ଲୂକ 4
4
ଯୀଶୁଙ୍କ ପରୀକ୍ଷା
(ମାଥିଉ 4:1-11; ମାର୍କ 1:12,13)
1ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ । 2ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ ।
3ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ । 4ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ ।
5ଆଉ ସେ ତାହାଙ୍କୁ ଉପରକୁ ନେଇଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା । 6ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଏୗଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ । 7ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ ।
8ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ ।
9ପୁଣି, ସେ ତାହାଙ୍କୁ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର, ତାହାହେଲେ ଏଠାରୁ ତଳକୁ ଡେଇଁପଡ଼; 10କାରଣ ଲେଖା ଅଛି, ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;
11ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
12ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ରରେ ମଧ୍ୟ ଏହା ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ ।
13ଶୟତାନ ଯୀଶୁଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଶେଷ କଲା ପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା ।
ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ
(ମାଥିଉ 4:12-17; ମାର୍କ 1:14,15)
14ଏହାପରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଆଉ ଚାରିଆଡ଼େ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା । 15ପୁଣି, ସେ ସେମାନଙ୍କର ସମାଜଗୃହ ସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ ।
ନାଜରିତରେ ଯୀଶୁ ଉପେକ୍ଷିତ
(ମାଥିଉ 13:53-58; ମାର୍କ 6:1-6)
16ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ । 17ସେଥିରେ ଯିଶାଈୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,
18ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,
19ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି ।
20ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକକୁ ତାହା ଫେରାଇଦେଇ ବସିଲେ । ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା । 21ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା । 22ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କ'ଣ ଯୋଷେଫର ପୁତ୍ର ନୁହେଁ ?
23ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ହେ ଚିକିତ୍ସକ, ନିଜେ ନିଜକୁ ସୁସ୍ଥ କର; କର୍ଫନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହି ସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର । 24ପୁଣି, ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ ।
25କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ; 26ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପଠା ନ ଯାଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ । 27ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ ।
28ସମାଜଗୃହରେ ଏହି ସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, 29ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ; 30କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ ।
ଅଶୁଚି ଭୂତାତ୍ମାବିଷ୍ଟ ବ୍ୟକ୍ତିଙ୍କର ସୁସ୍ଥତା
(ମାର୍କ 1:21-28)
31ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, 32ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା ।
33ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତଗ୍ରସ୍ତ ଲୋକ ଥିଲା; ସେ ଉଚ୍ଚ ସ୍ୱରରେ ଚିତ୍କାର କଲା, 34ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କ'ଣ ଅଛି ? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି ।
35ଯୀଶୁ ତାହାକୁ ଧମକ ଦେଇ କହିଲେ ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା । 36ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା ? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି । 37ସେଥିରେ ତାହାଙ୍କ ବିଷୟରେ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସବୁଆଡ଼େ ବ୍ୟାପିଗଲା ।
ଅନେକ ଲୋକଙ୍କ ସୁସ୍ଥତା
(ମାଥିଉ 8:14-17; ମାର୍କ 1:29-34)
38ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ । ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ । 39ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ ।
40ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ । 41ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ୱରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ । ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ ।
ଉପାସନା ଗୃହମାନଙ୍କରେ ଯୀଶୁଙ୍କ ପ୍ରଚାର
(ମାର୍କ 1:35-39)
42ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ । 43କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି ।
44ପୁଣି, ସେ ଯିହୂଦା ଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ ।
Currently Selected:
ଲୂକ 4: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0