ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 23
23
ବିଲୀୟମ୍ଙ୍କ ପ୍ରଥମ ଭବିଷ୍ୟତବାଣୀ
1ଏଥିଉତ୍ତାରେ ବିଲୀୟମ୍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋ’ ପାଇଁ ସାତଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।” 2ତହିଁରେ ବାଲାକ ବିଲୀୟମ୍ର କଥାନୁସାରେ କଲେ; ପୁଣି, ବାଲାକ ଓ ବିଲୀୟମ୍ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। 3ତହୁଁ ବିଲୀୟମ୍ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚ ସ୍ଥାନକୁ ଗଲା। 4ସେତେବେଳେ ପରମେଶ୍ୱର ବିଲୀୟମ୍କୁ ସାକ୍ଷାତ କଲେ; ତହିଁରେ ସେ ତାହାଙ୍କୁ କହିଲା, “ମୁଁ ସାତ ଯଜ୍ଞବେଦି ପ୍ରସ୍ତୁତ କରିଅଛି ଓ ମୁଁ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଗୋବତ୍ସ ଓ ଏକ ମେଷ ଉତ୍ସର୍ଗ କରିଅଛି।” 5ସେତେବେଳେ ସଦାପ୍ରଭୁ ବିଲୀୟମ୍ର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରି ଯାଅ, ପୁଣି, ତାହାକୁ ଏହିପରି କୁହ।” 6ତହିଁରେ ସେ ତାଙ୍କ ନିକଟକୁ ଫେରିଗଲା, ସେହି ସମୟରେ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ସେ ଓ ମୋୟାବର ଅଧିପତି ସମସ୍ତେ (ଠିଆ ହୋଇଥିଲେ)। 7ତହୁଁ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବାଲାକ ଅରାମଠାରୁ, ମୋୟାବର ରାଜା ପୂର୍ବ ଦିଗସ୍ଥିତ ପର୍ବତ-ଶ୍ରେଣୀରୁ ମୋତେ ଆଣିଅଛି; ଆସ, ଆମ୍ଭ ନିମନ୍ତେ ଯାକୁବକୁ ଅଭିଶାପ ଦିଅ; ପୁଣି, ଆସ, ଇସ୍ରାଏଲକୁ ଅଭିଶପ୍ତ କର।” 8ପରମେଶ୍ୱର ଯାହାକୁ ଅଭିଶାପ ଦେଇ ନାହାନ୍ତି, ମୁଁ କିପରି ତାହାକୁ ଅଭିଶାପ ଦେବି ? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କିପରି ତାହାକୁ ଅଭିଶପ୍ତ କରିବି ? 9କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି। ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ। 10ଯାକୁବର ଧୂଳି କିଏ ଗଣି ପାରେ ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହି ପାରେ; ଧାର୍ମିକର ମରଣ ମୁଁ ମରେ, ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ। 11ଏଥିରେ ବାଲାକ ବିଲୀୟମ୍କୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କି କଲ ? ଆମ୍ଭର ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ଆମ୍ଭେ ତୁମ୍ଭକୁ ନେଇଗଲୁ, ଆଉ ଦେଖ, ତୁମ୍ଭେ ସେମାନଙ୍କୁ ସର୍ବୋତୋଭାବେ ଆଶୀର୍ବାଦ କଲ।” 12ତହିଁରେ ସେ ଉତ୍ତର ଦେଇ କହିଲା, “ସଦାପ୍ରଭୁ ମୋ’ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ୍ ନୁହେଁ ?
ବିଲୀୟମ୍ଙ୍କ ଦ୍ୱିତୀୟ ଭବିଷ୍ୟତବାଣୀ
13ଏଉତ୍ତାରେ ବାଲାକ କହିଲେ, “ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।” 14ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇ ଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। 15ତହୁଁ ସେ ବାଲାକଙ୍କୁ କହିଲା, “ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ।” 16ଏଥିରେ ସଦାପ୍ରଭୁ ବିଲୀୟମ୍ ସହିତ ସାକ୍ଷାତ କଲେ, ପୁଣି, ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରି ଯାଇ ତାହାକୁ ଏହି କଥା କହିବ।” 17ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, ସଦାପ୍ରଭୁ କଅଣ କହିଅଛନ୍ତି ? 18ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋ’ କଥାରେ କର୍ଣ୍ଣପାତ କର।” 19ପରମେଶ୍ୱର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ ? 20ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ। 21ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି। 22ପରମେଶ୍ୱର ସେମାନଙ୍କୁ ମିସରରୁ ବାହାର କରି ଆଣୁଅଛନ୍ତି; ଅରଣା ଷଣ୍ଢ ତୁଲ୍ୟ ସେମାନଙ୍କର ବଳ। 23ନିତାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ, ପରମେଶ୍ୱର କି କର୍ମ କରିଅଛନ୍ତି ! 24ଦେଖ, ସେହି ଲୋକସମୂହ ସିଂହୀ ପରି ଉଠୁଅଛନ୍ତି; ପୁଣି, ସେ ସିଂହ ପରି ଆପଣାକୁ ଉଠାଉଅଛି; ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କର ରକ୍ତ ପାନ ନ କରେ, ସେପର୍ଯ୍ୟନ୍ତ ଶୟନ କରିବ ନାହିଁ। 25ଏଥିଉତ୍ତାରେ ବାଲାକ ବିଲୀୟମ୍କୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଅଭିଶାପ ଦିଅ ନାହିଁ, କିଅବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ।” 26ତହିଁରେ ବିଲୀୟମ୍ ଉତ୍ତର ଦେଇ ବାଲାକଙ୍କୁ କହିଲା, “ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ” ? 27ତହୁଁ ବାଲାକ ବିଲୀୟମ୍କୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।” 28ଏଣୁ ବାଲାକ ବିଲୀୟମ୍କୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ। 29ତହିଁରେ ବିଲୀୟମ୍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋ’ ପାଇଁ ସାତଗୋଟି ବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।” 30ତହୁଁ ବାଲାକ ବିଲୀୟମ୍ର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
Currently Selected:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 23: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0