ମାର୍କଲିଖିତ ସୁସମାଚାର 1
1
ଜଳଦୀକ୍ଷାଦାତା ଯୋହନ
(ମାଥିଉ ୩:୧-୧୨; ଲୂକ ୩:୧-୧୮; ଯୋହନ ୧:୧୯-୨୮)
1ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଏହିପରି ଆରମ୍ଭ ହେଲା: 2ଭାବବାଦୀ ଯିଶାଇୟଙ୍କ ଉକ୍ତି ଅନୁଯାୟୀ “ଈଶ୍ୱର କହିଲେ, ‘ତୁମ ପାଇଁ ପଥ ପରିଷ୍କାର କରିବାକୁ ମୋର ଦୂତଙ୍କୁ ଆଗରୁ ପଠାଇବି।’#ମଲାଖି ୩:୧।
3“ମରୁ ପ୍ରାନ୍ତରରେ ଜଣେ କେହି ଉଚ୍ଚସ୍ୱରରେ କହୁଛନ୍ତି, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ପଥ ସରଳ କର’।”#ଯିଶାଇୟ ୪୦:୩।
4ସେହି ଅନୁସାରେ ଯୋହନ ମରୁପ୍ରାନ୍ତରକୁ ଆସି ପ୍ରଚାର କଲେ ଏବଂ ଜଳଦୀକ୍ଷା ଦେବାକୁ ଲାଗିଲେ। ସେ ଲୋକମାନଙ୍କୁ କହୁଥିଲେ, “ନିଜ ନିଜର ପାପ ପ୍ରତି ବିମୁଖ ହୁଅ ଏବଂ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମର ପାପ କ୍ଷମା କରିବେ।”
5ଯିହୂଦା ପ୍ରଦେଶ ଓ ଯିରୂଶାଲମ ସହରକୁ ବହୁ ଲୋକ ଯୋହନଙ୍କ ପ୍ରଚାର ଶୁଣିବା ପାଇଁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ ଏବଂ ଯୋହନ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଦେଲେ।
6ଯୋହନ ଓଟ ଲୋମର ପୋଷାକ ପରିଧାନ କରୁଥିଲେ ଏବଂ କଟିଦେଶରେ ଚର୍ମପଟୁକା ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୂ ତାଙ୍କର ଖାଦ୍ୟ ଥିଲା। ସେ ଲୋକମାନଙ୍କ ନିକଟରେ ଘୋଷଣା କରୁଥିଲେ,#୨ ରାଜାବଳୀ ୧:୮।
7“ଯେଉଁବ୍ୟକ୍ତି ମୋ’ ପରେ ଆସିବେ, ସେ ମୋ’ଠାରୁ ମହାନ୍। ଅବନତ ହୋଇ ତାଙ୍କ ପାଦୁକାର ବନ୍ଧନ ଖୋଲିବା ପାଇଁ ମଧ୍ୟ ମୁଁ ଅଯୋଗ୍ୟ। 8ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ସେ ପବିତ୍ର ଆତ୍ମାରେ ଦୀକ୍ଷା ଦେବେ।”
ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ ଓ ପରୀକ୍ଷା ପ୍ରଲୋଭନ
(ମାଥିଉ ୩:୧୩—୪:୧୧; ଲୂକ ୩:୨୧-୨୨; ୪:୧-୧୩)
9ସେହି ସମୟରେ ଯୀଶୁ ଗାଲିଲୀ ପ୍ରଦେଶର ନାଜରିତରୁ ଆସି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଗ୍ରହଣ କଲେ। 10ଯୀଶୁ ଜଳରୁ ଉଠି ଆସିବାକ୍ଷଣି ଦେଖିଲେ, ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ ଏବଂ ପରମାତ୍ମା କପୋତ ରୂପରେ ତାଙ୍କ ଉପରେ ଅବତରଣ କରୁଛନ୍ତି। 11ପୁଣି ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଲା; “ତୁମେ ମୋର ପ୍ରିୟ ପୁତ୍ର। ତୁମ ଉପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”#ଆଦି. ୨୨:୨; ଗୀତ. ୨:୭; ଯିଶାଇୟ ୪୨:୧; ମାଥିଉ ୩:୧୭; ୧୨:୧୮; ମାର୍କ ୯:୭; ଲୂକ ୩:୨୨।
12ସେହିକ୍ଷଣି ପରମାତ୍ମା ତାଙ୍କୁ ନିର୍ଜନ ପ୍ରାନ୍ତରକୁ ନେଇଗଲେ। 13ସେଠାରେ ସେ ଚାଳିଶ ଦିନ ପର୍ଯ୍ୟନ୍ତ ଥିଲେ। ଏହି ସମୟରେ ଶୟତାନ ତାଙ୍କୁ ନାନା ପ୍ରକାର ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ କରାଇଥିଲା। ସେଠାରେ ସେ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ରହିଥିଲେ, କିନ୍ତୁ ସ୍ୱର୍ଗଦୂତମାନେ ଆସି ତାଙ୍କର ଯତ୍ନ ନେଉଥିଲେ।
ମତ୍ସ୍ୟଜୀବୀ ଚାରିଜଣଙ୍କୁ ଯୀଶୁଙ୍କ ଆହ୍ୱାନ
(ମାଥିଉ ୪:୧୨-୨୨; ଲୂକ ୪:୧୪-୧୫; ୫:୧-୧୧)
14ଯୋହନ କାରାରୁଦ୍ଧ ହେବା ପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ। 15ସେ କହିଲେ, “ଉପଯୁକ୍ତ ସମୟ ଆସିଛି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ! ପାପ ପ୍ରତି ବିମୁଖ ହୋଇ ଏହି ଶୁଭବାର୍ତ୍ତାରେ ବିଶ୍ୱାସ କର।”#ମାଥିଉ ୩:୨।
16ଯୀଶୁ ଗାଲିଲୀ ହ୍ରଦ କୂଳ ଦେଇ ଯିବାବେଳେ ଶିମୋନ ଓ ଆନ୍ଦ୍ରିୟ ଦୁଇ ଭାଇଙ୍କୁ ଜାଲ ପକାଇ ମାଛ ଧରୁଥିବାର ଦେଖିଲେ। ସେମାନେ ମତ୍ସ୍ୟଜୀବୀ ଥିଲେ। 17ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ, ମୁଁ ତୁମକୁ ମନୁଷ୍ୟଧାରୀ କରିବି।” 18ସେହିକ୍ଷଣି ସେମାନଙ୍କର ଜାଲ ଛାଡ଼ି ସେମାନେ ତାଙ୍କର ଅନୁଗମନ କଲେ।
19ଯୀଶୁ ଆଉ କିଛି ଦୂର ଆଗକୁ ଯାଇ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନଙ୍କୁ ଦେଖିଲେ। ସେମାନେ ଜାଲ ପକାଇବାକୁ ନିଜ ନୌକାରେ ପ୍ରସ୍ତୁତ ହେଉଥିଲେ। 20ଯୀଶୁ ସେମାନଙ୍କୁ ଦେଖିବା ମାତ୍ରେ ପାଖକୁ ଡ଼ାକିଲେ। ନୌକାରେ ଚାକରମାନଙ୍କ ସହିତ ସେମାନଙ୍କ ପିତା ଜେବଦୀଙ୍କୁ ଛାଡ଼ିଦେଇ ସେମାନେ ଯୀଶୁଙ୍କ ପଛରେ ଚାଲିଲେ।
ଭୂତଗ୍ରସ୍ତର ଆରୋଗ୍ୟ ଲାଭ
(ଲୂକ ୪:୩୧-୩୭)
21ଯୀଶୁ ଓ ତାଙ୍କ ଶିଷ୍ୟମାନେ କପର୍ନାହୂମ ସହରକୁ ଗଲେ ଏବଂ ପରବର୍ତ୍ତୀ ଦିନ ଯୀଶୁ ସମାଜ ଗୃହକୁ ଯାଇ ଶିକ୍ଷା ଦେଲେ। 22ତାଙ୍କ ଶିକ୍ଷା ଶୁଣି ଲୋକେ ଆଚମ୍ବିତ ହେଲେ; କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଜଣେ କ୍ଷମତାପନ୍ନ ବ୍ୟକ୍ତିଙ୍କ ପରି ଶିକ୍ଷା ଦେଉଥିଲେ।#ମାଥିଉ ୭:୨୮-୨୯।
23ସେତେବେଳେ ଜଣେ ଭୂତଗ୍ରସ୍ତ ଲୋକ ସମାଜ ଗୃହରେ ପ୍ରବେଶ କରି ଚିକ୍ରାର କଲା; 24“ହେ ନାଜରିତୀୟ ଯୀଶୁ, ଆମ ସହିତ ତୁମର କି ସମ୍ପର୍କ? ତୁମେ କ’ଣ ଆମକୁ ଧ୍ୱଂସ କରିବାକୁ ଏଠାକୁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କଠାରୁ ଆଗତ ସେହି ପବିତ୍ର ବ୍ୟକ୍ତି।”
25ଯୀଶୁ ତାକୁ ଧମକ ଦେଇ କହିଲେ: “ଚୁପ୍ କର୍! ଏହି ଲୋକ ଭିତରୁ ବାହାରି ଯା।”
26ସେହି ଭୂତ, ଲୋକଟିକୁ ଖୁବ୍ ଜୋର୍ରେ ଥରାଇ, ବିକଟ ଚିକ୍ରାର କରି ତା’ ଦେହରୁ ବାହାରି ଗଲା। 27ଏଥିରେ ଲୋକମାନେ ଏତେ ଆଶ୍ଚର୍ଯ୍ୟାନ୍ୱି ହେଲେ ଯେ ପରସ୍ପର କୁହାକୁହି ହେଲେ, “ଏହା କ’ଣ? ଏହା କ’ଣ ଏକ ନୂଆ ଧରଣର ଶିକ୍ଷା? ଭୂତପ୍ରେତଙ୍କୁ ଆଦେଶ ଦେବା ପାଇଁ ଏହି ବ୍ୟକ୍ତିଙ୍କ ଅଧିକାର ଅଛି ଏବଂ ସେମାନେ ତାଙ୍କର ଆଦେଶ ପାଳନ କରୁଛନ୍ତି!”
28ଏହାପରେ ଗାଲିଲୀ ପ୍ରଦେଶର ଚତୁର୍ଦ୍ଦିଗରେ ଯୀଶୁଙ୍କର ସୁଖ୍ୟାତି ଅତି ଶୀଘ୍ର ବ୍ୟାପିଗଲା।
ଅନେକଙ୍କୁ ଆରୋଗ୍ୟ ଦାନ
(ମାଥିଉ ୮:୧୪-୧୭; ଲୂକ ୪:୩୮-୪୧)
29ଯାକୁବ, ଯୋହନ ଓ ଅନ୍ୟ ଶିଷ୍ୟମାନଙ୍କ ସହିତ ଯୀଶୁ ସମାଜ ଗୃହ ଛାଡ଼ି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ। 30ସେଠାରେ ପହଞ୍ଚିବାମାତ୍ରେ ସେ ଶୁଣିଲେ ଯେ ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଶାୟୀ ହୋଇଛନ୍ତି। 31ଯୀଶୁ ତାଙ୍କ ନିକଟକୁ ଯାଇ ତାଙ୍କ ହାତ ଧରି ଉଠାଇଲେ। ତାଙ୍କ ଜ୍ୱର ଛାଡ଼ିଗଲା ଏବଂ ସେ ସେମାନଙ୍କର ଆତିଥ୍ୟ କରିବାରେ ଲାଗି ପଡ଼ିଲେ।
32ସୂର୍ଯ୍ୟାସ୍ତ ପରେ ଲୋକମାନେ ଯୀଶୁଙ୍କ ନିକଟକୁ ରୋଗୀ ଓ ଭୂତଗ୍ରସ୍ତ ଲୋକମାନଙ୍କୁ ଆଣିଲେ। 33ସାରା ସହରର ଲୋକେ ଆସି ଦ୍ୱାର ସାମ୍ନାରେ ଜମା ହେଲେ। 34ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ଯୀଶୁ ସୁସ୍ଥ କଲେ ଓ ଅନେକଙ୍କଠାରୁ ଭୂତ ଛଡ଼ାଇଲେ। ସେ ଭୂତମାନଙ୍କ କଥା କହିବାକୁ ଦେଉ ନ ଥିଲେ, କାରଣ ସେମାନେ ତାଙ୍କୁ ଚିହ୍ନିଥିଲେ।
ଗାଲିଲୀରେ ଯୀଶୁଙ୍କ ପ୍ରଚାର
(ଲୂକ ୪:୪୨-୪୪)
35ପରଦିନ ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଯୀଶୁ ଉଠି ଘରୁ ବାହାରିଗଲେ। ସେ ସହର ଛାଡ଼ି ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କଲେ। 36ଶିମୋନ ଓ ତାଙ୍କ ସାଥୀମାନେ ଯୀଶୁଙ୍କୁ ଖୋଜିବାକୁ ଲାଗିଲେ। 37ତାଙ୍କୁ ଯାଇ ସେମାନେ କହିଲେ, “ସମସ୍ତେ ଆପଣଙ୍କୁ ଖୋଜୁଛନ୍ତି।”
38କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମଗୁଡ଼ିକୁ ଆମକୁ ଯିବାକୁ ହେବ। ମୁଁ ସେଠାରେ ମଧ୍ୟ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଛି।”
39ତା’ପରେ ସେ ଗାଲିଲୀର ସବୁ ଅଞ୍ଚଳରେ ବୁଲି ସମାଜ ଗୃହଗୁଡ଼ିକରେ ପ୍ରଚାର କଲେ ଓ ଭୂତ ଛଡ଼ାଇଲେ।#ମାଥିଉ ୪:୨୩; ୯:୩୫।
କୁଷ୍ଠରୋଗୀ ସୁସ୍ଥ ହେଲା
(ମାଥିଉ ୮:୧-୪; ଲୂକ ୫:୧୨-୧୬)
40ଜଣେ କୁଷ୍ଠରୋଗୀ ଯୀଶୁଙ୍କ ନିକଟକୁ ଆସିଲା। ନତଜାନୁ ହୋଇ ସେ ବିନତି କରି କହିଲା, “ଆପଣ ଚାହିଁଲେ ମୋତେ ଶୁଚି କରିଦେଇ ପାରିବେ।”#1:40 “ମୋତେ ଶୁଚି କରି ଦେଇ ପାରିବେ।” ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ କୁଷ୍ଠରୋଗ ଅଶୁଚି ଥିଲା।
41ଯୀଶୁ ଦୟାରେ ବିଗଳିତ ହୋଇ ହାତ ବଢ଼ାଇ ତାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ତାହାହିଁ ଚାହେଁ, ତୁମେ ଶୁଚି ହୁଅ।” 42ତତ୍କ୍ଷଣାତ୍ ସେହି ରୋଗ ତା’ଠାରୁ ଦୂର ହୋଇଗଲା ଓ ସେ ଶୁଚି ହେଲା। 43ଏହାପରେ ଯୀଶୁ ତାକୁ ସତର୍କ କରାଇ କହିଲେ, 44“ଶୁଣ, ଏକଥା କାହାକୁ କୁହ ନାହିଁ କିନ୍ତୁ ଧର୍ମଯାଜକଙ୍କ ନିକଟକୁ ଯାଅ। ସେ ତୁମକୁ ପରୀକ୍ଷା କରି ଦେଖନ୍ତୁ। ତା’ପରେ ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛ ବୋଲି ଅନ୍ୟମାନଙ୍କ ନିକଟରେ ପ୍ରମାଣିତ କରିବା ପାଇଁ ମୋଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ବଳି ଉତ୍ସର୍ଗ କର।” ଏହା କହି ଯୀଶୁ ତାକୁ ସଙ୍ଗେ ସଙ୍ଗେ ପଠାଇ ଦେଲେ।#ଲେବୀ ୧୪:୧-୩୨।
45କିନ୍ତୁ ଲୋକଟି ସେଠାରୁ ଚାଲିଯାଇ ଏହି କଥା ଚାରିଆଡ଼େ ରାଷ୍ଟ୍ର କରିଦେଲା। ସେ ଏହି ବିଷୟରେ ଏତେ କହି ବୁଲିଲା ଯେ, ଯୀଶୁ ପ୍ରକାଶ୍ୟରେ କୌଣସି ସହର ଭିତରକୁ ଯାଇ ପାରିଲେ ନାହିଁ। ତେଣୁ ସେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ତଥାପି ସବୁଆଡ଼ୁ ଲୋକମାନେ ତାଙ୍କ ନିକଟକୁ ଆସିଲେ।
Currently Selected:
ମାର୍କଲିଖିତ ସୁସମାଚାର 1: ODCLBSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.