ବିଚାରକର୍ତ୍ତା 4
4
ଦବୋରା ଓ ବାରକ୍
1ଏଥିଉତ୍ତାରେ ଏହୂଦଙ୍କର ମୃତ୍ୟୁୁ ପରେ, ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ। 2ତହିଁରେ ସଦାପ୍ରଭୁ ହାସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀନ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍-ନିବାସୀ ସୀଷରା ତାହାର ସେନାପତି ଥିଲା। 3ଏଥିରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ; କାରଣ ତାହାର ନଅ ଶହ ଲୌହ ରଥ ଥିଲା; ପୁଣି ସେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ପ୍ରତି ଶୋଷଣ ଓ କଠୋର ଅତ୍ୟାଚାର କଲା। 4ସେସମୟରେ ଲପ୍ପିଦୋତର ଭାର୍ଯ୍ୟା ଦବୋରା ଭବିଷ୍ୟଦ୍ବକ୍ତ୍ରୀ ଇସ୍ରାଏଲର ବିଚାର କଲେ। 5ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବେଥେଲ୍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁରବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ। 6ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍କୁ ଡକାଇ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ ? 7ତହିଁରେ ଆମ୍ଭେ ଯାବୀନ୍ର ସେନାପତି ସୀଷରାକୁ ଓ ତାହାର ରଥ ଓ ଜନତାକୁ କୀଶୋନ୍ ନଦୀ ନିକଟକୁ ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା। 8ତହୁଁ ବାରକ୍ ଦବୋରାଙ୍କୁ କହିଲା, ତୁମ୍ଭେ ଯେବେ ମୋ’ ସଙ୍ଗେ ଯିବ, ତେବେ ମୁଁ ଯିବି; ମାତ୍ର ତୁମ୍ଭେ ମୋ’ ସଙ୍ଗେ ନ ଗଲେ, ମୁଁ ଯିବି ନାହିଁ। 9ତେବେ ସେ କହିଲେ, ମୁଁ ନିଶ୍ଚୟ ତୁମ୍ଭ ସଙ୍ଗେ ଯିବି; ତଥାପି ଏହି ଯାତ୍ରାରେ ତୁମ୍ଭର ଯଶ ହେବ ନାହିଁ; କାରଣ ସଦାପ୍ରଭୁ ସୀଷରାକୁ ଏକ ସ୍ତ୍ରୀ ହସ୍ତରେ ବିକ୍ରୟ କରିବେ। ଏ ଉତ୍ତାରେ ଦବୋରା ଉଠି ବାରକ୍ ସଙ୍ଗରେ କେଦଶକୁ ଗଲେ। 10ପୁଣି ବାରକ୍, ସବୂଲୂନ ଓ ନପ୍ତାଲିକି ଏକତ୍ର କେଦଶକୁ ଡକାଇଲା; ଏରୂପେ ସେ ଦଶ ହଜାର ପଦାତିକ ସୈନ୍ୟ ଆପଣା ସଙ୍ଗରେ ଘେନି ଯାତ୍ରା କଲା ଓ ଦବୋରା ତାହା ସଙ୍ଗେ ଗଲେ। 11ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍, ମୋଶାଙ୍କ ପତ୍ନୀ-ଭ୍ରାତା ହୋବବ୍ର ସନ୍ତାନମାନଙ୍କଠାରୁ ପୃଥକ୍ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ୍ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା। 12ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି। 13ତହିଁରେ ସୀଷରା ଆପଣାର ନଅ ଶହ ଲୌହରଥ ଯାକ ଓ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଆପଣା ସଙ୍ଗୀ ସମସ୍ତ ଲୋକଙ୍କୁ ଏକତ୍ର କଲା। 14ସେତେବେଳେ ଦବୋରା ବାରକ୍କୁ କହିଲେ, ଉଠ, କାରଣ ଆଜି ସଦାପ୍ରଭୁ ସୀଷରାକୁ ତୁମ୍ଭ ହସ୍ତରେ ସମର୍ପଣ କରିବାର ଦିନ; ସଦାପ୍ରଭୁ କି ତୁମ୍ଭର ଅଗ୍ରଗାମୀ ହୋଇ ଯାଇ ନାହାନ୍ତି ? ତହିଁରେ ବାରକ୍ ଓ ତାହା ପଛେ ଦଶ ହଜାର ଲୋକ ତାବୋର ପର୍ବତରୁ ଓହ୍ଲାଇ ଗଲେ। 15ତହୁଁ ସଦାପ୍ରଭୁ ବାରକ୍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ୍ଗ ଧାରରେ ଅସ୍ତବ୍ୟସ୍ତ କଲେ; ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା। 16ମାତ୍ର ବାରକ୍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ୍ଗ ଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ। 17ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲା; କାରଣ ସେସମୟରେ ହାସୋରର ରାଜା ଯାବୀନ୍ ଓ କେନୀୟ ହେବର-ବଂଶ ମଧ୍ୟରେ ଶାନ୍ତିଚୁକ୍ତି ଥିଲା। 18ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୁ, ଭିତରକୁ ଆସନ୍ତୁ, ମୋହର ନିକଟକୁ ଆସନ୍ତୁ, ଭୟ ନ କରନ୍ତୁ; ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା; 19ସେତେବେଳେ ସୀଷରା ତାହାକୁ କହିଲା, ମୋତେ ଟିକିଏ ଜଳ ପିଆଅନା; ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା। 20ଏଉତ୍ତାରେ ସୀଷରା ତାହାକୁ କହିଲା, ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ଏଠାରେ କୌଣସି ମନୁଷ୍ୟ ଅଛି କି ? ତେବେ ତୁମ୍ଭେ କହିବ, କେହି ନାହିଁ। 21ଏଥିଉତ୍ତାରେ ହେବରର ଭାର୍ଯ୍ୟା ଯାୟେଲ ତମ୍ବୁ-ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ, ତାହା ଫୁଟି ଭୂମିକି ଗଲା; କାରଣ ସେ ଘୋର ନିଦ୍ରାରେ ଥିଲା; ତେଣୁ ସେ ମୂର୍ଚ୍ଛିତ ହୋଇ ମଲା। 22ଆଉ ଦେଖ, ବାରକ୍ ସୀଷରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଯାୟେଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, ଆସ, ତୁମ୍ଭେ ଯାହାକୁ ଖୋଜୁଅଛ, ମୁଁ ସେହି ମନୁଷ୍ୟକୁ ଦେଖାଇବି। ତହିଁରେ ସେ ତାହା ନିକଟକୁ ଆସିଲା; ଆଉ ଦେଖ, ସୀଷରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣ ମୂଳ ଭିତରେ ତମ୍ବୁ ମେଖ ରହିଅଛି। 23ଏହିରୂପେ ପରମେଶ୍ୱର ସେହି ଦିନ କିଣାନୀୟ ରାଜା ଯାବୀନ୍ଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ନତ କଲେ। 24ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ କିଣାନୀୟ ରାଜା ଯାବୀନ୍ଙ୍କୁ ସଂହାର କରିବା ପର୍ଯ୍ୟନ୍ତ ସେହି କିଣାନୀୟ ରାଜା ଯାବୀନ୍ ବିରୁଦ୍ଧରେ ସେମାନଙ୍କ ହସ୍ତ ଆହୁରି ଆହୁରି ପ୍ରବଳ ହେଲା।
Currently Selected:
ବିଚାରକର୍ତ୍ତା 4: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0