YouVersion Logo
Search Icon

ନାହୂମ 3

3
ନୀନିବୀ ସନ୍ତାପର ପାତ୍ର
1ସେହି ରକ୍ତପାତୀ ନଗର ସନ୍ତାପର ପାତ୍ର ! ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ସେ ଲୁଣ୍ଠନ କରିବା ଛାଡେ ନାହିଁ। 2କୋରଡ଼ାର ଶବ୍ଦ, ଚକ୍ରସମୂହର ଘର ଘର ଶବ୍ଦ; ନାଚିବା ଅଶ୍ୱଗଣ ଓ କୁଦିବା ରଥ; 3ଅଶ୍ୱାରୋହୀ ଆରୋହଣ କରିବାର, ଆଉ ଚକ୍‍ଚକ୍ ଖଡ୍ଗ ଓ ଝଲମଲ ବର୍ଚ୍ଛା; ପୁଣି, ଅପାର ହତ ଲୋକ ଓ ଶବର ଏକ ମହାଢିପି; ଆଉ, ଶବ ସଂଖ୍ୟାର ସୀମା ନାହିଁ; ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି; 4ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ। 5ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲଙ୍ଗତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା। 6ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା। 7ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେମାନେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଧ୍ଵଂସ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା ? 8ଯେଉଁ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା; ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ-ଆମୋନଠାରୁ#3:8 ନୋ-ଆମୋନଠାରୁ ଅର୍ଥାତ୍ ମିସର ଦେଶର ରାଜଧାନୀ ତୁମ୍ଭେ କି ଶ୍ରେଷ୍ଠ ? 9କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ। 10ତଥାପି ସେ ନିର୍ବାସିତା ହେଲା, ସେ ବନ୍ଦୀତ୍ୱ ସ୍ଥାନକୁ ଗଲା; ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥ ମୁଣ୍ଡରେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେଲେ; ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ଆଉ ତାହାର ବଡ଼ ଲୋକ ସମସ୍ତେ ଶିକୁଳିରେ ବନ୍ଧା ହେଲେ। 11ତୁମ୍ଭେ ମଧ୍ୟ ମତ୍ତ ହେବ, ତୁମ୍ଭେ ଲୁଚା ଯିବ; ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ୱେଷଣ କରିବ। 12ତୁମ୍ଭର ଦୁର୍ଗସବୁ ଆଦ୍ୟ ପକ୍ୱ ଫଳବିଶିଷ୍ଟ ଡିମ୍ବିରି ବୃକ୍ଷମାନର ତୁଲ୍ୟ ହେବେ; ସେହିସବୁ ହଲା ଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ। 13ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ପରି ଅଟନ୍ତି; ତୁମ୍ଭ ଦେଶର ନଗର-ଦ୍ୱାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖା ଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି। 14ଅବରୋଧର ସମୟ ନିମନ୍ତେ ଜଳ କାଢ଼ି ଆଣ, ତୁମ୍ଭର ଦୁର୍ଗସବୁ ଦୃଢ଼ କର; କାଦୁଅକୁ ଯାଇ ମାଟି ଚକଟ, ଇଟା ଭାଟି ଦୃଢ଼ କର। 15ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ; ଖଡ୍ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ; ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁସଂଖ୍ୟକ କର। 16ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ; ପତଙ୍ଗ ନଷ୍ଟ କରି ଉଡ଼ିଯାଏ। 17ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଦଳ ପରି, ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟ ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥା’ନ୍ତି, ତାହା ଜଣାଯାଏ ନାହିଁ। 18ହେ ଅଶୂରର ରାଜା, ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି; ତୁମ୍ଭର ପ୍ରତାପାନ୍ୱିତ ଲୋକମାନେ ବିଶ୍ରାମ କରୁଅଛନ୍ତି; ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନଭିନ୍ନ ହୋଇଅଛନ୍ତି। ଆଉ, ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ। 19ତୁମ୍ଭ ଆଘାତର ଉପଶମ ନାହିଁ; ତୁମ୍ଭର କ୍ଷତ ବ୍ୟଥାଜନକ; ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି, ସେମାନେ ସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ ?

Currently Selected:

ନାହୂମ 3: ORYIRV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in