ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15
15
ପ୍ରମେହ ରୋଗ ସମ୍ବନ୍ଧୀୟ ବିଧି
1ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯଦି ପୁରୁଷର ଶରୀରରେ ପ୍ରମେହ ରୋଗ ହୁଏ, ସେ ଆପଣାର ସେହି ପ୍ରମେହ ସକାଶୁ ଅଶୁଚି ହେବ। 3ପୁଣି ପ୍ରମେହ ସକାଶୁ ତାହାର ଅଶୁଚିତାର ବିଧି ଏହି; ତାହାର ଶରୀରରୁ ପ୍ରମେହ ଝରୁ ଥାଉ ଅବା ଶରୀରରେ ବନ୍ଦ ଥାଉ, ତାହା ତାହାର ଅଶୁଚିତା ଅଟେ। 4ପ୍ରମେହୀ ଲୋକ ଯେଉଁ ପ୍ରତ୍ୟେକ ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ ଓ ଯେଉଁ ପ୍ରତ୍ୟେକ ପଦାର୍ଥ ଉପରେ ସେ ବସେ, ତାହା ଅଶୁଚି ହେବ। 5ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 6ଆଉ, ଯେକୌଣସି ପଦାର୍ଥ ଉପରେ ପ୍ରମେହୀ ବସେ, ତହିଁ ଉପରେ ଯଦି କେହି ବସେ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 7ପୁଣି, ଯେକେହି ପ୍ରମେହୀର ଶରୀର ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 8ଆଉ, ପ୍ରମେହୀ ଯଦି ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 9ପୁଣି, ପ୍ରମେହୀ ଯେଉଁ ବାହନ ଉପରେ ଚଢ଼େ, ତାହା ଅଶୁଚି ହେବ। 10ଆଉ, ଯେକେହି ତାହାର ତଳସ୍ଥ କୌଣସି ବସ୍ତୁ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ପୁଣି ଯେକେହି ତାହା ବୋହିବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 11ପୁଣି, ପ୍ରମେହୀ ଆପଣା ହସ୍ତ ଜଳରେ ନ ଧୋଇ ଯାହାକୁ ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 12ପୁଣି, ପ୍ରମେହୀ ଯେଉଁ ମୃତ୍ତିକାପାତ୍ର ଛୁଇଁବ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ। 13ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।
14ପୁଣି, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ। 15ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମ ବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
16ଆଉ, ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 17ଆଉ, ଯେଉଁ ପ୍ରତ୍ୟେକ ବସ୍ତ୍ରରେ କି ଚର୍ମରେ ବୀର୍ଯ୍ୟପାତ ହୁଏ, ତାହା ଜଳରେ ଧୋଇବ ଓ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 18ମଧ୍ୟ ସେ ସ୍ତ୍ରୀ, ଯାହା ସଙ୍ଗେ ସ୍ଖଳିତ ବୀର୍ଯ୍ୟ ପୁରୁଷ ଶୟନ କରିବ, ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
19ଆଉ, ଯଦି ସ୍ତ୍ରୀ ରଜସ୍ୱଳା ହୁଏ ଓ ତାହାର ଦେହରୁ ରକ୍ତ ଝରେ, ତେବେ ସେ ସାତଦିନ ଆପଣା ଅଶୁଚିତାରେ ରହିବ; ପୁଣି, ଯେକେହି ତାହାକୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 20ଆଉ ସେ ଆପଣା ସ୍ତ୍ରୀଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ହେବ ଓ ଯହିଁ ଉପରେ ସେ ବସିବ, ତାହା ଅଶୁଚି ହେବ। 21ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22ପୁଣି, ଯେକେହି ତାହାର ବସିବାର କୌଣସି ଆସନ ଉପରେ ବସେ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 23ଆଉ, ତାହାର ଶଯ୍ୟା କି ଆସନ ଉପରେ କିଛି ଥିଲେ, ଯେକେହି ତାହା ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 24ଆଉ, ଯେଉଁ ପୁରୁଷ ତାହା ସଙ୍ଗେ ଶୟନ କରେ ଓ ତାହାର ରଜ ତାହାଠାରେ ଲାଗେ, ସେ ସାତ ଦିନ ଅଶୁଚି ରହିବ; ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ।
25ଆଉ, ସ୍ତ୍ରୀର ରଜଧର୍ମ ସମୟ ଛଡ଼ା ଯେବେ କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିଅବା ସ୍ତ୍ରୀର ରଜଧର୍ମ ସମୟ ଉତ୍ତାରେ ଯେବେ ରକ୍ତସ୍ରାବ ହୁଏ; ତେବେ ଯେପରି ସ୍ତ୍ରୀର ରଜଧର୍ମ ସମୟରେ, ସେପରି ଅଶୁଚି ରକ୍ତସ୍ରାବର ସକଳ ଦିନ ହେବ, ସେ ଅଶୁଚି ଅଟେ। 26ସେହି ରକ୍ତସ୍ରାବର ସକଳ ଦିନ ଯେକୌଣସି ଶଯ୍ୟାରେ ସେ ଶୟନ କରେ, ତାହା ସ୍ତ୍ରୀଧର୍ମ ସମୟର ଶଯ୍ୟା ସଦୃଶ ଅଶୁଚି ହେବ, ଆଉ ସେ ଯେକୌଣସି ଆସନରେ ବସେ, ତାହା ସ୍ତ୍ରୀର ରଜଧର୍ମ ସମୟର ଅଶୁଚିତା ସଦୃଶ ଅଶୁଚି ହେବ। 27ପୁଣି, ଯେକେହି ସେହି ସମସ୍ତ ଛୁଇଁବ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28ମାତ୍ର ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆପଣା ନିମନ୍ତେ ସାତ ଦିନ ଗଣନା କରିବ, ତହିଁ ଉତ୍ତାରେ ସେ ଶୁଚି ହେବ।
29ପୁଣି, ଅଷ୍ଟମ ଦିନରେ ସେ ଆପଣା ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବ। 30ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମ ବଳି ରୂପେ ଉତ୍ସର୍ଗ କରିବ; ଆଉ, ଯାଜକ ତାହାର ରକ୍ତସ୍ରାବର ଅଶୁଚିତା ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
31ଏହିରୂପେ ଇସ୍ରାଏଲ ସନ୍ତାନଗଣ ସେମାନଙ୍କର ମଧ୍ୟବର୍ତ୍ତୀ ଆମ୍ଭର ଆବାସ ଅଶୁଚି କଲେ, ଯେପରି ସେମାନେ ଆପଣାମାନଙ୍କ ଅଶୁଚିତାରେ ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ଅଶୁଚିତାରୁ ପୃଥକ୍ କରିବ। 32ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର, 33ପୁଣି ରଜସ୍ୱଳା ସ୍ତ୍ରୀର ଓ ପ୍ରମେହୀ ପୁରୁଷ ଓ ସ୍ତ୍ରୀର, ଆଉ, ସ୍ତ୍ରୀର ଅଶୁଚିତା ସମୟରେ ତାହା ସହିତ ଶୟନକାରୀ ପୁରୁଷର, ଏହି ବ୍ୟବସ୍ଥା।”
Currently Selected:
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0