ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7
7
ଦୋଷାର୍ଥକ ବଳିଦାନ
1“ଆଉ, ଦୋଷାର୍ଥକ ବଳିର ବ୍ୟବସ୍ଥା ଏହି; ତାହା ମହାପବିତ୍ର। 2ଯେଉଁ ସ୍ଥାନରେ ଲୋକମାନେ ହୋମବଳି ବଧ କରନ୍ତି, ସେହି ସ୍ଥାନରେ ସେମାନେ ଦୋଷାର୍ଥକ ବଳି ବଧ କରିବେ; ପୁଣି, ଯାଜକ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବ। 3ଆଉ, ସେ ତାହାର ସବୁ ମେଦ, ଅର୍ଥାତ୍, ମେଦମୟ ଲାଙ୍ଗୁଳ, ଅନ୍ତ ଆଚ୍ଛାଦକ ମେଦ, ଦୁଇ ଗୁର୍ଦା ଓ 4ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ, ଓ ଦୁଇ ଗୁର୍ଦା ସହିତ ଯକୃତର ଉପରିସ୍ଥ ଅନ୍ତପ୍ଲାବକ ନେଇ ଉତ୍ସର୍ଗ କରିବ। 5ପୁଣି, ଯାଜକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରାର୍ଥେ ବେଦି ଉପରେ ତାହାସବୁ ଦଗ୍ଧ କରିବ; ଏହା ଦୋଷାର୍ଥକ ବଳି। 6ଯାଜକଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ; ତାହା ମହାପବିତ୍ର।
7ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ୱାରା ପ୍ରାୟଶ୍ଚିତ୍ତ କରେ, ତାହା ତାହାରି ହେବ; ଦୁଇଟିର ବ୍ୟବସ୍ଥା ଏକ। 8ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ, ତାହାର ସେହି ଉତ୍ସର୍ଗିତ ହୋମବଳି ପଶୁର ଚର୍ମ ସେହି ଯାଜକର ନିଜ ପାଇଁ ହେବ। 9ପୁଣି, ତନ୍ଦୁରରେ ବା କରେଇରେ ଅବା ପଲମରେ ରନ୍ଧନ ହୋଇଥିବା ଯେତେ ଭକ୍ଷ୍ୟ ନୈବେଦ୍ୟ, ତାହା ସବୁ ଉତ୍ସର୍ଗକାରୀ ଯାଜକର ହେବ। 10ମାତ୍ର ତୈଳ ମିଶ୍ରିତ ବା ଶୁଷ୍କ ଭକ୍ଷ୍ୟ ନୈବେଦ୍ୟ ସବୁ ହାରୋଣଙ୍କର ପୁତ୍ରଗଣ ମଧ୍ୟରେ ପ୍ରତ୍ୟେକଙ୍କର ସମାନ ଅଂଶ ହେବ।”
ମଙ୍ଗଳାର୍ଥକ ଉପହାର ବଳି
11“ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ମଙ୍ଗଳାର୍ଥକ ଉପହାର ବଳିର ବ୍ୟବସ୍ଥା ଏହି। 12କେହି ଯଦି ପ୍ରଶଂସାର୍ଥକ ବଳି ଆଣେ, ତେବେ ସେ ପ୍ରଶଂସାର୍ଥକ ବଳି ସହିତ ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା, ତୈଳଲେପିତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳ ମିଶ୍ରିତ ରନ୍ଧନ ହୋଇଥିବା ପିଠା ଉତ୍ସର୍ଗ କରିବ। 13ଆଉ, ସେ ମଙ୍ଗଳାର୍ଥକ ପ୍ରଶଂସା ବଳି ସହିତ ତାଡ଼ିଯୁକ୍ତ ରୁଟିର ପିଠା ଦେଇ ଆପଣା ଉପହାର ଆଣିବ। 14ତହୁଁ ସେ ପ୍ରତ୍ୟେକ ଉପହାରରୁ ଏକ ଏକ ପିଠା ନେଇ ଉତ୍ତୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିବ, ତାହା ତାହାରି ହେବ। 15ପୁଣି, ମଙ୍ଗଳାର୍ଥକ ପ୍ରଶଂସା ବଳିର ମାଂସ ତାହାର ଉତ୍ସର୍ଗ ଦିନରେ ଭୋଜନ କରାଯିବ; ସେ ପ୍ରାତଃକାଳ ପର୍ଯ୍ୟନ୍ତ ତହିଁରୁ କିଛି ରଖିବ ନାହିଁ।
16ମାତ୍ର ଯଦି ସେହି ଉପହାର ବଳି ତାହାର ମାନତ ବା ସ୍ୱେଚ୍ଛାଦତ୍ତ ନୈବେଦ୍ୟ ହୁଏ, ତେବେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ; ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ, ତାହା ଆରଦିନ ପ୍ରାତଃକାଳରେ ଭୋଜନ କରାଯିବ। 17ମାତ୍ର ତୃତୀୟ ଦିନରେ ବଳିର ଅବଶିଷ୍ଟ ମାଂସ ଅଗ୍ନିରେ ଦଗ୍ଧ କରାଯିବ। 18ଯଦି ତୃତୀୟ ଦିନରେ ତାହାର ସେହି ମଙ୍ଗଳାର୍ଥକ ଉପହାର ବଳିରୁ କିଛିମାତ୍ର ଭୋଜନ କରାଯାଏ, ତେବେ ତାହା ଗ୍ରାହ୍ୟ ହେବ ନାହିଁ, କିଅବା ତହିଁର ଉତ୍ସର୍ଗକାରୀ ପକ୍ଷରେ ତାହା ଗଣାଯିବ ନାହିଁ; ତାହା ଘୃଣାଯୋଗ୍ୟ ହେବ, ପୁଣି ଯେଉଁ ପ୍ରାଣୀ ତାହା ଭୋଜନ କରେ, ସେ ଆପଣା ଅପରାଧ ବୋହିବ। 19ଆଉ, ସେହି ମାଂସ କୌଣସି ଅଶୁଚି ବସ୍ତୁରେ ଲାଗିଲେ, ତାହା ଭୋଜନ କରାଯିବ ନାହିଁ; ତାହା ଅଗ୍ନିରେ ଦଗ୍ଧ ହେବ। ଆଉ, ସେହି ଶୁଚି ମାଂସ ପ୍ରତ୍ୟେକ ଶୁଚି ଲୋକ ଭୋଜନ କରିବ। 20ମାତ୍ର ଯେଉଁ ପ୍ରାଣୀ ଆପଣା ଶରୀରରେ ଅଶୁଚିତା ଥାଉ ଥାଉ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 21ଯେବେ କେହି କୌଣସି ବସ୍ତୁ, ଅର୍ଥାତ୍, ମନୁଷ୍ୟର ଅଶୁଚିତା, କି ଅଶୁଚି ପଶୁ, କିଅବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରି ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ତେବେ ସେହି ଭୋଜନକାରୀ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
22ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ 23“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମ୍ଭେମାନେ ଗୋରୁର, କି ମେଷର କି ଛେଳିର ମେଦ ଭୋଜନ କରିବ ନାହିଁ। 24ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ। 25କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରେ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 26ପୁଣି, ତୁମ୍ଭମାନଙ୍କର କୌଣସି ବାସ ସ୍ଥାନରେ ତୁମ୍ଭେମାନେ କୌଣସି ପକ୍ଷୀର କି ପଶୁର ରକ୍ତ ଭୋଜନ କରିବ ନାହିଁ। 27ଯେକୌଣସି ରକ୍ତ ଯିଏ ଭୋଜନ କରେ, ସେ ଯିଏ ହେଉ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
28ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, 29“ଯେକେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ। 30ତାହାର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଆଣିବ; ସେ ବକ୍ଷ ସହିତ ମେଦ ଆଣିବ, ତହିଁରେ ସେହି ବକ୍ଷ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ସାକ୍ଷାତରେ ଦୋଳାୟିତ ହେବ। 31ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ। 32ପୁଣି, ତୁମ୍ଭେମାନେ ଆପଣା ଆପଣା ମଙ୍ଗଳାର୍ଥକ ବଳିରୁ ଡାହାଣ ଜଙ୍ଘ ଉତ୍ତୋଳନୀୟ ଉପହାର ରୂପେ ଯାଜକକୁ ଦେବ। 33ହାରୋଣର ପୁତ୍ରଗଣଙ୍କ ମଧ୍ୟରେ ଯେକେହି ମଙ୍ଗଳାର୍ଥକ ବଳିର ରକ୍ତ ଓ ମେଦ ଉତ୍ସର୍ଗ କରେ, ସେ ଆପଣା ଅଂଶ ରୂପେ ମଙ୍ଗଳାର୍ଥକ ବଳିର ଡାହାଣ ଜଙ୍ଘ ପାଇବ। 34ଯେହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ ନେଇ ଇସ୍ରାଏଲ ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରୋଣ ଯାଜକକୁ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ।”
35ଯେଉଁ ଦିନ ମୋଶା ସଦାପ୍ରଭୁଙ୍କ ଛାମୁରେ ଯାଜକକର୍ମ କରିବା ନିମନ୍ତେ ହାରୋଣଙ୍କୁ ଓ ତାହାର ପୁତ୍ରଗଣଙ୍କୁ ଉପସ୍ଥିତ କରାଇଲେ, ସେହି ଦିନଠାରୁ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରୁ ଏହା ହିଁ ସେମାନଙ୍କର ଅଭିଷେକ ଅଂଶ; 36ସେ ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ। ତାହା ସେମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ଦେୟ। 37ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି ଓ ପଦନିଯୋଗାର୍ଥକ; ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା। 38ସଦାପ୍ରଭୁ ଯେଉଁ ଦିନ ସୀନୟ ପ୍ରାନ୍ତରସ୍ଥିତ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ଆପଣା ଉପହାର ଦେବାକୁ ଆଜ୍ଞା ଦେଲେ, ସେହି ଦିନ ସୀନୟ ପର୍ବତରେ ମୋଶାଙ୍କୁ ଆଜ୍ଞା ଦେଲେ।
Currently Selected:
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0