YouVersion Logo
Search Icon

ଲୂକ 6:27-49

ଲୂକ 6:27-49 IRVORY

କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ବସ୍ତ୍ର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ମନା କର ନାହିଁ। ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ। ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କର। ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି। ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି। ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି। ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧ ନେବାର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ବରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି। ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ।” “ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ; ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଯିବ। ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କଅଣ ଅନ୍ଧକୁ ବାଟ କଢ଼ାଇପାରେ? ସେମାନେ କଅଣ ଉଭୟେ ଗାତରେ ପଡ଼ିବେ ନାହିଁ? ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ। ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ? ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇ କି କହିପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦେବି? କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ।” “କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ। କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ୱାରା ଚିହ୍ନାଯାଏ; କଣ୍ଟାଗଛରୁ ତ ଲୋକମାନେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କଣ୍ଟାଗଛରୁ ଦ୍ରାକ୍ଷାଫଳ ତୋଳନ୍ତି ନାହିଁ। ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ଆଉ, ତୁମ୍ଭେମାନେ କାହିଁକି ମୋତେ ପ୍ରଭୁ, ପ୍ରଭୁ ବୋଲି କହୁଅଛ, ମାତ୍ର ମୋହର ବାକ୍ୟ ପାଳନ କରୁ ନାହଁ? ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହିସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି। ସେ ଏପରି ଜଣେ ଘର ନିର୍ମାଣକାରୀ ଲୋକ ପରି, ଯେ ଗଭୀର ଗାତ ଖୋଳି ମୂଳଦୁଆ ପଥର ଉପରେ ବସାଇଲେ; ଆଉ, ବଢ଼ି ହୁଅନ୍ତେ ସୁଅ ସେହି ଘରକୁ ପ୍ରବଳ ଭାବରେ ଧକ୍କା ମାରିଲା, କିନ୍ତୁ ତାହା ହଲାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ରୂପେ ନିର୍ମାଣ କରାଯାଇଥିଲା। କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ପଥର ଉପରେ ନ ବସାଇ ମାଟି ଉପରେ ଘର ନିର୍ମାଣକାରୀ ଲୋକ ପରି; ବନ୍ୟା ଜଳ ସେହି ଘର ଉପରେ ପ୍ରବଳ ଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା।”

Free Reading Plans and Devotionals related to ଲୂକ 6:27-49