଙ୍କର ପାପସବୁ କାଢ଼ି ନେବି,
ସେତେବେଳେ ସେମାନଙ୍କ ସହିତ ଏହା ମୋର ଚୁକ୍ତି ହେବ।”
28ସୁସମାଚାର ଦୃଷ୍ଚିକୋଣରୁ ବିଚାର କଲେ, ତୁମ୍ଭମାନଙ୍କ ଯୋଗୁଁ ସେମାନେ ଶତ୍ରୁ ହୋଇ ପଡ଼ିଛନ୍ତି; କିନ୍ତୁ ଈଶ୍ୱରଙ୍କ ମନୋନୟନ ଦୃଷ୍ଚିକୋଣରୁ ବିଚାର କଲେ, ସେମାନେ ପିତୃପ୍ରଧାନମାନଙ୍କ ଯୋଗୁଁ ପ୍ରିୟପାତ୍ର ଅଟନ୍ତି। 29କାରଣ ଈଶ୍ୱରଙ୍କର ଦାନସମୂହ ଓ ଆହ୍ଵାନ ବିଫଳ ହୁଏ ନାହିଁ। 30ତୁମ୍ଭେମାନେ ଏକଦା ଈଶ୍ୱରଙ୍କର ଅବାଧ୍ୟ ଥିଲେ କିନ୍ତୁ ଏବେ ସେମାନଙ୍କର ଅବାଧ୍ୟତା ଫଳରେ ଦୟା ଲାଭ କରିଛ, 31ସେହିପରି ସେମାନେ ମଧ୍ୟ ଏବେ ଅବାଧ୍ୟ ହୋଇଛନ୍ତି ଯେପରିକି ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ଦୟାର ଫଳ ସ୍ଵରୂପେ ସେମାନେ ମଧ୍ୟ ଦୟା ଲାଭ କରିବେ। 32ଯେହେତୁ ଈଶ୍ୱର ଯେପରି ସମସ୍ତଙ୍କ ପ୍ରତି ଦୟାପ୍ରଦର୍ଶନ କରିପାରିବେ ଏଥିପାଇଁ ସେସବୁ ମନୁଷ୍ୟଙ୍କୁ ଅବାଧ୍ୟତାରେ ସମର୍ପଣ କରିଦେଇଛନ୍ତି।
ଈଶ୍ୱର ବନ୍ଦନା
33ଆହା, ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନରୂପ ଧନ କେଡ଼େ ଗଭୀର!
ତାହାଙ୍କର ବିଚାରସକଳ କିପରି ବୋଧାତୀତ,
ଏବଂ ତାହାଙ୍କର ପଥସକଳ କିପରି ସନ୍ଧାନାତୀତ!
34“କିଏ ପ୍ରଭୁଙ୍କର ମନ ଜାଣିଛି?
ଅବା କିଏ ତାହାଙ୍କର ଉପଦେଷ୍ଟା ହୋଇଛି?”
35“କିଏ ଈଶ୍ୱରଙ୍କୁ କିଛି କେବେ ଦେଇଛି,
ଯେ ଈଶ୍ୱର ତାହାକୁ ପରିଶୋଧ କରିବେ?”
36କାରଣ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ଵାରା ଓ ତାହାଙ୍କ ନିମନ୍ତେ ରହିଛି।
ଯୁଗେ ଯୁଗେ ତାହାଙ୍କର ମହିମା ହେଉ! ଆମେନ୍।