ବିଚାରକର୍ତ୍ତା 8
8
ସେବହ, ସଲମୁନ୍ନର ପରାଜୟ
1ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍ଙ୍କୁ କହିଲେ, ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ। 2ଏଥିରେ ସେ ସେମାନଙ୍କୁ କହିଲେ, ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି ? ଅବୀୟେଷ୍ରୀୟର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରୟିମର ଦ୍ରାକ୍ଷାଫଳ ରାଁ କରିବାର ଶ୍ରେଷ୍ଠ ନୁହେଁ ? 3ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍ ଓ ସେବ୍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି ? ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା। 4ଏଉତ୍ତାରେ ଗିଦିୟୋନ୍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି। 5ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି। 6ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ ? 7ତହିଁରେ ଗିଦିୟୋନ୍ କହିଲେ, ଏ ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋ’ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି। 8ତହୁଁ ସେ ସେଠାରୁ ପନୂୟେଲକୁ ଉଠି ଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। 9ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, ମୁଁ କୁଶଳରେ ଫେରି ଆସିଲେ#8:9 ଅର୍ଥାତ୍ ଶତ୍ରୁମାନଙ୍କୁ ପରାସ୍ତ କରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।#8:9 ଯାହା କାନ୍ଥ ଉପରେ ନିର୍ମିତ ଗଡ଼ 10ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ। 11ଏ ଉତ୍ତାରେ ଗିଦିୟୋନ୍ ନୋବହ ଓ ଯଗ୍ବିହର ପୂର୍ବଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠି ଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ। 12ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍ବିଗ୍ନ କଲେ। 13ତହୁଁ ଯୋୟାଶ୍ର ପୁତ୍ର ଗିଦିୟୋନ୍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ। 14ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା। 15ଏଥିଉତ୍ତାରେ ସେ ସୁକ୍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, “ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ ?” 16ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ। 17ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ। 18ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ ? ତହିଁରେ ସେମାନେ ଉତ୍ତର କଲେ, ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ। 19ତେବେ ସେ କହିଲେ, ସେମାନେ ତ ମୋହର ଭାଇ, ମୋ’ ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାଆନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ। 20ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, ଉଠ, ସେମାନଙ୍କୁ ବଧ କର, ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା। 21ତହିଁରେ ସେବହ ଓ ସଲମୁନ୍ନ କହିଲେ, ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ। ଏ ଉତ୍ତାରେ ଗିଦିୟୋନ୍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ।
ଗିଦିୟୋନ୍ଙ୍କ ଏଫୋଦ
22ଏଥିଉତ୍ତାରେ ଇସ୍ରାଏଲ ଲୋକମାନେ ଗିଦିୟୋନ୍ଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ। 23ତହିଁରେ ଗିଦିୟୋନ୍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋ’ ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। 24ପୁଣି ଗିଦିୟୋନ୍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ। କାରଣ ସେମାନେ ଇଶ୍ମାୟେଲୀୟ ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା। 25ତହିଁରେ ସେମାନେ ଉତ୍ତର କଲେ, ଆମ୍ଭେମାନେ ତାହା ଅବଶ୍ୟ ଦେବୁ। ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକେ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ। 26ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦୀୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କ ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ ଏକ ସହସ୍ର ସାତ ଶହ ଶେକଲ ସୁବର୍ଣ୍ଣ ହେଲା। 27ତହୁଁ ଗିଦିୟୋନ୍ ତହିଁରେ ଏକ ଏଫୋଦ#8:27 ଏହାର ଅର୍ଥ ପାଇଁ ଦେଖନ୍ତୁ ଯାତ୍ରା. ୨୮ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା। 28ଏହିରୂପେ ମିଦୀୟନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତହୁଁ ଗିଦିୟୋନ୍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।
ଗିଦିୟୋନ୍ଙ୍କ ମୃତ୍ୟୁୁ
29ଏଥିଉତ୍ତାରେ ଯୋୟାଶ୍ର ପୁତ୍ର ଯିରୁବ୍ବାଲ୍#8:29 ଗିଦିୟୋନ୍ର ଅନ୍ୟ ନାମ ଯାଇ ତାଙ୍କ ନିଜ ଗୃହରେ ବାସ କଲେ। 30ସେହି ଗିଦିୟୋନ୍ର ଔରସଜାତ ସତୁରି ଜଣ ପୁତ୍ର ଥିଲେ; କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ। 31ପୁଣି ଶିଖିମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା, ତହିଁରେ ସେ ତାହାର ନାମ ଅବୀମେଲକ୍ ରଖିଲେ। 32ଏଥିଉତ୍ତାରେ ଯୋୟାଶ୍ର ପୁତ୍ର ଗିଦିୟୋନ୍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ, ପୁଣି ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ତାଙ୍କ ପିତା ଯୋୟାଶ୍ର କବରରେ କବର ପାଇଲେ। 33ଏଥିଉତ୍ତାରେ ଗିଦିୟୋନ୍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍-ଦେବତାଗଣର ପଶ୍ଚାଦ୍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍-ବରୀତକୁ#8:33 ଅର୍ଥାତ୍ ଆପଣାମାନଙ୍କର ଦେବତା ମାନିଲେ। 34ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ। 35କିଅବା ଯିରୁବ୍ବାଲ୍, ଅର୍ଥାତ୍, ଗିଦିୟୋନ୍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।
Currently Selected:
ବିଚାରକର୍ତ୍ତା 8: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0