ମାର୍କ 7
7
ପରମ୍ପରା ଏବଂ ଈଶ୍ୱରଙ୍କ ବାକ୍ୟ
(ମାଥିଉ 15:1-9)
1ପରେ ଫାରୂଶୀମାନେ ଓ ଯିରୂଶାଲମରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ । 2ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି, ଅର୍ଥାତ୍ ଅଧୁଆ ହାତରେ ଖାଇବା ଦେଖିଲେ । 3ଫାରୂଶୀମାନେ ଓ ସମସ୍ତେ ଯିହୂଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ । 4ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି । 5ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି ? 6ସେ ସେମାନଙ୍କୁ କହିଲେ, ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ । 7ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି । 8ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ । 9ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ ! 10କାରଣ ମୋଶା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । 11କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋ'ଠାରୁ, ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା 'କର୍ବାନ୍', ଅର୍ଥାତ୍ ଈଶ୍ୱରଙ୍କୁ ମାନତ ହୋଇଅଛି, 12ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ; 13ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ ।
ଯାହା ମନୁଷ୍ୟକୁ ଅଶୁଚି କରୁଥାଏ
(ମାଥିଉ 15:10-20)
14ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ତୁମ୍ଭେମାନେ ସମସ୍ତେ ମୋ' କଥା ଶୁଣ ଓ ବୁଝ । 15ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରି ପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହି ସବୁ ତାହାକୁ ଅଶୁଚି କରେ । 16[ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।] 17ଆଉ ସେ ଲୋକସମୂହଠାରୁ ଗୃହ ମଧ୍ୟକୁ ଆସିଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତଟିର ଭାବ ପଚାରିବାକୁ ଲାଗିଲେ । 18ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ ମଧ୍ୟ କଅଣ ସେହିପରି ଅବୋଧ ? ଯାହା କିଛି ବାହାରୁ ମନୁଷ୍ୟ ଭିତରେ ପ୍ରବେଶ କରେ, ତାହା ତାକୁ ଅଶୁଚି କରି ପାରେ ନାହିଁ, 19କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ବାହ୍ୟ ସ୍ଥାନରେ ବର୍ହିଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ, ଏହା କ'ଣ ବୁଝୁ ନାହଁ ? 20ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ । 21କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ 22ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା; 23ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ ।
ସୁରପୈନୀକୀୟା ସ୍ତ୍ରୀର ବିଶ୍ୱାସ
(ମାଥିଉ 15:21-28)
24ଏଥିଉତ୍ତାରେ ସେ ସେଠାରୁ ଉଠି ସୋର ସୀମାକୁ ଗଲେ, ଆଉ ଗୋଟିଏ ଗୃହରେ ପ୍ରବେଶ କରି, କେହି ଯେପରି ତାହା ନ ଜାଣେ, ଏହା ଇଚ୍ଛା କରୁଥିଲେ, ମାତ୍ର ସେ ଗୁପ୍ତ ହୋଇ ରହି ପାରିଲେ ନାହିଁ । 25ସେହିକ୍ଷଣି ଜଣେ ସ୍ତ୍ରୀ, ଯାହାର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା । 26ସେ ସୁରଫୈନୀକୀୟା ଜାତିର ଜଣେ ଗ୍ରୀକ୍ ସ୍ତ୍ରୀଲୋକ ଥିଲା । ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା । 27ସେଥିରେ ସେ ତାହାକୁ କହିଲେ, ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ । 28କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲ, ହଁ, ପ୍ରଭୁ; କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି । 29ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି । 30ପୁଣି, ସେ ଘରକୁ ଯାଇ ପିଲାଟି ଶେଯରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା ।
ମୂକବଧିରର ସୁସ୍ଥତା
31ପୁନର୍ବାର ସେ ସୋର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲୀ ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ । 32ଆଉ ଲୋକ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ । 33ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର ଦୁଇ କାନରେ ଆପଣା ଆଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିହ୍ୱାକୁ ଛୁଇଁଲେ, 34ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, 'ଇପ୍ପଥଃ', ଅର୍ଥାତ୍ ଫିଟିଯା । 35ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟରୂପେ କଥା କହିବାକୁ ଲାଗିଲା । 36ପୁଣି, ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ; ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ । 37ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି ।
Currently Selected:
ମାର୍କ 7: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0