ପ୍ରେରିତ 1
1
ଯୀଶୁଙ୍କର ସ୍ଵର୍ଗାରୋହଣ
1ହେ ଥିଓଫିଲସ୍, ଯୀଶୁ ନିଜର ମନୋନୀତ ପ୍ରେରିତ-ଶିଷ୍ୟମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ଵାରା ଆଜ୍ଞା ଦେଇ, 2ସ୍ଵର୍ଗକୁ ନୀତ ହେବା ଦିନ ପର୍ଯ୍ୟନ୍ତ ଯେଉଁ ସମସ୍ତ କାର୍ଯ୍ୟ କରିବାକୁ ଓ ଶିକ୍ଷାଦେବାକୁ ଆରମ୍ଭ କରିଥିଲେ, ସେହିସବୁ ମୁଁ ମୋର ପୂର୍ବ ପୁସ୍ତକରେ ଲିପିବଦ୍ଧ କରିଛି। 3ତାଙ୍କର ଦୁଃଖଭୋଗ ପରେ, ସେମାନଙ୍କ ନିକଟରେ ଦର୍ଶନ ଦେଇ ସେ ଯେ ଜୀବିତ ତାହାର ଅନେକ ଅକାଟ୍ୟ ପ୍ରମାଣ ଦେଲେ। ସେ ସେମାନଙ୍କ ନିକଟରେ ଚାଳିଶ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧରେ କଥାବାର୍ତ୍ତା କଲେ। 4ଏହିପରି ଏକ ଅବସରରେ, ସେମାନଙ୍କ ସହିତ ଭୋଜନ କରୁଥିବା ସମୟରେ, ସେ ସେମାନଙ୍କୁ ଏହି ଆଜ୍ଞା ଦେଇଥିଲେ: “ଯିରୂଶାଲମ ଛାଡ଼ି ଯାଅ ନାହିଁ, କିନ୍ତୁ ମୋର ପିତାଙ୍କର ପ୍ରତିଶ୍ରୁତ ଦାନ ପାଇଁ ଅପେକ୍ଷା କର, ମୁଁ ଏହି ବିଷୟ କହିବାର ତୁମ୍ଭେମାନେ ଶୁଣିଅଛ। 5କାରଣ ଯୋହନ ଜଳରେ ଡୁବନ ଦେଲେ, ମାତ୍ର ଅଳ୍ପଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଦ୍ଵାରା ଡୁବିତ ହେବ।”
6ତେଣୁ ସେମାନେ ଯେତେବେଳେ ଏକତ୍ରିତ ହେଲେ ତାହାଙ୍କୁ ପଚାରିଲେ, “ପ୍ରଭୁ, ଆପଣ କଅଣ ଏତେବେଳେ ଇସ୍ରାଏଲକୁ ରାଜ୍ୟ ପ୍ରତ୍ୟର୍ପଣ କରିବେ?”
7ସେ ସେମାନଙ୍କୁ କହିଲେ: “ପିତା ନିଜ କର୍ତ୍ତୃତ୍ଵରେ ଯେଉଁ ସମୟ ବା ଦିବସ ନିର୍ଦ୍ଦାରଣ କରିଛନ୍ତି ତାହା ତୁମର ଜାଣିବା କଥା ନୁହେଁ। 8କିନ୍ତୁ ଯେତେବେଳେ ପବିତ୍ରଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ; ସେତେବେଳେ ତୁମ୍ଭେମାନେ ଶକ୍ତି ଲାଭକରି ଯିରୂଶାଲମରେ, ସମଗ୍ର ଯିହୁଦା ଓ ଶମରିଆରେ, ପୁଣି ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ମୋର ସାକ୍ଷୀ ହେବ।”
9ଏହା କହିବା ପରେ, ସେ ସେମାନଙ୍କର ଆଖି ପାଖରୁ ଊର୍ଦ୍ଧ୍ୱକୁ ନୀତ ହେଲେ, ଏବଂ ଖଣ୍ତେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିର ଅନ୍ତରାଳକୁ ନେଇଗଲା।
10ସେ ଊର୍ଦ୍ଧ୍ୱଗମନ କରୁଥିବା ବେଳେ ସେମାନେ ଆକାଶ ଆଡ଼େ ଉପରକୁ ନେତ୍ରରେ ଚାହିଁ ରହିଥିଲେ, ସେତିକିବେଳେ ହଠାତ୍ ଶୁକ୍ଳବସ୍ତ୍ର ପରିହିତ ଦୁଇଜଣ ପୁରୁଷ ସେମାନଙ୍କ ନିକଟରେ ଠିଆ ହେଲେ। 11ସେମାନେ କହିଲେ, “ହେ ଗାଲିଲୀୟ ଲୋକେ, ତୁମ୍ଭେମାନେ ଆକାଶକୁ ଚାହିଁ ରହି ଏଠାରେ କାହିଁକି ଠିଆ ହୋଇଛ? ଏହି ଯୀଶୁ, ଯେ ତୁମ୍ଭମାନଙ୍କ ନିକଟରୁ ସ୍ଵର୍ଗକୁ ନୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ଵର୍ଗକୁ ଯିବାର ଦେଖିଲ, ସେହିପ୍ରକାରେ ସେ ପୁନରାଗମନ କରିବେ।”
ଯିହୁଦା ସ୍ଥାନରେ ମଥିୟ ମନୋନୀତ
12ତତ୍ପରେ ପ୍ରେରିତମାନେ ଜୀତ ପର୍ବତ ନାମକ ପାହାଡ଼ରୁ ଯିରୂଶାଲମକୁ ଫେରିଗଲେ, ଏହା ଯିରୂଶାଲମର ନଗରରୁ ଏକ ଶାବତବାରର#1:12 କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି ଚଲାବାଟ ଦୂରରେ ଅବସ୍ଥିତ। 13ସେମାନେ ପହଞ୍ଚିଲା ପରେ, ଯେଉଁ ଉପର କୋଠରିରେ ବାସ କରୁଥିଲେ ସେଠାକୁ ଗଲେ। ଯେଉଁମାନେ ସେଠାରେ ଥିଲେ ସେମାନେ ହେଉଛନ୍ତି:
ପିତର, ଯୋହନ, ଯାକୁବ ଓ ଆନ୍ଦ୍ରିୟ;
ଫିଲିପ ଓ ଥୋମା;
ବାର୍ଥଲୋମୀ ଓ ମାଥିଉ;
ଆଲଫିୟସ୍ଙ୍କ ପୁତ୍ର ଯାକୁବ, ଓ ସ୍ଵଦେଶପ୍ରେମୀ ଶିମୋନ ଏବଂ ଯାକୁବଙ୍କ ପୁତ୍ର ଯିହୁଦା।
14ଏମାନେ ସମସ୍ତେ ମହିଳାମାନଙ୍କ ସହିତ, ଏବଂ ଯୀଶୁଙ୍କର ମାତା ମରିୟମ ଓ ଭ୍ରାତାମାନଙ୍କ ସହିତ, ସମବେତ ହୋଇ ଏକ ଚିତ୍ତରେ ପ୍ରାର୍ଥନାରେ ନିବିଷ୍ଟ ରହୁଥିଲେ।
15ସେହି ସମୟରେ ଦିନେ ପିତର ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଠିଆ ହେଲେ (ପ୍ରାୟ ଶହେ କୋଡିଏ ଜଣ ସେହି ଦଳରେ ଥିଲେ) 16ସେ କହିଲେ, “ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଗିରଫ କରିଥିବା ଲୋକମାନଙ୍କର ପଥପ୍ରଦର୍ଶକ ହୋଇଥିଲା, ତା ବିଷୟରେ ପବିତ୍ରଆତ୍ମା ବହୁ ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ ସେହି ଧର୍ମଶାସ୍ତ୍ରବାକ୍ୟ ସଫଳ ହେବା ଆବଶ୍ୟକ ଥିଲା। 17ଯିହୁଦା ଆମ ମଧ୍ୟରେ ଜଣେ ବୋଲି ଗଣ୍ୟ ହୋଇଥିଲା ଓ ଏହି ସେବାକାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲା।”
18(ଯିହୁଦା ନିଜର ଦୁଷ୍କର୍ମ ଦ୍ଵାରା ପୁରସ୍କାର ସ୍ଵରୂପେ ଯେଉଁ ମୂଲ୍ୟ ପାଇଥିଲା, ଏବଂ ତାହା ଦ୍ଵାରା ଯେଉଁ କ୍ଷେତ ଖଣ୍ଡକ କିଣିଥିଲା; ସେଠାରେ ସେ ମୁହଁମାଡ଼ି ପଡ଼ିବାରୁ, ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା। 19ଯିରୂଶାଲମରେ ସମସ୍ତେ ଏହି ବିଷୟ ଶୁଣିଲେ, ତେଣୁ ସେମାନେ ସେହି କ୍ଷେତକୁ ସେମାନଙ୍କ ଭାଷାରେ ହକେଲ୍ଦାମା, ଅର୍ଥାତ୍, ରକ୍ତକ୍ଷେତ୍ର ନାମ ଦେଲେ।)
20ପିତର କହିଲେ, “କାରଣ, ଗୀତସଂହିତା ପୁସ୍ତକରେ ଏହିପରି ଲେଖାଅଛି:
“ ‘ତାହାର ବସତି ଜନଶୂନ୍ୟ ହେଉ;
ଓ ସେଠାରେ ବାସ କରିବାକୁ କେହି ନ ରହୁ,’
ଏବଂ,
“ ‘ଅନ୍ୟ ଜଣେ ତା ସ୍ଥାନରେ ନିଯୁକ୍ତ ହେଉ।’
21ଅତଏବ ଯୋହନ ଡୁବନ ଦେବା ସମୟରୁ ଆରମ୍ଭ କରି ଯୀଶୁ ଆମ ମଧ୍ୟରୁ ଊର୍ଦ୍ଧ୍ୱକୁ ନୀତ ହେବା ସମୟ ପର୍ଯ୍ୟନ୍ତ ଯେତେ କାଳ ପ୍ରଭୁ ଯୀଶୁ ଆମ ମଧ୍ୟରେ ରହି ବସାଉଠା କରୁଥିଲେ, 22ଯୋହନଙ୍କ ସେହି ସମୟରୁ ଯେଉଁ ଲୋକମାନେ ଆମ ସହିତ ରହିଛନ୍ତି ସେମାନଙ୍କ ମଧ୍ୟରୁ ଜଣକୁ ମନୋନୀତ କରିବା ଆବଶ୍ୟକ। କାରଣ ଏମାନଙ୍କ ମଧ୍ୟରୁ ଜଣେ ଆମ ସହିତ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଉଚିତ।”
23ତେଣୁ ସେମାନେ ଦୁଇଜଣଙ୍କ ନାମ ପ୍ରସ୍ତାବ କଲେ: ଯୋସେଫ ଯାହାଙ୍କୁ ବର୍ଶବାସ ଡାକନ୍ତି (ଯେ ଯୁଷ୍ଟୁସ୍ ନାମରେ ମଧ୍ୟ ପରିଚିତ) ଏବଂ ମଥିୟ। 24ତତ୍ପରେ ସେମାନେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକଙ୍କ ହୃଦୟ ଜାଣ। ଏହି ଦୁଇଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଛ ତାହା ଆମକୁ ଦର୍ଶାଅ 25ତା ହେଲେ ସେ ଯିହୁଦାର ସେବାକାର୍ଯ୍ୟ ଓ ପ୍ରେରିତଶିଷ୍ୟ ପଦ ଗ୍ରହଣ କରିବ, ଯେଉଁଥିରୁ ଯିହୁଦା ସ୍ଖଳିତ ହୋଇ ନିଜ ସ୍ଥାନକୁ ଯାଇଅଛି।” 26ଏହାପରେ ସେମାନେ ଗୁଳା ପକାଇଲେ, ଓ ମଥିୟଙ୍କ ନାମରେ ଗୁଳା ଉଠିଲା; ତେଣୁ ସେ ଏକାଦଶଙ୍କ ସହିତ ପ୍ରେରିତଶିଷ୍ୟ ରୂପେ ଗଣ୍ୟ ହେଲେ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.