2ଥେସଲନୀକୀୟ 2
2
ଅଧାର୍ମିକ ବ୍ୟକ୍ତିର ଆବିର୍ଭାବ
1ହେ ଭାଇମାନେ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମର ଏକତ୍ରିତ ହେବାବିଷୟରେ, ଆମେ ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛୁ ଯେ, 2ପ୍ରଭୁଙ୍କର ଦିନ ଆସିଗଲାଣି ବୋଲି ଆମଠାରୁ କୌଣସି ଭବିଷ୍ୟଦ୍ବାଣୀ କିମ୍ବା ସମ୍ବାଦ କିମ୍ବା ପତ୍ର ମିଳିଥିବା କଥା କହି କେହି ତୁମ୍ଭମାନଙ୍କୁ ବିଚଳିତ ବା ଆତଙ୍କିତ ନ କରୁ। 3କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ବିଭ୍ରାନ୍ତ ନ କରୁ, କାରଣ ଯେପର୍ଯ୍ୟନ୍ତ ଧର୍ମଦ୍ରୋହ ନ ଘଟିଛି ଓ ଅଧାର୍ମିକ ବ୍ୟକ୍ତି ପ୍ରକାଶିତ ନ ହୋଇଛି, ସେପର୍ଯ୍ୟନ୍ତ ସେହିଦିନ ଆସିବ ନାହିଁ ଏହି ପାପ ପୁରୁଷ ବିନାଶ ପାଇଁ ନିରୂପିତ ଅଟେ। 4ଯାହାକିଛି ଈଶ୍ୱର ନାମରେ ବିଦିତ ବା ପୂଜିତ, ସେହିସବୁର ସେ ବିରୋଧ କରିବ ଓ ସେହିସବୁ ଅପେକ୍ଷା ନିଜକୁ ଉନ୍ନତ କରିବ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ନିଜକୁ ଅଧିଷ୍ଠିତ କରି ନିଜକୁ ଈଶ୍ୱର ବୋଲାଇବ।
5ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିଲାବେଳେ ଏହିସମସ୍ତ ବିଷୟ କହିଥିଲି ବୋଲି ତୁମ୍ଭମାନଙ୍କର କଅଣ ମନେ ନାହିଁ? 6ସେ ଯଥା ସମୟରେ ପ୍ରକାଶିତ ହେବା ପାଇଁ ଏବେ ତାକୁ କଅଣ ବାଧା ଦେଉଅଛି, ତାହା ତୁମ୍ଭେମାନେ ଜାଣ। 7କାରଣ ପାପ ଅଧର୍ମର ପ୍ରଚ୍ଛନ୍ନ ଶକ୍ତି ଏବେ ମଧ୍ୟ କାର୍ଯ୍ୟ କରୁଅଛି; କିନ୍ତୁ ତାହାର ପ୍ରତିରୋଧକାରୀ ତାହାର ପଥରୁ ଅପସରି ନ ଯିବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ। 8ତା ପରେ ସେହି ପାପ-ପୁରୁଷ ପ୍ରକାଶିତ ହେବ, ଏହାକୁ ପ୍ରଭୁ ଯୀଶୁ ନିଜ ମୁଖର ନିଶ୍ୱାସ ଦ୍ଵାରା ଉଖାଡ଼ିଦେବେ ଏବଂ ତାହାଙ୍କର ଆଗମନର ତେଜରେ ବିନାଶ କରିବେ। 9ଶୟତାନର କାର୍ଯ୍ୟକଳାପ ଅନୁସାରେ ପାପ ପୁରୁଷର ଆବିର୍ଭାବ ହେବ। ଏହିସବୁ କାର୍ଯ୍ୟକଳାପ ନାନାଦି ଛଳନାପୂର୍ଣ୍ଣ ଅଲୌକିକ ଓ ଆଶ୍ଚର୍ଯ୍ୟ କର୍ମ ଚିହ୍ନ, 10ଏବଂ ବିନାଶ ପାଉଥିବା ଲୋକଙ୍କୁ ପ୍ରତାରଣା କରୁଥିବା ସବୁପ୍ରକାର ଅଧର୍ମରେ ପ୍ରକାଶ ପାଇବ। ସେହି ଲୋକମାନେ ବିନାଶ ପାଇବାର କାରଣ ଏହି ଯେ ପରିତ୍ରାଣ ଲାଭ ନିମନ୍ତେ ସତ୍ୟାନୁରାଗୀ ହେବାକୁ ସେମାନେ ଅସମ୍ମତ ହୋଇଅଛନ୍ତି। 11ସେମାନେ ଯେପରି ଏକ ଅସତ୍ୟ କୁ ବିଶ୍ୱାସ କରିବେ ଏଥିପାଇଁ ଈଶ୍ୱର ସେମାନଙ୍କ ନିକଟକୁ ଏକ ଘୋର ଭ୍ରାନ୍ତି ପ୍ରେରଣ କରନ୍ତି 12ତା ହେଲେ ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ଆନନ୍ଦ ଲାଭ କରିଅଛନ୍ତି ସେସମସ୍ତେ ଦଣ୍ଡିତ ହେବେ।
ସତ୍ୟରେ ଅଟଳ ରୁହ
13ହେ ପ୍ରଭୁଙ୍କ ପ୍ରିୟ ଭାଇମାନେ, ତୁମ୍ଭମାନଙ୍କ ପାଇଁ ସର୍ବଦା ଈଶ୍ୱରଙ୍କର ଧନ୍ୟବାଦ କରିବା ଆମର କର୍ତ୍ତବ୍ୟ, କାରଣ ପବିତ୍ରଆତ୍ମାଙ୍କ ପବିତ୍ରୀକରଣ ଦ୍ଵାରା ଏବଂ ସତ୍ୟରେ ବିଶ୍ୱାସ କରିବା ଦ୍ଵାରା ଈଶ୍ୱର ଆଦ୍ୟରୁ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି। 14ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବରେ ଭାଗୀ ହେବାକୁ ସେ ଆମର ସୁସମାଚାର ମାଧ୍ୟମରେ, ତୁମ୍ଭମାନଙ୍କୁ ଏଥିପାଇଁ ଆହ୍ଵାନ କରିଅଛନ୍ତି।
15ଅତଏବ, ହେ ଭାଇମାନେ, ଆମେ କଥାରେ କି ପତ୍ରରେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷାଦାନ କରିଅଛୁ, ତହିଁରେ ଅଟଳ ରହିଥାଅ।
16ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ତଥା ଆମର ପିତା ଈଶ୍ୱର, ଯେ କି ଆମ୍ଭମାନଙ୍କୁ ପ୍ରେମ କଲେ ଓ ତାହାଙ୍କ ଅନୁଗ୍ରହରେ ଆମକୁ ଅଶେଷ ଉତ୍ସାହ ଓ ଉତ୍ତମ ଭରସା ଦେଲେ, 17ସେସମସ୍ତ ଉତ୍ତମ କାର୍ଯ୍ୟ ଓ କଥାରେ ତୁମ ହୃଦୟରେ ଉତ୍ସାହ ଦେଇ ତୁମ୍ଭମାନଙ୍କୁ ଅଟଳ ରଖନ୍ତୁ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.