YouVersion Logo
Search Icon

ଯୋହନ 21

21
ସାତ ଜଣ ଶିଷ୍ୟଙ୍କୁ ଯୀଶୁ ଦର୍ଶନ ଦେଲେ
1ଏହା ପରେ ତିବିରିଆ ହ୍ରଦ କୂଳରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଆଉ ଥରେ ଦର୍ଶନ ଦେଲେ। 2ସେତେବେଳେ ସେଠାରେ ଶିମୋନ ପିତର, ଥୋମା (ଯାହାଙ୍କର ଅନ୍ୟ ନାମ ଯମଜ), ଗାଲିଲୀର କାନ୍ନା ସହର ନିବାସୀ ନିଥେନିୟଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇ ଜଣ ଶିଷ୍ୟ ଉପସ୍ଥିତ ଥିଲେ। 3ଶିମୋନ ପିତର ସେମାନଙ୍କୁ କହିଲେ, “ମୁଁ ମାଛ ଧରିବାକୁ ବାହାରିଲି।”#ଲୂକ ୫:୫
ଅନ୍ୟ ଶିଷ୍ୟମାନେ କହିଲେ, “ଆମେ ତୁମ ସାଙ୍ଗରେ ଯିବୁ।” ସମସ୍ତେ ଡଙ୍ଗାରେ ଚଢ଼ି ସେହି ରାତି ସାରା ହ୍ରଦରେ ଜଲ ପକାଇଲେ, କିନ୍ତୁ କିଛି ହେଲେ ଧରି ପାରିଲେ ନାହିଁ। 4ପରଦିନ ସକାଳେ ସୂର୍ଯ୍ୟୋଦୟ ହେବାବେଳେ ଯୀଶୁ ଜଳ ଧାରରେ ଆସି ଠିଆ ହେଲେ, କିନ୍ତୁ ଶିଷ୍ୟମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। 5ଯୀଶୁ ସେମାନଙ୍କୁ ପଚାରିଲେ, “ପିଲାମାନେ, କଅଣ କିଛି ଧରିପାରି ନାହଁ?”
“ନା”, ସେମାନେ ଉତ୍ତର ଦେଲେ।
6ଯୀଶୁ ସେମାନଙ୍କୁ କହିଲେ, “ଡଙ୍ଗାର ଡାହାଣ ପାଖରେ ଜାଲ ପକାଅ, ନିଶ୍ଚୟ କିଛି ଧରିବ।” ସେମାନେ ସେହି ପଟେ ଜାଲ ପକାଇଲେ ଏବଂ ଏଥର ଏତେ ମାଛ ପଡ଼ିଲା ଯେ ସେମାନେ ସହଜରେ ଜାଲଟିକୁ ଟାଣି ପାରିଲେ ନାହିଁ।#ଲୂକ ୫:୬
7ଯୀଶୁଙ୍କ ପ୍ରିୟ ଶିଷ୍ୟ, ପିତରଙ୍କୁ କହିଲେ, “ଏ ନିଶ୍ଚୟ ପ୍ରଭୁ।” ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ (କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ)। 8ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ ହୋଇଥିବା ଜାଲ ଟାଣି ଟାଣି ଡଙ୍ଗାକୁ କୂଳରେ ଲଗାଇଲେ। କୂଳରୁ ସେମାନେ ବେଶୀ ଦୂରରେ ନ ଥିଲେ। କେବଳ ଦୁଇ ଶହ ହାତ ଭିତରକୁ ଯାଇଥିଲେ। 9କୂଳରେ ପହଞ୍ଚି ସେମାନେ ଦେଖିଲେ, ଜଳନ୍ତା ଅଙ୍ଗାର ଉପରେ କିଛି ମାଛ ଓ ପାଖରେ କେତେ ଖଣ୍ଡ ରୁଟି ରହିଛି।
10ଯୀଶୁ କହିଲେ, “ତୁମେ ଯେଉଁ ମାଛ ଧରିଛ, ସେଥିରୁ କିଛି ଆଣ।”
11ପିତର ଫେରିଯାଇ ମାଛରେ ପୂର୍ଣ୍ଣ ଜାଲଟିକୁ ଟାଣି ଆଣିଲେ। ସେଥିରେ ଥିଲା, ଶହେ ତେପନଟି ବଡ଼ ମାଛ। ଏତେ ମାଛର ଓଜନ ସତ୍ତେ୍ୱ ଜାଲ ଛିଣ୍ଡିଯାଇ ନ ଥିଲା।
12ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଆସ, ଖାଇବ।” “ତୁମେ କିଏ” ବୋଲି ତାଙ୍କୁ ପଚାରିବାକୁ କେହି ସାହସ କଲେ ନାହିଁ। ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ। 13ଯୀଶୁ ସେମାନଙ୍କ ନିକଟକୁ ଆସି ରୁଟି ଓ ମାଛ ପରିବେଷଣ କଲେ।
14ପୁନରୁତ୍ଥାନ ପରେ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାର ଏହା ତୃତୀୟ ଥର।
ଯୀଶୁ ଓ ପିତର
15ସମସ୍ତେ ଖାଇ ସାରିବା ପରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ଏମାନଙ୍କଠାରୁ ମୋତେ ଅଧିକ ପ୍ରେମ କରୁଛ?”
ଶିମୋନ କହିଲେ, “ହଁ ପ୍ରଭୁ ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।”
ଯୀଶୁ ତାହାଙ୍କୁ କହିଲେ, “ତା’ହେଲେ ମୋର ମେଷଶାବକଙ୍କୁ ଖୁଆଅ।”
16ଯୀଶୁ ଦ୍ୱିତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ମୋତେ ପ୍ରେମ କର?”
ଶିମୋନ ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ଭଲ ପାଏ।” ଯୀଶୁ ତାଙ୍କୁ କହିଲେ, “ମୋ’ ମେଷମାନଙ୍କର ତତ୍ତ୍ୱ ନିଅ।” 17ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?”
ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।”
ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ। 18ମୁଁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ତୁମ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଅଣ୍ଟା ଭିଡ଼ି ଚାଲି ଯାଉଥିଲ। କିନ୍ତୁ ତୁମେ ବୃଦ୍ଧ ହେଲେ, କେବଳ ହାତ ଟେକିବ ଓ ଅନ୍ୟ ଜଣେ ତୁମର କଟି ବନ୍ଧନ କରି ତୁମ ଇଚ୍ଛା ବିରୁଦ୍ଧରେ କୌଣସି ସ୍ଥାନକୁ ନେଇଯିବ। 19(ଯୀଶୁ ଏଥିଦ୍ୱାରା ସୂଚନା ଦେଲେ, ପିତର କିପରି ଭାବରେ ମୃତ୍ୟୁଭୋଗ କରି ଈଶ୍ୱରଙ୍କୁ ମହିମାନ୍ୱିତ କରିବେ।) ତା’ପରେ ଯୀଶୁ ପିତରଙ୍କୁ କହିଲେ, “ମୋ’ ପଛେ ପଛେ ଆସ।”
ଯୀଶୁ ଓ ତାଙ୍କ ପ୍ରିୟ ଶିଷ୍ୟ
20ପିତର ବୁଲିପଡ଼ି ପଛରେ ଯୀଶୁଙ୍କ ପ୍ରିୟ ଶିଷ୍ୟଙ୍କୁ ଦେଖିଲେ। (ଏହି ଶିଷ୍ୟଟି ଦିନେ ଯୀଶୁଙ୍କ ଉପରକୁ ଆଉଜି ପଡ଼ି ପଚାରିଥିଲା, “ପ୍ରଭୁ, ଆପଣଙ୍କ ପ୍ରତି କିଏ ବିଶ୍ୱାସଘାତକତା କରିବ?”) 21ପିତର ସେହି ଶିଷ୍ୟକୁ ଦେଖି ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଏହା ବିଷୟରେ ଆପଣ କ’ଣ କହୁଛନ୍ତି?”
22ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ଇଚ୍ଛା କରେ; ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ, ସେଥିରେ ତୁମର କ’ଣ ଅଛି? ତୁମେ ମୋର ଅନୁଗମନ କର।”
23ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହି ନ ଥିଲେ। ସେ କେବଳ କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ’ଣ ଅଛି।”
24ଏହି ସମସ୍ତ ବିଷୟ ସେହି ଶିଷ୍ୟ କହି ଯାଇଛନ୍ତି। ଏ ସବୁକୁ ମଧ୍ୟ ସେ ଲିପିବଦ୍ଧ କରିଛନ୍ତି ଏବଂ ଆମେ ଜାଣୁ, ସେ ଯାହା କହିଛନ୍ତି, ତା’ ସବୁ ସତ୍ୟ।
ଉପସଂହାର
25ଯୀଶୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅନେକ ବିଷୟ ଅଛି। କିନ୍ତୁ ମୋ’ ବିଚାରରେ, ସେସବୁ ଜଣେ ଲେଖି ବସିଲେ, ଯେତେ ପୁସ୍ତକ ଲେଖାଯିବ, ସେସେବୁ ରଖିବା ପାଇଁ ଜଗତରେ ସ୍ଥାନ ହେବ ନାହିଁ।

Currently Selected:

ଯୋହନ 21: ODCLBSI

Highlight

Copy

Compare

Share

None

Want to have your highlights saved across all your devices? Sign up or sign in