ମାଥିଉ 9
9
ପକ୍ଷାଘାତ ରୋଗୀର ସୁସ୍ଥତା
(ମାର୍କ 2:1-12; ଲୂକ 5:17-26)
1ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ । 2ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା । 3ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ୱର ନିନ୍ଦା କରୁଅଛି । 4ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ ? 5କାରଣ କ'ଣ ସହଜ ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା ? 6କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ । 7ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା । 8ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ୱର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ ।
ମାଥିଉଙ୍କୁ ଆହ୍ୱାନ
(ମାର୍କ 2:13-17; ଲୂକ 5:27-32)
9ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, "ମୋହର ଅନୁଗମନ କର" । ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ । 10ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ । 11ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, "ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି" ? 12କିନ୍ତୁ ଯୀଶୁ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ରା ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି । 13କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।
ଉପବାସର କାରଣ
(ମାର୍କ 2:18-22; ଲୂକ 5:33-39)
14ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି ? 15ଯୀଶୁ ସେମାନଙ୍କୁ କହିଲେ, ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରି ପାରନ୍ତି ? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ିନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ । 16କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ । 17ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ ।
ମୃତ ବାଳିକା ଜୀବିତ-ପ୍ରଦର ରୋଗଗ୍ରସ୍ତା ସୁସ୍ଥ
(ମାର୍କ 5:21-43; ଲୂକ 8:40-56)
18ଯୀଶୁ ସେମାନଙ୍କୁ ଏହି ସବୁ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲେ, ମୋର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ । 19ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ । 20ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା, 21କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । 22କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି । ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା । 23ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି 24ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । 25କିନ୍ତୁ ଲୋକସମୂହ ବାହାରଯାଆନ୍ତେ ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା । 26ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା ।
ଦୁଇ ଅନ୍ଧଙ୍କୁ ଦୃଷ୍ଟି ଦାନ
(ମାଥିଉ 20:30,31; ମାର୍କ 10:47,48; ଲୂକ 18:38,39)
27ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚ ସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 28ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେ ଏହା କରି ପାରେ, ତାହା କି ବିଶ୍ୱାସ କରୁଅଛ ? ସେମାନେ କହିଲେ ହଁ, ପ୍ରଭୁ । 29ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ । 30ତହିଁରେ ସେମାନଙ୍କର ଆଖି ଫିଟିଗଲା । ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, ଦେଖ, ଏ ବିଷୟ ଯେପରି କେହି ନ ଜାଣେ । 31ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ ।
ମୂକକୁ ବାକ୍ଶକ୍ତି ପ୍ରଦାନ
(ମାଥିଉ 12:22,23; ଲୂକ 11:14)
32ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ । 33ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା । ସେଥିରେ ଲୋକ ସମୁହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ । 34କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି । 35ଏହାପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ ।
ଶସ୍ୟ ପ୍ରଚୁର କାର୍ଯ୍ୟକାରୀ ଅଳ୍ପ
(ଲୂକ 10:2; ଯୋହନ 4:35)
36ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ । 37ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ, 38ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର ।
Currently Selected:
ମାଥିଉ 9: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0