YouVersion Logo
Search Icon

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15

15
ବଳିଦାନର ବିଧି
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ଆପଣାମାନଙ୍କ ସେହି ନିବାସ ଦେଶରେ ଯେତେବେଳେ ପ୍ରବେଶ କରିବ, 3ପୁଣି, ତୁମ୍ଭମାନଙ୍କର ମାନତ ପୂର୍ଣ୍ଣ କରିବା ନିମନ୍ତେ, କିଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ, କିଅବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ବା ବଳି ଉତ୍ସର୍ଗ କରିବ; 4ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗକାରୀ ଲୋକ ହୋମାଦି ବଳିଦାନାର୍ଥକ ପ୍ରତ୍ୟେକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦାର ନୈବେଦ୍ୟ ଆଣିବ, 5ପୁଣି, ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ-ନୈବେଦ୍ୟ ପ୍ରସ୍ତୁତ କରିବ। 6ଅଥବା ଏକ ମେଷ ନିମନ୍ତେ, ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ, 7ପୁଣି, ତୁମ୍ଭେ ପେୟ ନୈବେଦ୍ୟ ନିମନ୍ତେ ଏକ ହିନର ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। 8ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ, ଅବା ମାନତ-ପୂର୍ଣ୍ଣକରଣାର୍ଥକ ବଳି ନିମନ୍ତେ, କିଅବା ମଙ୍ଗଳାର୍ଥକ ଉପହାର ନିମନ୍ତେ, ଯଦି ଗୋବତ୍ସ ପ୍ରସ୍ତୁତ କରିବ, 9ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଣିବ। 10ପୁଣି, ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟ-ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ୍ ଦ୍ରାକ୍ଷାରସ ଆଣିବ। 11ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ପ୍ରତି କରାଯିବ। 12ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେରୂପ କରିବ। 13ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ, ଏହି ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ। 14ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଅବା ତୁମ୍ଭମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସକାରୀ କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭେମାନେ ଯେ ପ୍ରକାର କର, ସେ ସେହି ପ୍ରକାର କରିବ। 15ସମାଜ ନିମନ୍ତେ, (ଅର୍ଥାତ୍‍) ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ, ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମ୍ଭେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ। 16ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।” 17ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, 18ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇ ଯାଉଅଛୁ, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏରୂପ କରିବ, 19ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। 20ତୁମ୍ଭେମାନେ ଆପଣା ଆପଣା ପ୍ରଥମ ସୂଜିରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ; ଯେପରି ଶସ୍ୟମର୍ଦ୍ଦନ ସ୍ଥାନର ଉତ୍ତୋଳନୀୟ ଉପହାର, ସେପରି ତାହା ଉତ୍ତୋଳନ କରିବ। 21ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।
ଭ୍ରାନ୍ତିଜନକ ପାପ ସଂକ୍ରାନ୍ତୀୟ ବିଧି
22ଆଉ ଯଦି ତୁମ୍ଭେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୋଶାଙ୍କୁ ଯାହା କହିଅଛନ୍ତି, ସେହିସବୁ ଆଜ୍ଞା, 23ଅର୍ଥାତ୍‍, ସଦାପ୍ରଭୁ ଆଜ୍ଞା ଦେବା ଦିନାବଧି ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ସବୁ ଆଜ୍ଞା ଦେଇଅଛନ୍ତି, ତାହା ସବୁ ଯଦି ପାଳନ ନ କର; 24ଯଦି ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ। 25ଆଉ ଯାଜକ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଉପହାର, ଅର୍ଥାତ୍‍, ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି। 26ତହିଁରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ; କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା। 27ଆଉ ଯଦି ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ ଏକବର୍ଷୀୟ ଏକ ଛାଗବତ୍ସା ଆଣିବ। 28ପୁଣି, ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତାହା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରଣାର୍ଥେ ସେହି ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମା ପ୍ରାପ୍ତ ହେବ। 29ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଭ୍ରାନ୍ତିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ। 30ମାତ୍ର ଯେଉଁ ପ୍ରାଣୀ ଉର୍ଦ୍ଧ୍ୱ ହସ୍ତରେ କୌଣସି (ପାପ) କର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କର ନିନ୍ଦା କରେ; ଏଣୁ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 31କାରଣ ସେ ସଦାପ୍ରଭୁଙ୍କ ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞା-ଲଙ୍ଘନ କଲା; ସେହି ପ୍ରାଣୀ ନିତାନ୍ତ ଉଚ୍ଛିନ୍ନ ହେବ, ତାହାର ଅପରାଧ ତାହା ଉପରେ ବର୍ତ୍ତିବ।
ବିଶ୍ରାମବାର ଲଂଘନର ଦଣ୍ଡ
32ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ପ୍ରାନ୍ତରରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମବାରରେ କାଠ ସାଉଣ୍ଟିବାର ଦେଖିଲେ। 33ପୁଣି, ଯେଉଁମାନେ ତାକୁ କାଠ ସାଉଣ୍ଟିବାର ଦେଖିଲେ, ସେମାନେ ମୋଶା, ହାରୋଣ ଓ ସମସ୍ତ ମଣ୍ଡଳୀ ସାକ୍ଷାତକୁ ତାହାକୁ ଆଣିଲେ। 34ଆଉ ସେମାନେ ତାହାକୁ ରୁଦ୍ଧ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ, ତାହା ପ୍ରକାଶ ହୋଇ ନ ଥିଲା। 35ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟ ଅବଶ୍ୟ ହତ ହେବ; ସମଗ୍ର ମଣ୍ଡଳୀ ତାହାକୁ ଛାଉଣିର ବାହାରେ ପଥର ପକାଇ ବଧ କରିବେ।” 36ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ଡଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ପକାଇଲେ, ତହୁଁ ସେ ମଲା।
ବସ୍ତ୍ରରେ ଝାଲର ବିଷୟକ ନିୟମ
37ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 38“ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ ଓ ସେମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ପୁରୁଷାନୁକ୍ରମେ ଆପଣା ଆପଣା ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ କରନ୍ତୁ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ; 39ତୁମ୍ଭେମାନେ ଯେପରି ସେହି ଝାଲର ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ତୁମ୍ଭେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ, 40ଆମ୍ଭର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ଏଥିପାଇଁ ସେହି ଝାଲର ହେବ। 41ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ, ଆମ୍ଭେ, ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛୁ; ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ ଅଟୁ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15