ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20
20
ମରୀୟମଙ୍କ ମୃତ୍ୟୁୁ
1ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ପ୍ରଥମ ମାସରେ ସୀନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ; ପୁଣି, ସେହି ସ୍ଥାନରେ ମରୀୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା।
ଜଳ ନିମନ୍ତେ ବିବାଦ
2ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନ ଥିଲା; ତହିଁରେ ଲୋକମାନେ ମୋଶାଙ୍କ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। 3ପୁଣି, ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେହି ସମୟରେ ଯଦି ଆମ୍ଭେମାନେ ମରିଥା’ନ୍ତୁ। 4ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ, ଯେପରି କି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏହିଠାରେ ମରିବୁ ? 5ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ ? ଏ ତ ଶସ୍ୟ କି ଡିମ୍ବିରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।” 6ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁ ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ; ତହୁଁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା। 7ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 8“ତୁମ୍ଭେ ଯଷ୍ଟି ନିଅ, ପୁଣି, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ; ତହିଁରେ ତୁମ୍ଭେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକୁ ଓ ସେମାନଙ୍କ ପଶୁଗଣକୁ ପାନ କରାଇବ।” 9ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ।
ଶୈଳକୁ ମୋଶାଙ୍କ ଆଘାତ
10ପୁଣି, ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା ? 11ଏଉତ୍ତାରେ ମୋଶା ହସ୍ତ ଉଠାଇ ଆପଣା ଯଷ୍ଟିରେ ସେହି ଶୈଳକୁ ଦୁଇ ଥର ଆଘାତ କଲେ; ତହିଁରେ ପ୍ରଚୁର ଜଳ ବାହାରିଲା, ପୁଣି, ମଣ୍ଡଳୀ ଓ ସେମାନଙ୍କ ପଶୁଗଣ ପାନ କଲେ। 12ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲ ସନ୍ତାନମାନଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ, ଏହେତୁ ଆମ୍ଭେ ଏହି ମଣ୍ଡଳୀକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ।”
ଇଦୋମ ଦ୍ୱାରା ଇସ୍ରାଏଲର ପଥରୋଧ
13ଏହିସବୁ ମିରୀବାଃ-ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ। 14ଏଥିଉତ୍ତାରେ ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇସ୍ରାଏଲ ଏରୂପ କହଇ, “ଆମ୍ଭମାନଙ୍କ ପ୍ରତି ଯେଉଁ ସମସ୍ତ କ୍ଳେଶ ଘଟିଅଛି, 15ଅର୍ଥାତ୍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘକାଳ ବାସ କଲେ ଆଉ ମିସ୍ରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ। 16ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ; 17ମୁଁ ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାକ୍ଷେତ୍ର ମଧ୍ୟଦେଇ ଯିବୁ ନାହିଁ, କିଅବା କୂପ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ରାଜପଥ ଦେଇ ଗମନ କରିବୁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ଦକ୍ଷିଣରେ କି ବାମରେ ଫେରିବୁ ନାହିଁ।” 18ତହିଁରେ ଇଦୋମ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ (ଦେଶର) ମଧ୍ୟଦେଇ ଯିବ ନାହିଁ, ଗଲେ ଆମ୍ଭେ ଖଡ୍ଗ ନେଇ ତୁମ୍ଭ ବିରୁଦ୍ଧରେ ବାହାର ହେବା।” 19ସେତେବେଳେ ଇସ୍ରାଏଲ ସନ୍ତାନଗଣ ତାଙ୍କୁ କହିଲେ, “ଆମ୍ଭେମାନେ କେବଳ ସଡ଼କ ଦେଇ ଯିବୁ ଯଦି ଆମ୍ଭେମାନେ, ଆମ୍ଭେ କି ଆମ୍ଭ ପଶୁମାନେ ତୁମ୍ଭ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ; ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆପଣା ପାଦରେ (ଦେଶ) ଦେଇ ଯିବାକୁ ଦିଅ।” 20ତହୁଁ ସେ କହିଲେ, “ତୁମ୍ଭେ (ଦେଶ) ଦେଇ ଯିବ ନାହିଁ। ଏଉତ୍ତାରେ ଇଦୋମ ଅନେକ ଲୋକ ସଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ।” 21ଏହିରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେବାକୁ ଅସ୍ୱୀକାର କଲେ; ଏଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଗଲେ।
ହାରୋଣଙ୍କ ମୃତ୍ୟୁୁ
22ଏଥିଉତ୍ତାରେ ସେମାନେ କାଦେଶରୁ ଯାତ୍ରା କଲେ ତହୁଁ ଇସ୍ରାଏଲ ସନ୍ତାନଗଣ, ଅର୍ଥାତ୍, ସମସ୍ତ ମଣ୍ଡଳୀ ହୋର ପର୍ବତରେ ଉପସ୍ଥିତ ହେଲେ। 23ସେତେବେଳେ ଇଦୋମ ଦେଶର ସୀମା ନିକଟସ୍ଥ ହୋର ପର୍ବତରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 24“ଏହା ହାରୋଣର ମୃତ୍ୟୁର ସମୟ ଅଟେ; କାରଣ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରୀବାଃ-ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧ କର୍ମ କରିଥିଲ। 25ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ର ଇଲୀୟାସରକୁ ହୋର ପର୍ବତ ଉପରକୁ ନେଇ ଯାଅ। 26ପୁଣି, ହାରୋଣଠାରୁ ତାହାର ବସ୍ତ୍ର କାଢ଼ି ତାହାର ପୁତ୍ର ଇଲୀୟାସରକୁ ପିନ୍ଧାଅ; ଯେଣୁ ହାରୋଣ (ଆପଣା ଲୋକମାନଙ୍କ ନିକଟରେ) ସଂଗୃହୀତ ହେବ ଓ ସେ ସେହି ସ୍ଥାନରେ ମରିବ। 27ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ଆଉ ସେମାନେ ସମସ୍ତେ ମଣ୍ଡଳୀର ସାକ୍ଷାତରେ ହୋର ପର୍ବତକୁ ଉଠିଗଲେ। 28ତେବେ ମୋଶା ହାରୋଣଙ୍କର ବସ୍ତ୍ର କାଢ଼ି ତାଙ୍କର ପୁତ୍ର ଇଲୀୟାସରକୁ ପିନ୍ଧାଇଲେ, ପୁଣି, ହାରୋଣ ସେହି ସ୍ଥାନରେ ପର୍ବତଶୃଙ୍ଗରେ ମଲେ; ତହୁଁ ମୋଶା ଓ ଇଲୀୟାସର ପର୍ବତରୁ ଓହ୍ଲାଇ ଆସିଲେ। 29ଏଉତ୍ତାରେ ହାରୋଣ ମରିଅଛନ୍ତି, ଏହା ସମସ୍ତ ମଣ୍ଡଳୀ ଦେଖନ୍ତେ, ସେମାନେ, ଅର୍ଥାତ୍, ଇସ୍ରାଏଲର ସମସ୍ତ ବଂଶ ହାରୋଣଙ୍କ ନିମନ୍ତେ ତିରିଶ ଦିନ ପର୍ଯ୍ୟନ୍ତ ରୋଦନ କଲେ।
Currently Selected:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0