ରୋମୀୟ 3
3
1ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ? 2ଅନେକ କିଛି। ପ୍ରଥମେ, ଈଶ୍ୱର ତାଙ୍କ ବାର୍ତ୍ତାର ଦାୟିତ୍ୱ ଇହୁଦୀମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି। 3ଅବଶ୍ୟ କେତେ ଜଣ ଅବିଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ତା’ ବୋଲି କଅଣ ଈଶ୍ୱରଙ୍କ ବିଶ୍ୱସ୍ତତା ନିରର୍ଥକ ହେବ? 4କଦାପି ନୁହେଁ। ମନୁଷ୍ୟମାନେ ସମସ୍ତେ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ୱର ସତ୍ୟ। ଶାସ୍ତ୍ରରେ ଉଲେଖ ଅଛି:
“ତୁମ ବାକ୍ୟ ଦ୍ୱାରା ତୁମେ ସତ୍ୟ ନିଷ୍ଠ ବୋଲି ପ୍ରମାଣିତ ହୁଅ,
ତୁମେ ବିଚାରିତ ହେଲାବେଳେ ତୁମେ ବିଜୟୀ ହୁଅ।”#ଗୀତ. ୫୧:୪।
5ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି? 6କେବେ ନୁହେଁ। ଈଶ୍ୱର ଯଦି ନ୍ୟାୟବାନ ନୁହନ୍ତି, ସେ କିପରି ଜଗତର ନ୍ୟାୟ ବିଚାର କରିବେ?
7କିନ୍ତୁ ଯଦି ମୋର ଅସତ୍ୟତା ଦ୍ୱାରା ଈଶ୍ୱରଙ୍କ ସତ୍ୟପରାୟଣତା ଅଧିକ ସ୍ପଷ୍ଟ ରୂପେ ପ୍ରକାଶିତ ହୁଏ ଓ ସେ ଗୌରବାନ୍ୱିତ ହୁଅନ୍ତି, ମୁଁ ପାପୀ ବୋଲି କାହିଁକି ଦଣ୍ଡନୀୟ ହେବି? 8ଆମ୍ଭେମାନେ କାହିଁକି ନ କହିବା, “ଆସ କୁକର୍ମ କରିବା, ଏଥିରୁ ସୁଫଳ ମିଳିବ?” ମୁଁ ଠିକ୍ ଏଭଳି କଥା କହୁଛି ବୋଲି ଅଭିଯୋଗ କରି କେତେକେ ମୋତେ ଅପମାନିତ କରୁଛନ୍ତି। ସେମାନେ ଏଥିପାଇଁ ଯେଉଁ ଦଣ୍ଡ ପାଇବା କଥା, ନିଶ୍ଚୟ ପାଇବେ।
କେହି ଧାର୍ମିକ ନୁହେଁ
9ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି। 10ଶାସ୍ତ୍ରରେ ଉଲ୍ଲିଖିତ ଅଛି:#ଗୀତ. ୧୪:୧-୩; ୫୩:୧-୩।
“ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ,
11ଜଣେ ହେଲେ ଜ୍ଞାନୀ ବା ଈଶ୍ୱରଙ୍କ ପ୍ରକୃତ ଉପାସକ ନାହିଁ।
12ସେମାନେ ସମସ୍ତେ ଈଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି;
ସମସ୍ତେ ଭ୍ରଷ୍ଟ ହୋଇଛନତି। କେହି ଜଣେ ହେଲେ ସତ୍କାର୍ଯ୍ୟ କରୁ ନାହିଁ।
13ସେମାନଙ୍କ ବାକ୍ୟରେ ମରାତ୍ମକ ଛଳନା,#ଗୀତ. ୫:୯; ୧୪୦:୩।
ମୁଖରୁ ମିଥ୍ୟାର ସ୍ରୋତ ପ୍ରବାହିତ, ଓଷ୍ଠାଧର ତଳେ କାଳସର୍ପର ବିଷ।
14ସେମାନଙ୍କ କଥା ତିକ୍ତତା ଓ ଅଭିଶାପରେ ପୂର୍ଣ୍ଣ।#ଗୀତ. ୧୦:୭।
15ସେମାନେ ଆଘାତ ଓ ହତ୍ୟା କରିବାକୁ ତତ୍ପର;#ଯିଶାଇୟ ୫୯:୭-୮।
16ସେମାନେ ଯେଉଁଆଡ଼େ ଯାଆନ୍ତି, ସେଠାରେ ବିନାଶ ଓ କ୍ଳେଶ ସୃଷ୍ଟି ହୁଏ।
17ଶାନ୍ତିର ମାର୍ଗ ସେମାନେ ଜାଣନ୍ତି ନାହିଁ,
18କିଅବା ଈଶ୍ୱରଙ୍କୁ ଭୟ କରିବା ସେମାନେ ଶିଖି ନାହାନ୍ତି।#ଗୀତ. ୩୬:୧।
19ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ। 20କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।#ଗୀତ. ୧୪୩:୨; ଗାଲାତୀ ୨:୧୬।
ଧାର୍ମିକ ବିବେଚିତ ହେବାର ଉପାୟ
21ଈଶ୍ୱର ନିଜ ସହିତ ମନୁଷ୍ୟର ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା ବାହାରେ ଯାହା କରିଛନ୍ତି, ତାହା ଏବେ ପ୍ରକାଶ ପାଇଛି। ଏ ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି। 22କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।#ଗାଲାତୀ ୨:୧୬। 23ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି। 24କିନ୍ତୁ ଈଶ୍ୱର ଖ୍ରୀଷ୍ଟଯୀଶୁଙ୍କ ଦ୍ୱାରା ବିନା ମୂଲ୍ୟରେ ଯେଉଁ ଅନୁଗହ ଦାନ ଦେଇଛନ୍ତି, ତାହା ଯେଉଁମାନେ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ପରିତ୍ରାଣ ଦିଅନ୍ତି ଓ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। 25ଈଶ୍ୱର ଯୀଶୁଙ୍କୁ ଦାନ କଲେ, ଯେପରି ତାଙ୍କ ମୃତ୍ୟୁ, ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ପାପ କ୍ଷମାର ଉପାୟ ହେବ। ଈଶ୍ୱର ସହିଷ୍ଣୁ ହୋଇ ଲୋକମାନଙ୍କ ପୂର୍ବକୃତ ପାପ ଧରି ନାହାନ୍ତି। 26କିନ୍ତୁ ବର୍ତ୍ତମାନ ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ପାପ କ୍ଷମାର ବ୍ୟବସ୍ଥା କରିଛନ୍ତି। ଏଥିଦ୍ୱାରା ଈଶ୍ୱର ଦର୍ଶାଇ ଦେଇଛନ୍ତି ଯେ, ସେ ନିଜେ ଧାର୍ମିକ ଓ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।
27ତାହାହେଲେ କେଉଁ ବିଷୟରେ ଆମ୍ଭେମାନେ ଗର୍ବ କରିବା? ନା, ସେପରି ବିଷୟ କିଛି ନାହିଁ। ଗର୍ବ କରିବା ପାଇଁ ଆମ୍ଭମାନଙ୍କର କି କାରଣ ଥାଇପାରେ? କଅଣ ବ୍ୟବସ୍ଥା ପୁରାପୁରି ପାଳନ କରିଛୁ ବୋଲି? ନା, କେବଳ ବିଶ୍ୱାସ ହିଁ ଆମ ଗର୍ବର କାରଣ। 28ଆମେ ପ୍ରକୃତରେ ବୁଝିପାରିଛୁ ଯେ, ଜଣେ କେବଳ ତା’ର ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବ- ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ। 29ଈଶ୍ୱର କଅଣ କେବଳ ଇହୁଦୀମାନଙ୍କର ଈଶ୍ୱର? ସେ କଅଣ ଅଣଇହୁଦୀମାନଙ୍କର ମଧ୍ୟ ଈଶ୍ୱର ନୁହନ୍ତି? ନିଶ୍ଚୟ ସେ ସମସ୍ତଙ୍କର ଈଶ୍ୱର। 30ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।#ଦ୍ୱି. ବିବରଣୀ ୬:୪; ଗାଲାତୀ ୩:୨୦। 31ଏହାର ଅର୍ଥ କଅଣ, ଆମେ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ଲୋପ କରିବାକୁ ଯାଉଛୁ? କଦାପି ନୁହେଁ। ବିଶ୍ୱାସ ଦ୍ୱାରା ଆମେ ବ୍ୟବସ୍ଥାର ଭିତ୍ତିମୂଳ ଦୃଢ଼ କରୁଛୁ।
Currently Selected:
ରୋମୀୟ 3: ODCLBSI
Highlight
Share
Copy

Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.