ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22
22
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଯାହା ପବିତ୍ର କରନ୍ତି, ତଦ୍ଦ୍ୱାରା ଆମ୍ଭର ପବିତ୍ର ନାମକୁ ଅପବିତ୍ର କରିବେ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ। 3ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।
4ପୁଣି, ହାରୋଣ ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନ ହେବା ପର୍ଯ୍ୟନ୍ତ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଇଁବ; 5ଅଥବା ଯାହା ଦ୍ୱାରା ସେ ଅଶୁଚି ହୋଇପାରେ, ଏପରି କୌଣସି ଉରୋଗାମୀ ଜନ୍ତୁକୁ, କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଇଁବ, 6ସେହି ସ୍ପର୍ଶକାରୀ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ସେ ଜଳରେ ଆପଣା ଶରୀର ନ ଧୋଇଲେ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। 7ତହିଁ ଉତ୍ତାରେ ସୂର୍ଯ୍ୟ ଅସ୍ତ ହେଲେ, ସେ ଶୁଚି ହୋଇ ପବିତ୍ର ଦ୍ରବ୍ୟ ଭୋଜନ କରିବ, କାରଣ ତାହା ତାହାର ଖାଦ୍ୟ ଅଟେ। 8ସେ ଆପଣାକୁ ଅଶୁଚି କରିବା ନିମନ୍ତେ ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ଜନ୍ତୁର ମାଂସ ଭୋଜନ କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ। 9ଏହେତୁ ସେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବେ; ନୋହିଲେ, ଯେବେ ସେମାନେ ତାହା ଅପବିତ୍ର କରନ୍ତି, ତେବେ ତହିଁ ସକାଶୁ ଆପଣା ଆପଣା ଅପରାଧ ବୋହିବ ଓ ତହିଁରେ ମରିବେ; ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ।
10ଆଉ, ଭିନ୍ନ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ; ଯାଜକର ଗୃହରେ ପ୍ରବାସୀ ଅବା ବେତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। 11ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ। 12ଆଉ ଯାଜକର କନ୍ୟା ଯଦି କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତା ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ। 13ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।
14ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ। 15ଏହିରୂପେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହା ସବୁ ଅପବିତ୍ର କରିବେ ନାହିଁ। 16ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
ଗ୍ରହଣୀୟ ନୈବେଦ୍ୟ
17ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, 18“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି, 19ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂ ପଶୁ ଉତ୍ସର୍ଗ କରିବେ। 20ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ।
21ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗ ପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ। 22ଅନ୍ଧ, ଭଗ୍ନ, ଛୋଟା, ଆବୁଆ, ଜାଦୁଆ କି ଖାରସ୍ତିଆ, ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ, କିଅବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦି ଉପରେ ଉତ୍ସର୍ଗ କରିବ ନାହିଁ। 23ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରି ପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ। 24ଆଉ, ଯାହାର କୋଷ ମଳା, ଛେଚା, ଭଙ୍ଗା, କଟା, ଏପରି (ପଶୁ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ; କିଅବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳି ଉତ୍ସର୍ଗ କରିବ ନାହିଁ। 25କିଅବା ବିଦେଶୀର ହସ୍ତରୁ ଏହିସବୁରୁ କିଛି ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ; କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି; ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ।”
26ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ, 27“ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ। 28ଆଉ, ଗୋରୁ କି ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ। 29ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ। 30ସେହି ଦିନ ତାହା ଭୋଜନ କରାଯିବ; ତୁମ୍ଭେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
31ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ। 32ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା। 33ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ; ଆମ୍ଭେ ସଦାପ୍ରଭୁ ଅଟୁ।”
Currently Selected:
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0