YouVersion Logo
Search Icon

ଦାନିୟେଲ 9

9
ଦାନିୟେଲଙ୍କ ପ୍ରାର୍ଥନା
1ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଏହିସବୁ ଘଟଣାମାନ ଘଟିଲା। ଦାରିୟାବସ୍ ମାଦୀୟ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ୱେରସର ଥିଲେ। ସେ କ‌‌ଲ୍‌‌‌‌ଦୀୟର ରାଜା ପଦରେ ଉପଯୋଗୀ ହେଲେ। 2ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା।
3ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦେଲି। 4ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି,
“ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।
5“ମାତ୍ର, ହେ ସଦାପ୍ରଭୁ, ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। 6ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରି ନାହୁଁ। ସେମାନେ ଆମ୍ଭର ରାଜାମାନଙ୍କୁ, ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇସ୍ରାଏଲକୁ ତୁମ୍ଭର ନାମରେ କହିଥିଲେ।
7“ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର।
8“ହେ ସଦାପ୍ରଭୁ, ଆମ୍ଭେମାନେ ଲଜ୍ଜିତ ହେବା ଉଚିତ୍, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହେବା ଉଚିତ୍। କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
9“ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତରେ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ। 10ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ୟ‌ଦ୍‌ବକ୍ତାଗଣ ମାଧ୍ୟମରେ ଯେଉଁ ବ୍ୟବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭେମାନେ ପାଳନ କରି ନାହୁଁ। 11ଆଉ ସମଗ୍ର ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ସେମାନେ ତୁମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ।
12“ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସେମାନଙ୍କ ବିରୁଦ୍ଧରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ଯିରୁଶାଲମ ପରି ଦୁଃଖ ଭୋଗ କରି ନାହିଁ। 13ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ। 14ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭେମାନେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭେମାନେ ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନାହୁଁ।
15“ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ୱାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ୟ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛ। ହେ ପ୍ରଭୁ, ଆମ୍ଭେମାନେ ପାପ କରିଅଛୁ ଓ ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। 16ହେ ସଦାପ୍ରଭୁ, ବିନୟ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁଯାୟୀ ତୁମ୍ଭର ନଗର ଯିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କ୍ରୋଧ ନ୍ୟାୟୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭେମାନେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।
17“ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକାରେ ଦେଖ। ତୁମ୍ଭର ନିଜର ଖ୍ୟାତି ପାଇଁ ଏହା କର। 18ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ। ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମରେ ଖ୍ୟାତି ଏହି ନଗର ଅବସ୍ଥା ଦେଖ। ଆମ୍ଭେମାନେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବେଦନ କରୁଅଛୁ। 19ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ, କ୍ଷମା କର, ହେ ପରମେଶ୍ୱର, ଅବଧାନ ପୂର୍ବକ କର୍ମ କର। ବିଳମ୍ବ କର ନାହିଁ, ହେ ମୋର ପରମେଶ୍ୱର ନିଜର ନାମ ସକାଶେ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।”
ସତୁରି ସପ୍ତାହ ବିଷୟରେ ଦର୍ଶନ
20ମୁଁ ସେହିସବୁ କଥା ପରମେଶ୍ୱରଙ୍କୁ ପ୍ରାର୍ଥନାରେ ନିବେଦନ କରୁଥିଲି। ମୋର ପାପ ଓ ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି। ଆଉ ମୋର ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ମୋର ପରମେଶ୍ୱର ସଦାପଭୁଙ୍କ ଛାମୁରେ ମୋର ନିବେଦନ ଉତ୍ସର୍ଗ କରୁଥିଲି। 21ଯେତେବେଳେ ମୁଁ ପ୍ରାର୍ଥନା କରୁଥିଲି, ମୋର ପ୍ରଥମ ଦର୍ଶନରେ ଗାବ୍ରିଏଲ ଯାହାକୁ ମୁଁ ମୋ’ ନିକଟକୁ ଉଡ଼ିକି ଆସିବାର ଦେଖିଲି। ସେ ସନ୍ଧ୍ୟାବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମୋତେ ସ୍ପର୍ଶ କଲେ। 22ଗାବ୍ରିଏଲ ମୋତେ ଶିକ୍ଷା ଦେଇ କହିଲେ, “ହେ ଦାନିୟେଲ, ମୁଁ ତୁମ୍ଭକୁ ବୁଝିବା ପାଇଁ ଜ୍ଞାନ ପ୍ରଦାନ କରୁଅଛି। 23ଯେତେବେଳେ ତୁମ୍ଭେ ପ୍ରାର୍ଥନା କରିବାକୁ ଆରମ୍ଭ କଲ, ମୁଁ ତୁମ୍ଭକୁ ଜଣାଇବାକୁ ଆସିଲି। କାରଣ ତୁମ୍ଭେ ପରମେଶ୍ୱରଙ୍କର ଅତ୍ୟନ୍ତ ପ୍ରିୟପାତ୍ର। ଏହି ଆଦେଶକୁ ବୁଝ ଓ ଏହି ଦର୍ଶନକୁ ମଧ୍ୟ ବୁଝ।
24“ହେ ଦାନିୟେଲ, ପରମେଶ୍ୱର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହେବାର ଲକ୍ଷ୍ୟ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହେବା। ଏହାର ଲକ୍ଷ୍ୟ ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାୟୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡ଼ିକ ଓ ଭବିଷ୍ୟ‌ଦ୍‌ବାଣୀ ଓ ପବିତ୍ର ସ୍ଥାନରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ୟ କରେ।
25“ଏହା ଜାଣ ଏବଂ ଏହା ବୁଝ, ଆଦେଶ ହେବାଠାରୁ ଫେରାଇବାକୁ ଏବଂ ଯିରୁଶାଲମ ନିର୍ମିତ କର, ଯେପର୍ଯ୍ୟନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହରେ, ସହର ପୂର୍ଣ୍ଣ ନିର୍ମିତ ହେବ। କିନ୍ତୁ ଏହାର ମୁଖ୍ୟ ରାସ୍ତା ଓ କାନ୍ଥ, ଅସୁବିଧା ସମୟରେ ହେବ। 26ପୁଣି ବାଷଠି ସପ୍ତାହ ପରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ର ସ୍ଥାନ ନଷ୍ଟ କରିବେ। ବନ୍ୟାରେ ତାହା ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ଯୁଦ୍ଧ ହେବ। ଆଉ ପରମେଶ୍ୱର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।
27“ତା'ପରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ଯ୍ୟନ୍ତ ଅନେକ ଲୋକଙ୍କ ସହିତ ଦୃଢ଼ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣ୍ୟବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ୱର ସେହି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in