2
ଜ୍ୟୋତିର୍ବିଦ୍ ପଣ୍ଡିତମାନଙ୍କ ଆଗମନ
1ରାଜା ହେରୋଦଙ୍କ ରାଜତ୍ଵକାଳରେ ଯିହୁଦା ପ୍ରଦେଶର ବେଥଲିହିମ ସହରରେ ଯୀଶୁ ଜନ୍ମଗ୍ରହଣ କରିବାପରେ, ପୂର୍ବଦେଶରୁ କେତେକ ଜ୍ୟୋତିର୍ବିଦ୍ ପଣ୍ଡିତ ଯିରୂଶାଲମକୁ ଆସିଲେ ଏବଂ ପଚାରିଲେ, 2“ଯିହୁଦିମାନଙ୍କ ଯେଉଁ ରାଜା ଜନ୍ମଗ୍ରହଣ କରିଛନ୍ତି, ସେ କେଉଁଠାରେ ଅଛନ୍ତି? କାରଣ ଆମେ ପୂର୍ବେ ଦେଶରେ ତାହାଙ୍କର ତାରା ଉଦିତ ହେବାର ଦେଖିଅଛୁ ଏବଂ ତାଙ୍କୁ ପୂଜା କରିବାକୁ ଆସିଅଛୁ।”
3ଏହା ଶୁଣି ରାଜା ହେରୋଦ ଓ ତାଙ୍କ ସହିତ ସମସ୍ତ ଯିରୂଶାଲମବାସୀ ଉଦ୍ବିଗ୍ନ ହେଲେ। 4ହେରୋଦ ଲୋକଙ୍କର ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନଙ୍କୁ ଡକାଇ ମଶୀହଙ୍କର ଜନ୍ମ କେଉଁଠାରେ ହେବ ଏ ବିଷୟରେ ପଚାରିଲେ। 5“ସେମାନେ ଉତ୍ତର ଦେଲେ ଯିହୁଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀ ଏହି ପ୍ରକାରେ ଲେଖିଛନ୍ତି:
6“ ‘ହେ ଯିହୁଦା ପ୍ରଦେଶର ବେଥଲିହିମ,
ତୁ ଯିହୁଦାର ନଗରମାନଙ୍କ ମଧ୍ୟରେ କୌଣସିମତେ ସାମାନ୍ୟ ନୋହୁଁ;
କାରଣ ମୋର ଇସ୍ରାଏଲୀୟ ଲୋକମାନଙ୍କୁ ପ୍ରତିପାଳନ କରିବାକୁ,
ତୋ ମଧ୍ୟରୁ ଜଣେ ଶାସକଙ୍କର ଅଭ୍ୟୁତ୍ଥାନ ହେବ।
କାରଣ ସେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ।’ ”
7ଏହାପରେ ହେରୋଦ ଜ୍ୟୋତିର୍ବିଦ୍ ପଣ୍ଡିତମାନଙ୍କୁ ଗୋପନରେ ଡକାଇଲେ ଏବଂ ସେହି ତାରା ଠିକ କେଉଁ ସମୟରେ ଆବିର୍ଭୂତ ହୋଇଥିଲା ସେ କଥା ସେମାନଙ୍କଠାରୁ ବୁଝିନେଲେ। 8ତତ୍ପରେ ସେ ସେମାନଙ୍କୁ ବେଥ୍ଲିହିମକୁ ପଠାଇ କହିଲେ, “ଯାଅ ଭଲ ରୂପେ ସେହି ଶିଶୁଙ୍କର ସନ୍ଧାନ ନିଅ। ସନ୍ଧାନ ପାଇଲେ, ଫେରିଆସି ମୋତେ ଖବର ଦିଅ, ତାହାହେଲେ ମୁଁ ମଧ୍ୟ ଯାଇ ତାଙ୍କୁ ପୂଜା କରିବି।”
9ରାଜାଙ୍କର କଥା ଶୁଣିବା ପରେ, ସେମାନେ ଯାତ୍ରା କରିବାକୁ ଲାଗିଲେ, ଏବଂ ପୂର୍ବ ଦେଶରେ ସେମାନେ ଦେଖିଥିବା ତାରା ସେମାନଙ୍କ ଆଗେ ଆଗେ ଯାଇ ଶିଶୁ ରହୁଥିବା ସ୍ଥାନରେ ସ୍ଥଗିତ ହେଲା। 10ତାରାକୁ ଦେଖି, ସେମାନଙ୍କ ଆନନ୍ଦର ସୀମା ରହିଲା ନାହିଁ। 11ସେମାନେ ଗୃହରେ ପ୍ରବେଶ କରି ଶିଶୁଙ୍କୁ ମାତା ମରିୟମଙ୍କ ସଙ୍ଗେ ଦେଖିଲେ, ଏବଂ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ତତ୍ପରେ ସେମାନେ ନିଜ ନିଜର ଉପହାର ପେଡ଼ି ଫିଟାଇ ଭେଟି ରୂପେ ତାଙ୍କୁ ସୁନା, ଗୁଗ୍ଗୁଳ ଓ ଗନ୍ଧରସ ଦେଲେ। 12କିନ୍ତୁ ହେରୋଦଙ୍କ ନିକଟକୁ ନ ଯିବା ପାଇଁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ, ସେମାନେ ଅନ୍ୟ ଏକ ପଥରେ ସ୍ଵଦେଶକୁ ଫେରିଗଲେ।
ମିଶର ଦେଶକୁ ପଳାୟନ
13ସେମାନେ ଚାଲିଯିବା ପରେ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋସେଫଙ୍କୁ ଦେଖାଦେଇ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିଶର ଦେଶକୁ ପଳାଅ। ଏବଂ ମୁଁ ତୁମକୁ ନ କହିବା ପର୍ଯ୍ୟନ୍ତ ସେହିଠାରେ ରୁହ, କାରଣ ହେରୋଦ ଶିଶୁଙ୍କୁ ଖୋଜି ହତ୍ୟା କରିବାକୁ ଉଦ୍ୟତ ହୋଇଅଛି।”
14ତେଣୁ ଯୋସେଫ ଉଠି, ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିଶର ଦେଶକୁ ବାହାରିଲେ, 15ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ସେହିଠାରେ ରହିଲେ। ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ: “ମୁଁ ମୋର ପୁତ୍ରଙ୍କୁ ମିଶର ଦେଶରୁ ଆହ୍ଵାନ କଲି।”
16ଜ୍ୟୋତିର୍ବିଦ୍ ପଣ୍ଡିତମାନଙ୍କ ଦ୍ଵାରା ପ୍ରତାରିତ ହୋଇଛନ୍ତି ବୋଲି ବୁଝିପାରି, ହେରୋଦ କ୍ରୋଧାନ୍ଧ ହେଲେ, ହେରୋଦ ସେମାନଙ୍କ ନିକଟରୁ ଯେଉଁ ସମୟ ବୁଝିନେଇଥିଲେ, ତଦନୁସାରେ ସେ ବେଥଲିହିମ ଓ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଦୁଇବର୍ଷ ଓ ତହିଁରୁ କମ ବୟସ୍କ ବାଳକମାନଙ୍କୁ, ହତ୍ୟା କରିବା ପାଇଁ ଆଦେଶ ଦେଲେ। 17ସେତେବେଳେ ଭାବବାଦୀ ଯିରିମିୟଙ୍କ ଦ୍ଵାରା ଉକ୍ତ ଏହି ବାଣୀ ସଫଳ ହେଲା:
18“ରାମାରେ ଆର୍ତ୍ତସ୍ଵର ଶୁଣାଯାଉଛି,
କ୍ରନ୍ଦନ ଓ ମହାବିଳାପର ରୋଳ,
ରାହେଲ ଆପଣା ସନ୍ତାନମାନଙ୍କ ପାଇଁ କାନ୍ଦୁଛନ୍ତି,
ସେ ସାନ୍ତ୍ଵନା ଘେନିବାକୁ ଅନିଛୁକ,
କାରଣ ସେମାନେ ଆଉ ନାହାନ୍ତି।”
ନାଜରିତକୁ ପ୍ରତ୍ୟାବର୍ତ୍ତନ
19ହେରୋଦଙ୍କ ମୃତ୍ୟୁ ଉତ୍ତାରେ, ପ୍ରଭୁଙ୍କର ଜଣେ ଦୂତ ମିଶରରେ ଯୋସେଫଙ୍କୁ ସ୍ଵପ୍ନରେ ଦର୍ଶନ ଦେଲେ, 20ଦୂତ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କର ପ୍ରାଣ ନାଶକରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ହେଲାଣି।”
21ଅତଏବ ସେ ଉଠି ଶିଶୁ ଓ ତାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଫେରିଗଲେ। 22କିନ୍ତୁ ଆର୍ଖିଲାୟ ନିଜ ପିତା ହେରୋଦଙ୍କ ସ୍ଥାନରେ ଯିହୁଦା ଦେଶରେ ରାଜତ୍ଵ କରୁଥିବା ସମ୍ବାଦ ଶୁଣି, ସେ ସେଠାକୁ ଯିବା ପାଇଁ ଭୟ କଲେ। ମାତ୍ର ଏକ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ପ୍ରଦେଶକୁ ଚାଲିଗଲେ, 23ସେ ଯାଇ ନାଜରିତ ନାମକ ଏକ ସହରରେ ବାସ କଲେ। ଭାବବାଦୀମାନଙ୍କ ଦ୍ଵାରା ଉକ୍ତ ବାଣୀ ଏହିରୂପେ ସଫଳ ହେଲା ସେ ନାଜରିତୀୟ ବୋଲି ଖ୍ୟାତ ହେବେ।