YouVersion Logo
Search Icon

ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 46

46
ସପରିବାରେ ଯାକୁବଙ୍କ ମିସର ଯାତ୍ରା
1ଏଥିଉତ୍ତାରେ ଇସ୍ରାଏଲ ଆପଣା ସର୍ବସ୍ୱ ଘେନି ଯାତ୍ରା କଲେ, ପୁଣି, ବେର୍‍ଶେବାରେ ଓହ୍ଲାଇ ସେଠାରେ ଆପଣା ପିତା ଇସ୍‍ହାକଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ। 2ତହିଁରେ ପରମେଶ୍ୱର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, “ହେ ଯାକୁବ, ହେ ଯାକୁବ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।” 3ସେତେବେଳେ ସେ କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା। 4ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି, ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି, ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ।” 5ଏଥିଉତ୍ତାରେ ଯାକୁବ ବେର୍‍ଶେବାଠାରୁ ଯାତ୍ରା କଲେ; ପୁଣି, ତାଙ୍କୁ ନେବା ନିମନ୍ତେ ଫାରୋ ଯେଉଁ ଶଗଡ଼ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇ ଗଲେ। 6ଏଉତ୍ତାରେ ସେମାନେ, ଅର୍ଥାତ୍‍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ପହଞ୍ଚିଲେ। 7ଏହି ପ୍ରକାରେ ଯାକୁବ ଆପଣା ପୁତ୍ର ପୌତ୍ର, ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ। 8ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍‍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍। 9ରୁବେନ୍‌ର ପୁତ୍ର ହନୋକ, ପଲ୍ଲୂ, ହିଷ୍ରୋଣ ଓ କର୍ମି। 10ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ। 11ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି। 12ଯିହୁଦାର ପୁତ୍ର ଏର୍‍, ଓନନ୍‍, ଶେଲା, ପେରସ ଓ ସେରହ; ମାତ୍ର ଏର୍‍ ଓ ଓନନ୍‍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ। 13ଇଷାଖରର ସନ୍ତାନ ତୋଲୟ, ପୂୟ, ଯୋବ ଓ ଶିମ୍ରୋଣ। 14ସବୂଲୂନର ପୁତ୍ର ସେରଦ, ଏଲୋନ୍‍ ଓ ଯହଲେଲ। 15ଏମାନେ ଓ କନ୍ୟା ଦୀଣା ପଦ୍ଦନ୍‍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ। 16ଗାଦ୍‍ର ପୁତ୍ର ସିଫୋନ୍‍, ହଗି, ଶୂନୀ, ଇଷବୋନ୍‍, ଏରି, ଅରୋଦୀ ଓ ଅରେଲୀ। 17ଆଶେରର ପୁତ୍ର ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କ ଭଗିନୀ ସେରହ। ପୁଣି, ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ। 18ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ। 19ପୁଣି, ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମୀନ୍। 20ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍‍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା। 21ପୁଣି, ବିନ୍ୟାମୀନ୍‍ର ସନ୍ତାନ ବେଲା, ବେଖର, ଅସ୍‍ବେଲ, ଗେରା, ନାମାନ୍‍, ଏହୀ, ରୋଶ, ମୁପ୍‍ପୀମ, ହୁପ୍‍ପୀମ୍‍ ଓ ଅର୍ଦ। 22ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ। 23ଆଉ ଦାନ୍‌ର ପୁତ୍ର ହୂଶୀମ୍‍। 24ନପ୍ତାଲିର ପୁତ୍ର ଯହସୀୟେଲ, ଗୂନି, ଯେତ୍ସର ଓ ଶିଲ୍ଲେମ। 25ଲାବନ ଆପଣା କନ୍ୟା ରାହେଲକୁ ବିଲ୍‌ହା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ଜଣ। 26ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ। 27ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇଥିଲେ, ସେମାନେ ଦୁଇ ପ୍ରାଣୀ। ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ।
ଯାକୁବ ଓ ଯୋଷେଫଙ୍କ ପୁନର୍ମିଳନ
28ଏଥିଉତ୍ତାରେ ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ। 29ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି, ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ସମୟ ପର୍ଯ୍ୟନ୍ତ ରୋଦନ କଲେ। 30ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜି ପର୍ଯ୍ୟନ୍ତ ବଞ୍ଚିଅଛ।” 31ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, “ମୁଁ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋ’ ନିକଟକୁ ଆସିଅଛନ୍ତି।” 32ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ଆଣିଅଛନ୍ତି। 33ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ତୁମ୍ଭମାନଙ୍କର କେଉଁ ବ୍ୟବସାୟ ? ଏ କଥା ଯେତେବେଳେ ପଚାରିବେ, 34ସେତେବେଳେ ତୁମ୍ଭେମାନେ କହିବ, “ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 46