Bible App logo
Search Icon

ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 3

3
1ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର; ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ।” 2ତହିଁରେ ମୁଁ ଆପଣା ମୁଖ ଫିଟାନ୍ତେ, ସେ ମୋତେ ସେହି ନଳାକାର ପୁସ୍ତକ ଭୋଜନ କରାଇଲେ। 3ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉ, ତାହା ତୁମ୍ଭେ ଜଠରରେ ଗ୍ରହଣ କରି ଆପଣା ଉଦର ପୂର୍ଣ୍ଣ କର !” ତହିଁରେ ମୁଁ ତାହା ଭୋଜନ କଲି; ଆଉ, ମିଷ୍ଟତା ସକାଶୁ ତାହା ମୋ’ ମୁଖକୁ ମଧୁପରି ଲାଗିଲା। 4ଏଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ସେମାନଙ୍କୁ ଆମ୍ଭର ବାକ୍ୟସକଳ କୁହ। 5କାରଣ ତୁମ୍ଭେ କୌଣସି ବିଦେଶୀୟ ଓ କଠିନ ଭାଷାବାଦୀ ଗୋଷ୍ଠୀ ନିକଟକୁ ପ୍ରେରିତ ନ ହୋଇ ଇସ୍ରାଏଲ ବଂଶ ନିକଟକୁ ପ୍ରେରିତ ହେଉଅଛ; 6ଯେଉଁମାନଙ୍କର ଭାଷା ତୁମ୍ଭେ ବୁଝି ନ ପାର, ଏପରି ବିଦେଶୀୟ ଓ କଠିନ ଭାଷାବାଦୀ ଅନେକ ଗୋଷ୍ଠୀ ନିକଟକୁ ତୁମ୍ଭେ ପ୍ରେରିତ ହେଉ ନାହଁ। ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପଠାଇଲେ, ସେମାନେ ନିଶ୍ଚୟ ତୁମ୍ଭର କଥା ଶୁଣନ୍ତେ। 7ମାତ୍ର ଇସ୍ରାଏଲ ବଂଶ ତୁମ୍ଭ କଥା ଶୁଣିବେ ନାହିଁ; କାରଣ ସେମାନେ ଆମ୍ଭ କଥା ଶୁଣିବେ ନାହିଁ; ସମୁଦାୟ ଇସ୍ରାଏଲ ବଂଶ ଶକ୍ତଗ୍ରୀବ ଓ କଠିନ ଚିତ୍ତ ଅଟନ୍ତି। 8ଦେଖ, ଆମ୍ଭେ ସେମାନଙ୍କ ମୁଖର ପ୍ରତିକୂଳରେ ତୁମ୍ଭର ମୁଖ ଓ ସେମାନଙ୍କ କପାଳର ପ୍ରତିକୂଳରେ ତୁମ୍ଭର କପାଳ ଦୃଢ଼ କରିଅଛୁ।” 9ଆମ୍ଭେ ଚକ୍‍ମକି ପ୍ରସ୍ତର ଅପେକ୍ଷା ଦୃଢ଼ ହୀରକ ତୁଲ୍ୟ ତୁମ୍ଭର କପାଳ କରିଅଛୁ; ସେମାନେ ବିଦ୍ରୋହୀ-ବଂଶ ହେଲେ ହେଁ ସେମାନଙ୍କୁ ଭୟ କର ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍‍ବିଗ୍ନ ହୁଅ ନାହିଁ। 10ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା କହିବା, ଆମ୍ଭର ସେହିସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। 11ପୁଣି, ତୁମ୍ଭ ଲୋକଙ୍କର ନିର୍ବାସିତ ସନ୍ତାନଗଣ ନିକଟକୁ ଯାଇ ସେମାନଙ୍କୁ କୁହ; ସେମାନେ ଶୁଣନ୍ତୁ ଅବା ନ ଶୁଣନ୍ତୁ, ସେମାନଙ୍କୁ ଜଣାଅ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।” 12ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇଲେ, ତହିଁରେ ମୁଁ ଆପଣା ପଶ୍ଚାତରେ, “ଧନ୍ୟ ସଦାପ୍ରଭୁଙ୍କର ମହିମା,” ଏହି କଥା ମହା ଖରତର ଶବ୍ଦର ନ୍ୟାୟ ତାହାଙ୍କ ସ୍ଥାନରୁ ଶୁଣିଲି। 13ପୁଣି, ସେହି ଜୀବିତ ପ୍ରାଣୀମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କରନ୍ତେ, ମୁଁ ତହିଁର ଶବ୍ଦ ଓ ସେମାନଙ୍କ ପାର୍ଶ୍ୱସ୍ଥ ଚକ୍ରର ଶବ୍ଦ, ଏହି ମହା ଖରତର ଶବ୍ଦ ଶୁଣିଲି। 14ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲେ; ତହୁଁ ମୁଁ ଦୁଃଖିତ ଓ ପରମେଶ୍ୱରଙ୍କ ଆତ୍ମାରେ ତାପିତ ହୋଇ ଗମନ କଲି, ପୁଣି, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ପ୍ରବଳ ଥିଲା। 15ତେବେ ମୁଁ ତେଲଆବୀବକୁ, କବାର ନଦୀତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି ଓ ସେମାନେ ଯେଉଁ ସ୍ଥାନରେ ବାସ କଲେ, ସେହି ସ୍ଥାନରେ ସେମାନଙ୍କ ମଧ୍ୟରେ ସ୍ତବ୍ଧ ହୋଇ ସାତ ଦିନ ବସି ରହିଲି।
ଇସ୍ରାଏଲ ପ୍ରତି ପ୍ରହରୀ
16ଏଥିଉତ୍ତାରେ ସାତ ଦିନ ସମାପ୍ତ ହେଲା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା: 17ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। 18ତୁମ୍ଭେ ନିଶ୍ଚୟ ମରିବ, ଏହି କଥା ଯେତେବେଳେ ଆମ୍ଭେ ଦୁଷ୍ଟକୁ କହୁ; ସେତେବେଳେ ତୁମ୍ଭେ ଯଦି ତାହାକୁ ଚେତନା ନ ଦିଅ, କିଅବା ତାହାର ପ୍ରାଣ ରକ୍ଷା ନିମନ୍ତେ ଚେତନା ଦେବା ପାଇଁ ସେହି ଦୁଷ୍ଟ ଲୋକକୁ ତାହାର କୁପଥ ବିଷୟରେ କିଛି ନ କୁହ; ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। 19ତଥାପି ତୁମ୍ଭେ ଯଦି ଦୁଷ୍ଟକୁ ଚେତନା ଦିଅ, ଆଉ ସେ ଆପଣା ଦୁଷ୍ଟତାରୁ ଓ ଆପଣା କୁପଥରୁ ନ ଫେରେ, ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ। 20ପୁନର୍ବାର କୌଣସି ଧାର୍ମିକ ଲୋକ ଯଦି ଆପଣା ଧର୍ମରୁ ଫେରି ଅଧର୍ମ କରେ ଓ ଆମ୍ଭେ ତାହା ସମ୍ମୁଖରେ ବାଧା ରଖୁ, ତେବେ ସେ ମରିବ; ତୁମ୍ଭେ ତାହାକୁ ଚେତନା ନ ଦେବା ସକାଶୁ ସେ ଆପଣା ପାପରେ ମରିବ ଓ ତାହାର ଧର୍ମକର୍ମସବୁ ସ୍ମରଣ କରାଯିବ ନାହିଁ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। 21ତଥାପି ଧାର୍ମିକ ଲୋକ ଯେପରି ପାପ ନ କରିବ, ଏଥିପାଇଁ ତୁମ୍ଭେ ଧାର୍ମିକ ଲୋକକୁ ଚେତନା ଦେଲେ, ସେ ଯଦି ପାପ ନ କରେ, ତେବେ ସେ ଚେତନା ଗ୍ରହଣ କରିବା ସକାଶୁ ନିଶ୍ଚୟ ବଞ୍ଚିବ ଓ ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ। 22ଏଥିଉତ୍ତାରେ ସେହି ସ୍ଥାନରେ ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠାନ କଲା; ପୁଣି, ସେ ମୋତେ କହିଲେ, “ତୁମ୍ଭେ ଉଠି ପଦାଭୂମିକୁ ବାହାରି ଯାଅ, ଆଉ ଆମ୍ଭେ ସେଠାରେ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବା” ! 23ତହିଁରେ ମୁଁ ଉଠି ପଦାଭୂମିକୁ ବାହାରି ଗଲି; ଆଉ ଦେଖ, କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ତାହାର ତୁଲ୍ୟ ସଦାପ୍ରଭୁଙ୍କର ମହିମା ସେହି ସ୍ଥାନରେ ଉପସ୍ଥିତ ହେଲା; ତହୁଁ ମୁଁ ଉବୁଡ଼ ହେଲି। 24ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ପୁଣି, ସେ ମୋ’ ସଙ୍ଗେ କଥାବାର୍ତ୍ତା କରି ମୋତେ କହିଲେ, “ଯାଅ, ତୁମ୍ଭେ ଆପଣା ଗୃହ ଭିତରେ ଆପଣାକୁ ରୁଦ୍ଧ କରି ରଖ। 25ମାତ୍ର ହେ ମନୁଷ୍ୟ ସନ୍ତାନ, ଦେଖ, ଲୋକମାନେ ତୁମ୍ଭ ଉପରେ ରଜ୍ଜୁ ଦେଇ ତଦ୍ଦ୍ୱାରା ତୁମ୍ଭକୁ ବାନ୍ଧିବେ, ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ; 26ପୁଣି, ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ତହିଁରେ ତୁମ୍ଭେ ଘୁଙ୍ଗା ହେବ ଓ ସେମାନଙ୍କର ଭର୍ତ୍ସନାକାରୀ ହେବ ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି। 27ମାତ୍ର ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା ସମୟରେ ତୁମ୍ଭ ମୁଖ ଫିଟାଇବା, ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଯେ ଶୁଣେ, ସେ ଶୁଣୁ ଓ ଯେ ନ ଶୁଣେ, ସେ ନ ଶୁଣୁ; କାରଣ ସେମାନେ ବିଦ୍ରୋହୀ ବଂଶ” !

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 3