YouVersion Logo
Search Icon

ମୀଖା 7

7
ପରିତ୍ରାଣର ପରମେଶ୍ୱରଙ୍କ ପ୍ରତୀକ୍ଷା
1ହାୟ, ମୁଁ ସନ୍ତାପର ପାତ୍ର ! କାରଣ ଗ୍ରୀଷ୍ମକାଳୀନ ଫଳ ତୋଳିଲା ଉତ୍ତାରେ ଦ୍ରାକ୍ଷାଫଳ ସଂଗ୍ରହ କରିବାର ଯେପରି, ମୁଁ ସେହିପରି ହୋଇଅଛି; ଭୋଜନର ପାଇଁ ଗୋଟିଏ ଦ୍ରାକ୍ଷାପେଣ୍ଡା ନାହିଁ; ମୋର ପ୍ରାଣ ଆଦ୍ୟପକ୍ୱ ଡିମ୍ୱିରି ଫଳ ଲାଳସା କରେ। 2ଧାର୍ମିକ ଲୋକ ପୃଥିବୀରୁ ଉଚ୍ଛିନ୍ନ ହୋଇଅଛି ଓ ମନୁଷ୍ୟମାନଙ୍କ ମଧ୍ୟରେ ସରଳ ଲୋକ କେହି ନାହିଁ; ସେମାନେ ସମସ୍ତେ ରକ୍ତପାତ କରିବାକୁ ଛକି ବସନ୍ତି; ପ୍ରତ୍ୟେକ ଲୋକ ଆପଣା ଆପଣା ଭ୍ରାତାକୁ ଜାଲରେ ଧରିବାକୁ ଚେଷ୍ଟା କରଇ। 3ଯାହା ମନ୍ଦ, ତାହା ଯତ୍ନପୂର୍ବକ କରିବା ପାଇଁ ତହିଁ ଉପରେ ସେମାନଙ୍କର ହସ୍ତ ଅଛି; ଅଧିପତି ଚାହେଁ ଓ ବିଚାରକର୍ତ୍ତା ପୁରସ୍କାର ପାଇଁ ପ୍ରସ୍ତୁତ ଆଉ, ବଡ଼ ଲୋକ ଆପଣା ପ୍ରାଣର ହିଂସାଭାବ ମୁଖରେ ବ୍ୟକ୍ତ କରେ; ଏହିରୂପେ ସେମାନେ ବସ୍ତ୍ର ତୁଲ୍ୟ ତାହା ଏକତ୍ର ବୁଣନ୍ତି। 4ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ଡ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ। 5ତୁମ୍ଭେମାନେ ମିତ୍ରଠାରେ ବିଶ୍ୱାସ କର ନାହିଁ ଓ ପଥର ପ୍ରଦର୍ଶକଠାରେ ବିଶ୍ୱାସ କର ନାହିଁ; ତୁମ୍ଭ ବକ୍ଷଃସ୍ଥଳରେ ଶୟନକାରିଣୀଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର। 6କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି। 7ମାତ୍ର ମୁଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି; ମୋ’ ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି; ମୋ’ ପରମେଶ୍ୱର ମୋର କଥା ଶୁଣିବେ। 8ହେ ମୋର ଶତ୍ରୁ, ମୋର ପ୍ରତିକୂଳରେ ଆନନ୍ଦ କର ନାହିଁ; ମୁଁ ପଡ଼ିଲେ ଉଠିବି; ମୁଁ ଅନ୍ଧକାରରେ ବସିଲେ ସଦାପ୍ରଭୁ ମୋର ଦୀପ୍ତିସ୍ୱରୂପ ହେବେ। 9ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି, ଏଥିପାଇଁ ଯେପର୍ଯ୍ୟନ୍ତ ସେ ମୋ’ ବିବାଦର ସପକ୍ଷବାଦୀ ହୋଇ ମୋର ବିଚାର ନିଷ୍ପତ୍ତି ନ କରନ୍ତି, ସେପର୍ଯ୍ୟନ୍ତ ମୁଁ ତାହାଙ୍କ କ୍ରୋଧରୂପ ଭାର ବହନ କରିବି; ସେ ମୋତେ ବାହାର କରି ଆଲୁଅକୁ ଆଣିବେ ଓ ମୁଁ ତାହାଙ୍କର ଧାର୍ମିକତା ଦେଖିବି। 10ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି ବୋଲି ଯେ ମୋତେ କହିଥିଲା, ମୋର ସେହି ଶତ୍ରୁ ତାହା ଦେଖିବ ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; ମୋର ଚକ୍ଷୁ ତାହାକୁ ଦେଖିବ; ଏବେ ସେ ପଥର କାଦୁଅ ପରି ଦଳିତ ହେବ। 11ତୁମ୍ଭ ବେଢ଼ାର ନିର୍ମାଣ ଦିନ ଉପସ୍ଥିତ ! ସେହି ଦିନ ବିଧାନ ଦୂରକୁ ଅନ୍ତରିତ ହେବ। 12ସେଦିନ ତୁମ୍ଭ ନିକଟକୁ ଲୋକମାନେ ଆସିବେ, ଅଶୂରରୁ ଓ ମିସରର ନଗରସମୂହରୁ ଓ ମିସରଠାରୁ ନଦୀ ପର୍ଯ୍ୟନ୍ତ ଓ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଯାବତୀୟ ପର୍ବତରୁ ଆସିବେ। 13ତଥାପି ନିବାସୀଗଣର ସକାଶୁ ସେମାନଙ୍କ କ୍ରିୟାର ଫଳ ସ୍ୱରୂପେ ଦେଶ ଧ୍ୱଂସସ୍ଥାନ ହେବ। 14ତୁମ୍ଭେ ଆପଣା ପାଞ୍ଚଣ ନେଇ ଆପଣା ଲୋକମାନଙ୍କୁ, ଅର୍ଥାତ୍‍, ଏକାକୀ ବାସକାରୀ ଆପଣା ପୈତୃକାଧିକାର ସ୍ୱରୂପ ପଲକୁ, କର୍ମିଲର ମଧ୍ୟସ୍ଥିତ ଅରଣ୍ୟରେ ଚରାଅ; ସେମାନେ ପୂର୍ବ କାଳର ନ୍ୟାୟ ବାଶନରେ ଓ ଗିଲୀୟଦରେ ଚରନ୍ତୁ। 15ମିସର ଦେଶରୁ ତୁମ୍ଭର ବାହାର ହୋଇ ଆସିବା ଦିନର ନ୍ୟାୟ ଆମ୍ଭେ ତାହାକୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖାଇବା। 16ଗୋଷ୍ଠୀୟ ବର୍ଗ ତାହା ଦେଖି ଆପଣାମାନଙ୍କର ସମସ୍ତ ପରାକ୍ରମ ବିଷୟରେ ଲଜ୍ଜିତ ହେବେ; ସେମାନେ ଆପଣା ଆପଣା ମୁଖରେ ହସ୍ତ ଦେବେ, ସେମାନଙ୍କର କର୍ଣ୍ଣ ବଧିର ହେବ। 17ସେମାନେ ସର୍ପ ପରି ଧୂଳି ଚାଟିବେ; ସେମାନେ କମ୍ପି କମ୍ପି ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ନ୍ୟାୟ ଆପଣା ଆପଣା ଗୋପନୀୟ ସ୍ଥାନରୁ ବାହାର ହୋଇ ଆସିବେ; ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ଆସିବେ ଓ ତୁମ୍ଭ ସକାଶୁ ଭୀତ ହେବେ।
ପରମେଶ୍ୱରଙ୍କ ପ୍ରେମ ଓ କରୁଣା
18ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି। 19ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ। 20ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।

Currently Selected:

ମୀଖା 7: ORYIRV

Highlight

Share

Copy

None

Want to have your highlights saved across all your devices? Sign up or sign in

YouVersion uses cookies to personalize your experience. By using our website, you accept our use of cookies as described in our Privacy Policy