1
ଯୀଶୁ ମସୀହଙ୍କ ବଂଶାବଳୀ
1ଅବ୍ରହାମ ଓ ଦାଉଦଙ୍କ ବଂଶଜ ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ:
2ଅବ୍ରହାମ ଇସ୍ହାକ୍ଙ୍କ ପିତା,
ଇସ୍ହାକ୍ ଯାକୁବଙ୍କ ପିତା,
ଯାକୁବ ଯିହୁଦା ଓ ତାଙ୍କ ଭାଇମାନଙ୍କ ପିତା ଥିଲେ।
3ଯିହୁଦା ପେରେଜ ଓ ଜେରହଙ୍କ ପିତା ଥିଲେ, ଏମାନଙ୍କ ମାତାଙ୍କ ନାମ ତାମର,
ପେରେଜ ଜେରହଙ୍କ ପିତା ଓ,
ହେଜ୍ରୋଣ ଅରାମଙ୍କ ପିତା ଥିଲେ,
4ଅରାମ ଅମ୍ମିନାଦାବଙ୍କ ପିତା,
ଅମିନାଦାବ୍ ନହଶୋନ୍ଙ୍କ ପିତା,
ଓ ନହଶୋନ୍ ସାଲ୍ମନଙ୍କ ପିତା ଥିଲେ,
5ସାଲ୍ମନ ବୋୟାଜଙ୍କ ପିତା ଥିଲେ, ବୋୟାଜଙ୍କ ମାତାଙ୍କ ନାମ ରାହାବ,
ବୋୟାଜ ଓବେଦ୍ଙ୍କ ପିତା ଥିଲେ, ଓବେଦ୍ଙ୍କ ମାତାଙ୍କ ନାମ ଋତ,
ଓବେଦ୍ ଯିଶିଙ୍କ ପିତା ଥିଲେ,
6ଯିଶି ରାଜା ଦାଉଦଙ୍କ ପିତା।
ଦାଉଦ ଶଲୋମନଙ୍କ ପିତା ଥିଲେ, ଶଲୋମନଙ୍କ ମାତା ଥିଲେ ଊରିୟାଙ୍କ ସ୍ତ୍ରୀ,
7ଶଲୋମନ ରେହବୋୟାମଙ୍କ ପିତା,
ରେହବିୟାମ୍ ଅବିୟଙ୍କ ପିତା,
ଅବିୟ ଆସାଙ୍କ ପିତା ଥିଲେ,
8ଆସା ଯିହୋଶାଫାଟ୍ଙ୍କ ପିତା,
ଯିହୋଶାଫଟ୍ ଯୋରାମ୍ଙ୍କ ପିତା,
ଯୋରାମ୍ ଉଜିୟଙ୍କ ପିତା ଥିଲେ,
9ଉଜିୟ ଯୋଥାମ୍ଙ୍କ ପିତା,
ଯୋଥାମ୍ ଆହାଜଙ୍କ ପିତା,
ଆହାଜ ହିଜକିୟଙ୍କ ପିତା ଥିଲେ,
10ହିଜକିୟ ମନାସେଙ୍କ ପିତା,
ମନାସେ ଆମୋନଙ୍କ ପିତା,
ଆମୋନ ଯୋଶିୟଙ୍କ ପିତା ଥିଲେ,
11ଯୋଶିୟ ଯିଖନିୟ ଓ ତାଙ୍କ ଭାଇମାନଙ୍କର ପିତା ଥିଲେ, ଏମାନେ ବାବିଲୋନ ନିର୍ବାସନ ସମୟରେ ଜନ୍ମ ହୋଇଥିଲେ।
12ବାବିଲୋନ୍କୁ ନିର୍ବାସିତ ହେବା ପରେ
ଯିଖନିୟ ଶେଲଟିୟେଲ୍ଙ୍କ ପିତା,
ଶେଲଟିୟେଲ୍ ଯେରୁବାବେଲଙ୍କ ପିତା ଥିଲେ,
13ଯେରୁବାବେଲ ଅବିହୁଦଙ୍କ ପିତା,
ଅବିହୁଦ୍ ଇଲିୟାକୀମ୍ଙ୍କ ପିତା,
ଇଲୀୟାକୀମ୍ ଆଜୋରଙ୍କ ପିତା ଥିଲେ,
14ଆଜୋର ଜାଦୋକଙ୍କ ପିତା,
ଜାଦୋକ୍ ଆଖୀମ୍ଙ୍କ ପିତା,
ଆଖୀମ୍ ଇଲିହୁଦ୍ ଙ୍କ ପିତା ଥିଲେ,
15ଇଲିହୁଦ୍ ଇଲିୟାଜର୍ଙ୍କ ପିତା,
ଇଲିୟାଜର୍ ମାତ୍ଥାନଙ୍କ ପିତା,
ମାତ୍ଥାନ ଯାକୁବଙ୍କ ପିତା ଥିଲେ,
16ଯାକୁବ ଯୋସେଫଙ୍କ ପିତା ଥିଲେ, ଯୋସେଫ ମରିୟମଙ୍କ ସ୍ୱାମୀ ଥିଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ଯେ କି ମଶୀହ ନାମରେ ପରିଚିତ।
17ଏହିରୂପେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଦାଉଦଙ୍କ ଠାରୁ ବାବିଲୋନ୍କୁ ନିର୍ବାସନରେ ଯିବା ପର୍ଯ୍ୟନ୍ତ ଚଉଦ ପୁରୁଷ, ନିର୍ବାର୍ସନ ସମୟରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ
18ଏହି ପ୍ରକାରେ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ: ତାହାଙ୍କ ମାତା ମରିୟମଙ୍କର ବିବାହନିର୍ବନ୍ଧ ଯୋସେଫଙ୍କ ସହିତ ହୋଇଥିଲା, କିନ୍ତୁ ସେମାନେ ମିଳିତ ହେବା ପୂର୍ବରୁ ମରିୟମ ଯେ ପବିତ୍ରଆତ୍ମାଙ୍କ ଦ୍ଵାରା ଗର୍ଭବତୀ ହୋଇଅଛନ୍ତି ଏହା ଜଣାଗଲା। 19ତାଙ୍କର ସ୍ୱାମୀ ଯୋସେଫ ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ଏବଂ ମରିୟମଙ୍କୁ ପ୍ରକାଶ୍ୟରେ ଲଜ୍ଜା ଦେବାକୁ ଇଚ୍ଛା କରୁ ନ ଥିବାରୁ ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ମନସ୍ଥ କଲେ।
20କିନ୍ତୁ ସେ ଏହି ବିଷୟ ଚିନ୍ତା କରୁଥିବା ବେଳେ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେ ଦାଉଦବଂଶଜ ଯୋସେଫ, ମରିୟମଙ୍କୁ ଭାର୍ଯ୍ୟା ରୂପେ ଘରକୁ ଆଣିବାକୁ ଭୟ କର ନାହିଁ, କାରଣ ପବିତ୍ରଆତ୍ମାଙ୍କ ଦ୍ଵାରା ସେ ଗର୍ଭବତୀ ହୋଇଅଛନ୍ତି। 21ତାଙ୍କର ଏକ ପୁତ୍ର ଜନ୍ମ ହେବ ଏବଂ ତୁମେ ସେହି ପୁତ୍ରର ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ପାପରୁ ଉଦ୍ଧାର କରିବେ।”
22ପ୍ରଭୁ ଭାବବାଦୀଙ୍କ ଦ୍ଵାରା କହିଥିବା ଏହି ଭବିଷ୍ୟଦ୍ବାଣୀ ଯେପରି ସଫଳ ହେବ ଏଥିପାଇଁ ଏସବୁ ଘଟିଲା: 23“ଜଣେ କୁମାରୀ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ ଓ ଲୋକେ ତାହାଙ୍କୁ ଇମ୍ମାନୁଏଲ୍ ବୋଲି ନାମିତ କରିବେ।” (ଏହାର ଅର୍ଥ “ଆମ ସହିତରେ ଈଶ୍ୱର”)।
24ଯୋସେଫ ନିଦ୍ରାରୁ ଉଠି, ପ୍ରଭୁଙ୍କର ଦୂତଙ୍କ ଆଦେଶାନୁସାରେ କାର୍ଯ୍ୟ କଲେ ଏବଂ ମରିୟମଙ୍କୁ ଆପଣାର ଭାର୍ଯ୍ୟା ରୂପେ ସ୍ଵଗୃହକୁ ଘେନି ଆସିଲେ। 25ମାତ୍ର ପୁତ୍ର ଜନ୍ମ ନ ହେବା ପର୍ଯ୍ୟନ୍ତ ସେ ମରିୟମଙ୍କ ସହବାସ କଲେ ନାହିଁ। ଯୋସେଫ ସେହି ପୁତ୍ରଙ୍କର ନାମ ଯୀଶୁ ଦେଲେ।