YouVersion Logo
Search Icon

ପ୍ରେରିତ 24

24
ପାଉଲ ଇହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଲେ
1ପାଞ୍ଚ ଦିନ ପରେ ପ୍ରଧାନ ଯାଜକ ଆନାନୀୟ କେତେକ ଇହୁଦୀ ନେତା ଓ ତର୍ତ୍ତୁଲସ୍ ନାମକ ଜଣେ ଓକିଲଙ୍କ ସହିତ ସିସେରିଆକୁ ଗଲେ। ସେମାନେ ଫେଲିକ୍ସ୍ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ପେଶ୍ କଲେ। 2ତା’ପରେ ପାଉଲଙ୍କୁ ସେଠାରେ ଉପସ୍ଥିତ କରାଗଲା ଏବଂ ତର୍ତ୍ତୁଲସ୍ ନିମ୍ନୋକ୍ତଭାବେ ତାଙ୍କର ଅଭିଯୋଗଗୁଡ଼ିକ ଦର୍ଶାଇଲେ:
“ମହାଭାଗ, ଆପଣଙ୍କ ବିଜ୍ଞ ନେତୃତ୍ୱ ଦ୍ୱାରା ଆମେ ଦୀର୍ଘ ଦିନ ଧରି ଶାନ୍ତିରେ ବାସ କରୁଅଛୁ ଓ ଆମ ଦେଶର ମଙ୍ଗଳ ନିମନ୍ତେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି। 3ପ୍ରତ୍ୟେକ ସ୍ଥାନରେ ଓ ସବୁ ସମୟରେ ଆମେ ଏହାର ସ୍ୱାଗତ କରିଛୁ, ଆମେ ଆପଣଙ୍କ ନିକଟରେ ଗଭୀର ଭାବରେ କୃତଜ୍ଞ। 4ସେ ଯାହାହେଉ, ମୁଁ ଆପଣଙ୍କର ଅଧିକ ସମୟ ନେବାକୁ ଚାହେଁ ନାହିଁ, ତେଣୁ ଆପଣ ଦୟା କରି ଆମର ସଂକ୍ଷିପ୍ତ ବିବରଣୀ ଶୁଣିବା ପାଇଁ ମୋର ଅନୁରୋଧ। 5ଏହି ଲୋକଟା ଭୟଙ୍କର ଗଣ୍ଡଗୋଳିଆ ବୋଲି ଆମେ ଜାଣୁ; ସେ ପୃଥିବୀରେ ସବୁଆଡ଼େ ବୁଲି ଇହୁଦୀମାନଙ୍କୁ ଶାନ୍ତି ଭଙ୍ଗ କରିବାକୁ ମତାଉଛି। ସେ ନାଜରିତୀୟ ଦଳର ଜଣେ ନେତା। 6ସେ ଆମ ମନ୍ଦିରକୁ ଅପବିତ୍ର କରିବାକୁ ଚେଷ୍ଟା କଲାବେଳେ ଆମେ ତାକୁ ଗିରଫ କଲୁ।#24:6 ଏଠାରେ କେତେକ ପାଣ୍ଡୁଲିପିରେ ନିମ୍ନଲିଖିତ ବିଷୟ ଯୋଗ କରାଯାଇଛି: “ଆମ୍ଭମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ। କିନ୍ତୁ ସେନାପତି ଲିସୀଅସ୍ ଆସି ବଳପୂର୍ବକ ଏହାକୁ ଆମ ହାତରୁ ଛଡ଼ାଇ ନେଲେ ଓ ଏହା ବିରୁଦ୍ଧରେ ଆମ୍ଭମାନଙ୍କର ଅଭିଯୋଗ ଆପଣଙ୍କ ନିକଟରେ ଜଣାଇବାକୁ ଆଦେଶ ଦେଲେ।” 8ଆମେ ଏହା ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରୁଛୁ, ତାହା ଆପଣ ନିଜେ ଏହି ଲୋକକୁ ଜେରା କରି ଜାଣିପାରିବେ।” 9ଉପସ୍ଥିତ ଇହୁଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି ଦୃଢ଼ଭାବେ ସମର୍ଥନ ଜଣାଇଲେ।
ଫେଲିକ୍‌ସ୍‌ଙ୍କ ସମ୍ମୁଖରେ ପାଉଲଙ୍କ ଆତ୍ମସମର୍ଥନ
10ତା’ପରେ ରାଜ୍ୟପାଳ ପାଉଲଙ୍କୁ କଥା କହିବା ପାଇଁ ଇଙ୍ଗିତ ଦେବାରୁ ପାଉଲ କହିଲେ:
“ମୁଁ ଜାଣେ ଯେ ବହୁ ବର୍ଷ ଧରି ଆପଣ ଏହି ଜାତିର ବିଚାରପତି ହୋଇଛନ୍ତି, ତେଣୁ ଆପଣଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ମୋ’ ପକ୍ଷରେ ସୌଭାଗ୍ୟଜନକ। 11ଆପଣ ନିଜେ ଅନୁସନ୍ଧାନ କରି ଜାଣିପାରିବେ ଯେ, ପ୍ରାୟ ବାର ଦିନ ତଳେ ମୁଁ ଯିରୂଶାଲମକୁ ଉପାସନା କରିବାକୁ ଯାଇଥିଲି। 12ମନ୍ଦିରରେ କାହାରି ସହିତ ମୋତେ ଯୁକ୍ତିତର୍କ କରୁଥିବା ଇହୁଦୀମାନେ ଦେଖି ନ ଥିଲେ କିମ୍ବା ସମାଜ ଗୃହମାନଙ୍କରେ ଅବା ସହରର ଅନ୍ୟ କୌଣସି ସ୍ଥାନରେ ମୋତେ ଲୋକମାନଙ୍କୁ ବତାଉ ଥିବାର ଦେଖି ନ ଥିଲେ। 13ତେଣୁ ମୋ’ ବିରୁଦ୍ଧରେ ବର୍ତ୍ତମାନ ଆଣିଥିବା ଅଭିଯୋଗଗୁଡ଼ିକ ପାଇଁ ସେମାନେ ପ୍ରମାଣ ଦେଇପାରିବେ ନାହିଁ। 14ଅବଶ୍ୟ ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଛି ଯେ, ଯେଉଁ ମାର୍ଗକୁ ଅନୁସରଣ କରି ମୁଁ ଆମ ପୂର୍ବପୁରୁଷମାନଙ୍କ ଈଶ୍ୱରଙ୍କୁ ଆରାଧନା କରୁଛି। କିନ୍ତୁ ମୁଁ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସମସ୍ତ ବିଷୟ ବିଶ୍ୱାସ କରେ। 15ଏମାନଙ୍କ ଭଳି ପ୍ରଭୁଙ୍କଠାରେ ମୋର ସେହି ଏକ ଭରସା ଯେ, ଭଲ ଓ ଖଳ ଲୋକ ସମସ୍ତେ ମୃତ୍ୟୁରୁ ଉତ୍ଥିତ ହେବେ। 16ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।
17“ଅନେକ ବର୍ଷ ଧରି ଯିରୂଶାଲମରୁ ଦୂରରେ ରହିବା ପରେ, ମୋ’ ନିଜ ଲୋକମାନଙ୍କ ପାଇଁ କିଛି ଅର୍ଥ ନେବାକୁ ଓ ବଳିଦାନ ଉତ୍ସର୍ଗ କରିବା ପାଇଁ ମୁଁ ସେଠାକୁ ଯାଇଥିଲି।#ପ୍ରେରିତ ୨୧:୧୭-୨୮। 18ମୁଁ ଶୁଚିକରଣ ବିଧି ଶେଷ କରୁଥିବା ସମୟରେ ସେମାନେ ମୋତେ ମନ୍ଦିରରେ ଦେଖିଲେ। ସେତେବେଳେ ମୋ’ ନିକଟରେ ଜନସମାବେଶ ନ ଥିଲା କିମ୍ବା କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିଲା। 19କିନ୍ତୁ ଏସିଆ ଦେଶର କେତେକ ଇହୁଦୀ ସେଠାରେ ଥିଲେ; ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି କହିବାର ଅଛି, ସେମାନେ ନିଜେ ଆପଣଙ୍କ ସମ୍ମୁଖକୁ ଆସି ଅଭିଯୋଗ କରିପାରିଥାନ୍ତେ। 20ପୁନଶ୍ଚ, ମୁଁ ଯେତେବେଳେ ମହାସଭା ସମ୍ମୁଖରେ ଠିଆ ହୋଇଥିଲି, ମୁଁ କେଉଁ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲି, ତାହା ଏଠାରେ ଥିବା ଏହି ଲୋକମାନେ କୁହନ୍ତୁ। 21ଅବଶ୍ୟ ମୁଁ ଗୋଟଏ କଥା କରିଥିଲି: ସେମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ମୁଁ ଦୃଢ଼ଭାବେ କହିଥିଲି, ‘ମୃତମାନେ ପୁନର୍ଜୀବିତ ହେବେ ବୋଲି ମୁଁ ବିଶ୍ୱାସ କରିଥିବାରୁ ଆଜି ଆପଣମାନଙ୍କ ଦ୍ୱାରା ବିଚାରିତ ହେଉଛି’।”#ପ୍ରେରିତ ୨୩:୬।
22ଫେଲିକ୍ସ୍ ଉକ୍ତ ମାର୍ଗ ବିଷୟରେ ଭଲ ରୂପେ ଜାଣିଥିବାରୁ ଶୁଣାଣି ବନ୍ଦ କରି କହିଲେ, “ସେନାଧ୍ୟକ୍ଷ ଲିସୀଅସ୍ ପହଞ୍ଚିବା ପରେ ମୁଁ ତୁମ ମାମଲା ନିଷ୍ପତ୍ତି କରିବି।’ 23ପାଉଲଙ୍କୁ ବନ୍ଦୀ କରି ରଖିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ, କିନ୍ତୁ ତାଙ୍କ ପ୍ରତି କଟକଣା କୋହଳ କରି ତାଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବାକୁ ସେ ନିର୍ଦ୍ଦେଶ ଦେଲେ।
ଫେଲିକ୍ସ୍ ଓ ଦ୍ରୁସିଲାଙ୍କ ସମ୍ମୁଖରେ ପାଉଲ
24କିଛିଦିନ ପରେ ଫେଲିକ୍ସ୍ ତାଙ୍କର ଇହୁଦୀୟା ସ୍ତ୍ରୀ ଦ୍ରୁସିଲାଙ୍କ ସହିତ ଆସିଲେ, ସେ ପାଉଲଙ୍କୁ ଡକାଇ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମ୍ପର୍କରେ ତାଙ୍କ କଥା ଶୁଣିଲେ। 25କିନ୍ତୁ ଯେତେବେଳେ ପାଉଲ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ଦିନ କଥା ଆଲୋଚନା କଲେ, ଫେଲିକ୍ସ୍ ଭୟଭୀତ ହୋଇ କହିଲେ, “ତୁମେ ବର୍ତ୍ତମାନ ଯାଇପାର। ସୁଯୋଗ ପାଇଲେ, ଆଉ ଥରେ ତୁମକୁ ଡକାଇବି।” 26ସେହି ସମୟରେ ପାଉଲ ତାଙ୍କୁ କିଛି ଅର୍ଥ ଉକ୍ରୋଚ ଦେବେ ବୋଲି ସେ ଆଶା କରିଥିଲେ, ତେଣୁ ସେ ଥରକୁ ଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ।
27ଏହିପରି ଦୁଇବର୍ଷ ଅତିବାହିତ ହେବା ପରେ ପୋର୍କିୟସ ଫେଷ୍ଟସ୍ ଫେଲିକ୍ସ୍ଙ୍କ ସ୍ଥାନରେ ରାଜ୍ୟପାଳ ରୂପେ ନିଯୁକ୍ତ ହେଲେ। ଫେଲିକ୍ସ୍ ଇହୁଦୀମାନଙ୍କର ପ୍ରିୟ ପାତ୍ର ହେବା ପାଇଁ ଲାଳାୟିତ ଥିବାରୁ ପାଉଲଙ୍କୁ ମୁକ୍ତ ନ କରି କାରାଗାରରେ ଛାଡ଼ି ଚାଲିଗଲେ।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in