ରୋମୀୟ 13
13
ଶାସକମାନଙ୍କ ପ୍ରତି କର୍ତ୍ତବ୍ୟ
1ଶାସକମାନଙ୍କର ବାଧ୍ୟ ହେବା ପ୍ରତ୍ୟେକର କର୍ତ୍ତବ୍ୟ, କାରଣ ଈଶ୍ୱରଙ୍କ ଅନୁମତି ବିନା କେହି ଶାସନ କ୍ଷମତା ପାଏ ନାହିଁ। କ୍ଷମତାରେ ଥିବା ଶାସକମାନେ ଈଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ। 2ତେଣୁ ଯେ କ୍ଷମତାସୀନ ଶାସକମାନଙ୍କୁ ବିରୋଧ କରେ, ସେ ଈଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନର ବିରୁଦ୍ଧାଚରଣ କରେ। ଯେ ଏହା କରେ, ସେ ବିଚାରର ସମ୍ମୁଖୀନ ହେବ। 3ଯେଉଁମାନେ ସତ୍କର୍ମ କରନ୍ତି, ସେମାନଙ୍କର ଶାସକମାନଙ୍କୁ ଭୟ କରିବା ପାଇଁ କୌଣସି କାରଣ ନାହିଁ- ଭୟ କରିବା କଥା ଦୁଷ୍କର୍ମକାରୀମାନଙ୍କର। ଶାସକ ପ୍ରତି ନିର୍ଭୟ ହେବା ତୁମର ଇଚ୍ଛା କି? ତାହାହେଲେ ସତ୍କାର୍ଯ୍ୟ କର, ସେ ତୁମର ପ୍ରଶଂସା କରିବେ। 4ତୁମ କଲ୍ୟାଣ କରିବା ପାଇଁ ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। କିନ୍ତୁ ତୁମେ ଯଦି ଦୁଷ୍କର୍ମ କରୁଥାଅ, ତେବେ ଶାସକକୁ ଭୟ କର, କାରଣ ତୁମକୁ ଦଣ୍ଡ ଦେବା ପାଇଁ ପ୍ରକୃତରେ ତାଙ୍କର କ୍ଷମତା ଅଛି। ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ। ଦୁଷ୍କର୍ମଚାରୀମାନଙ୍କୁ ଶାସ୍ତି ଦେବା ପାଇଁ ସେ ଈଶ୍ୱରଙ୍କ ଆଦେଶ ପାଳନ କରନ୍ତି। 5ଏଣୁ ତୁମ୍ଭେମାନେ ଶାସକମାନଙ୍କର ବାଧ୍ୟ ହେବା ଉଚିତ୍- କେବଳ ଈଶ୍ୱରଙ୍କ ଦଣ୍ଡ ଭୟରେ ନୁହେଁ, ମାତ୍ର ନିଜ ବିବେକର ଦଂଶନରୁ ରକ୍ଷା ପାଇବା ପାଇଁ।
6ଏଥିନିମନ୍ତେ ତୁମେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ଶାସକମାନେ କର୍ତ୍ତବ୍ୟ ପାଳନ କରିବା ବେଳେ ଈଶ୍ୱରଙ୍କ ସେବା କରି ଥାଆନ୍ତି।#ମାଥିଉ ୨୨:୨୧; ମାର୍କ ୧୨:୧୭; ଲୂକ ୨୦:୨୫। 7ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।
ଏକାରେକ ପ୍ରତି କର୍ତ୍ତବ୍ୟ
8ପରସ୍ପରକୁ ପ୍ରେମ କରିବା ଛଡ଼ା ଆଉ କୌଣସି ବିଷୟରେ କାହାର ଋଣୀ ହୋଇ ରହ ନାହିଁ। ଯେ ଅନ୍ୟକୁ ପ୍ରେମ କରେ, ସେ ବ୍ୟବସ୍ଥା ପାଳନ କରେ। 9“ବ୍ୟଭିଚାର କର ନାହିଁ, ନର ହତ୍ୟା କର ନାହିଁ, ଚୋରି କର ନାହିଁ, ପର ଦ୍ରବ୍ୟ ଲୋଭ କର ନାହିଁ”, ଇତ୍ୟାଦି ସମସ୍ତ ଆଜ୍ଞା ଗୋଟିଏ ଆଜ୍ଞାରେ ନିହିତ- “ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।”#ଯାତ୍ରା. ୨୦:୧୩-୧୫,୧୭; ଦ୍ୱି. ବିବରଣୀ ୫:୧୭-୧୯,୨୧; ଲେବୀ ୧୯:୧୮। 10ତୁମେ ଜଣକୁ ପ୍ରେମ କରୁଥିଲେ, ତା’ ପ୍ରତି କେବେ ଅନ୍ୟାୟ କରିବ ନାହିଁ। ତେଣୁ ପ୍ରେମ କରିବା ଦ୍ୱାରା ହିଁ ସମସ୍ତ ବ୍ୟବସ୍ଥା ପାଳନ କରାଯାଏ।
11ଏବେ ଏ ସମସ୍ତ ତୁମକୁ ଅବଶ୍ୟ କରିବାକୁ ହେବ, କାରଣ ନିଦ୍ରାରୁ ଜାଗ୍ରତ ହେବା ସମୟ ଉପସ୍ଥିତ। ପରିତ୍ରାଣ ପାଇବାର ସମୟ ପୂର୍ବାପେକ୍ଷା ଏବେ ଅଧିକ ସନ୍ନିକଟ। 12ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା। 13ଉଚ୍ଛୃଙ୍ଖଳ ଆମୋଦ ପ୍ରମୋଦ, ସୁରାପାନରେ ମତ୍ତତା, ନୀତିହୀନତା, ଅଶ୍ଳୀଳ ଆଚରଣ, ଈର୍ଷା, କଳିଗୋଳ ପ୍ରଭୃତିରେ ଲିପ୍ତ ନ ହୋଇ ଆସ, ଆଲୋକରେ କାର୍ଯ୍ୟରତ ଲୋକଙ୍କ ପରି ଭଦ୍ରୋଚିତ ବ୍ୟବହାର କରିବା। 14ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।
Currently Selected:
ରୋମୀୟ 13: ODCLBSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.