ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 46
46
ପର୍ବରେ ରାଜାଙ୍କ ଦାୟିତ୍ୱ
1ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ୱାର କାର୍ଯ୍ୟ କରିବାର ଛଅ ଦିନସାରା ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ। 2ପୁଣି, ଅଧିପତି ବାହାର ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରି ଦ୍ୱାର-ଚୌକାଠ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ୱାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। 3ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ। 4ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ। 5ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ। 6ଆଉ, ଅମାବାସ୍ୟା ଦିନ (ହୋମବଳି ନିମନ୍ତେ) ଏକ ନିର୍ଦ୍ଦୋଷ ଗୋବତ୍ସ ହେବ, ଛଅ ମେଷଶାବକ ଓ ଏକ ମେଷ ହେବ; ଏସବୁ ନିର୍ଦ୍ଦୋଷ ହେବେ; 7ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା, ମେଷ ସଙ୍ଗେ ଏକ ଐଫା ଓ ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ, ଆଉ ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ। 8ପୁଣି, ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ୱାର ବାରଣ୍ଡା ପଥ ଦେଇ ଭିତରେ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ। 9ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ୱାରର ପଥ ଦେଇ ବାହାରି ଯିବ ଓ ଯେଉଁ ଲୋକ ଦକ୍ଷିଣ ଦ୍ୱାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ୱାରର ପଥ ଦେଇ ବାହାରି ଯିବ; ସେ ଯେଉଁ ଦ୍ୱାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ। 10ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ। 11ଆଉ, ପର୍ବ ଓ ଉତ୍ସବାଦି ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଓ ଏକ ମେଷ ସଙ୍ଗେ ଏକ ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଓ ଏକ ଏକ ଐଫା ସଙ୍ଗେ ଏକ ଏକ ହିନ୍ ତୈଳ ଦେବେ। 12ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ୱାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତହୁଁ ସେ ବାହାରି ଯିବେ ଓ ବାହାରି ଗଲା ଉତ୍ତାରେ ଦ୍ୱାର ବନ୍ଦ କରାଯିବ। 13ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ। 14ଆଉ, ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବା ପାଇଁ ଏକ ହିନ୍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ; ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ। 15ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ। 16ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି : ଅଧିପତି ଯଦି ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ; ସେମାନେ ଉତ୍ତରାଧିକାର କ୍ରମେ ତାହା ଭୋଗ କରିବେ। 17ମାତ୍ର ସେ ଯଦି ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତି ବର୍ଷ ପର୍ଯ୍ୟନ୍ତ ତାହାର ହେବ; ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ; ତାଙ୍କ ଉତ୍ତରାଧିକାରୀତ୍ତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। 18ଆହୁରି, ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ; ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନଭିନ୍ନ ହୋଇ ନ ଯା’ନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ। 19ଏଉତ୍ତାରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରି-ଶ୍ରେଣୀକୁ ଆଣିଲେ; ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ ଭାଗରେ ଏକ ସ୍ଥାନ ଥିଲା।
ମନ୍ଦିର ପାକଶାଳା
20ପୁଣି, ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି, ପାପାର୍ଥକ ବଳି ସିଦ୍ଧ କରିବେ ଓ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ; ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହାସବୁ ଆଣିବେ ନାହିଁ।” 21ଏଉତ୍ତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ; ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। 22ପ୍ରାଙ୍ଗଣର ଚାରି କୋଣରେ ଚାଳିଶ ହାତ ଦୀର୍ଘ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀରବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା; କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା। 23ପୁଣି, ସେହି ଚାରିର ଭିତରେ ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନୀ ଥିଲା, ଆଉ ସେହିସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା। 24ଏଥିରେ ସେ ମୋତେ କହିଲେ, “ସବୁ ପାକ ଗୃହ, ଏସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”
Currently Selected:
ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 46: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0