ଯିହୋଶୂୟ 9
9
ଗିବୀୟୋନ୍ର ପ୍ରତାରଣା
1ଏଥିଉତ୍ତାରେ ଯର୍ଦ୍ଦନ ଏପାରସ୍ଥ ସମୁଦାୟ ରାଜାଗଣ, ଅର୍ଥାତ୍, ପର୍ବତ ଓ ତଳଭୂମି ନିବାସୀ ଓ ଲିବାନୋନ ସମ୍ମୁଖସ୍ଥ ମହାସମୁଦ୍ରର ସମସ୍ତ ତୀର ନିବାସୀ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ରାଜାଗଣ ଏହି କଥା ଶୁଣିଲେ; 2ତହିଁରେ ସେମାନେ ଏକ ମନରେ ଯିହୋଶୂୟ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ। 3ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବୀୟୋନ୍ ନିବାସୀମାନେ ଶୁଣିଲେ, 4ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ, ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଦଭ ଉପରେ ପୁରୁଣା ଅଖା, ପୁଣି ପୁରୁଣା ଓ ଚିରା ଓ ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ପା ଲଦିଲେ; 5ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା, ପୁଣି ଦେହରେ ପୁରୁଣା ଲୁଗା ଦେଲେ; ପୁଣି ସେମାନଙ୍କ ପାଥେୟ ରୁଟି ଶୁଖିଲା ଓ ଗମରା ହୋଇ ଯାଇଥିଲା। 6ଏହିରୂପେ ସେମାନେ ଗିଲ୍ଗଲ୍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର।” 7ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ?” 8ତହୁଁ ସେମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କର ଦାସ।” ତେବେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଏ ? ପୁଣି କେଉଁଠାରୁ ଆସିଅଛ ?” 9ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି; କାରଣ ତାହାଙ୍କର କୀର୍ତ୍ତି ଓ ସେ ମିସରରେ ଯେସମସ୍ତ କର୍ମ କରିଅଛନ୍ତି।” 10ପୁଣି ସେ ଯର୍ଦ୍ଦନ ସେପାରିସ୍ଥ ହିଷ୍ବୋନ-ରାଜା ସୀହୋନ ଓ ଅଷ୍ଟାରୋତ୍ ନିବାସୀ ବାଶନ-ରାଜା ଓଗ୍, ଇମୋରୀୟମାନଙ୍କ ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି, ତାହାସବୁ ଆମ୍ଭେମାନେ ଶୁଣିଅଛୁ। 11ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ‘ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ।’” 12ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୁଟି ଆଣିଥିଲୁ; ମାତ୍ର ଏବେ ଦେଖନ୍ତୁ, ତାହା ଶୁଖିଲା ଓ ଗମରା ହୋଇ ଯାଇଅଛି। 13ପୁଣି ଏହି ଯେସବୁ ଦ୍ରାକ୍ଷାରସ-କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି। 14ତହିଁରେ (ଇସ୍ରାଏଲ) ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ। 15ପୁଣି ଯିହୋଶୂୟ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ। 16ଏହିରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନି ଦିନ ଗତ ହୁଅନ୍ତେ, ସେମାନେ ଶୁଣିଲେ ଯେ, ଏମାନେ ଆମ୍ଭମାନଙ୍କ ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। 17ଏଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ। ଗିବୀୟୋନ୍ ଓ କଫୀରା ଓ ବେରୋତ ଓ କିରୀୟଥ୍-ଯିୟାରୀମ୍ ସେମାନଙ୍କ ନଗର ଥିଲା। 18ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। 19ତହିଁରେ ଅଧିପତିଗଣ ସମସ୍ତ ମଣ୍ଡଳୀକି କହିଲେ, “ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ।” 20ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା; ନୋହିଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ, ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ। 21ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ। 22ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ” ଏହା କହି କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ। 23ଏନିମନ୍ତେ ଏବେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ; ଆମ୍ଭ ପରମେଶ୍ୱରଙ୍କ ଗୃହର କାଠକଟାଳୀ ଓ ଜଳକଢ଼ାଳୀ ହେବା ପାଇଁ ତୁମ୍ଭମାନଙ୍କ ମଧ୍ୟରୁ ବନ୍ଧାଦାସର ଅଭାବ ହେବ ନାହିଁ। 24ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର କରି କହିଲେ, ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି; ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ। 25ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ। 26ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ। 27ଆଉ ଯିହୋଶୂୟ ସେମାନଙ୍କୁ ସେହି ଦିନରୁ ଆଜିଯାଏ, ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ କଲେ।
Currently Selected:
ଯିହୋଶୂୟ 9: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0