YouVersion Logo
Search Icon

ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 38

38
ହୋମ ବେଦିର ନିର୍ମାଣ
1ଏଥିଉତ୍ତାରେ ସେ ଶିଟୀମ୍‍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥ ଓ ତିନି ହସ୍ତ ଉଚ୍ଚ ଏକ ଚତୁଷ୍କୋଣ ହୋମବେଦି ନିର୍ମାଣ କଲେ। 2ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ ନିର୍ମାଣ କରି ପିତ୍ତଳ ମଡ଼ାଇଲେ; ସେହି ଶୃଙ୍ଗସବୁ ତହିଁର ଅଂଶ ହେଲା। 3ଆଉ ସେ ବେଦିର ସମସ୍ତ ପାତ୍ର, ଅର୍ଥାତ୍‍, ଭସ୍ମଧାନୀ, କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ, ଏହି ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କଲେ। 4ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ। 5ପୁଣି, ସାଙ୍ଗୀର ଘରା ନିମନ୍ତେ ସେହି ପିତ୍ତଳ ଝାଞ୍ଜିରୀର ଚାରି କୋଣରେ ଚାରି କଡ଼ା ଢାଳିଲେ। 6ଆଉ, ସେ ଶିଟୀମ୍‍ କାଷ୍ଠରେ ସେହି ସାଙ୍ଗୀ ନିର୍ମାଣ କରି ପିତ୍ତଳରେ ମଡ଼ାଇଲେ। 7ବେଦି ବହନାର୍ଥେ ତହିଁର ପାର୍ଶ୍ୱ ଉପରେ ସେହି ସାଙ୍ଗୀ କଡ଼ାରେ ପ୍ରବେଶ କରାଇଲେ; ପୁଣି, ଫମ୍ପା ରଖି ପଟାରେ ବେଦି ନିର୍ମାଣ କଲେ।
ପିତ୍ତଳ ପ୍ରକ୍ଷାଳନ ପାତ୍ରର ନିର୍ମାଣ
8ଆଉ, ଯେଉଁ ସ୍ତ୍ରୀଗଣ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କଲେ, ସେହି ସେବାକାରିଣୀ ସ୍ତ୍ରୀଗଣର ପିତ୍ତଳ ନିର୍ମିତ ଦର୍ପଣ ଦ୍ୱାରା ସେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ନିର୍ମାଣ କଲେ।
ଆବାସର ପ୍ରାଙ୍ଗଣର ନିର୍ମାଣ
9ଏଥିଉତ୍ତାରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ; ଦକ୍ଷିଣ ଦିଗରେ ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକଶତ ହସ୍ତ ପରିମିତ ପରଦା କଲେ। 10ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର, ପୁଣି, ସେହି ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା। 11ଉତ୍ତର ଦିଗର ପରଦା ଏକଶତ ହସ୍ତ, ପୁଣି, ତହିଁର କୋଡ଼ିଏ ସ୍ତମ୍ଭ, କୋଡ଼ିଏ ଚୁଙ୍ଗୀ ପିତ୍ତଳର ଓ ସ୍ତମ୍ଭର ଆଙ୍କୁଡ଼ା ବନ୍ଧନୀ ରୂପାର ଥିଲା। 12ପଶ୍ଚିମ ପାର୍ଶ୍ୱର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା। 13ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ ପଚାଶ ହସ୍ତ ଥିଲା। 14ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା; 15ତଦ୍ରୂପେ ଅନ୍ୟ ପାର୍ଶ୍ୱ ନିମନ୍ତେ ଥିଲା। ପ୍ରାଙ୍ଗଣ-ଦ୍ୱାର ସନ୍ନିକଟ ଏ ପାର୍ଶ୍ୱରେ ଓ ସେ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା। 16ପ୍ରାଙ୍ଗଣର ଚତୁର୍ଦ୍ଦିଗର ସକଳ ପରଦା ବଳା ଶୁଭ୍ର କ୍ଷୌମସୂତ୍ରରେ ନିର୍ମିତ ଥିଲା। 17ପୁଣି, ସ୍ତମ୍ଭର ଚୁଙ୍ଗୀସବୁ ପିତ୍ତଳର ଥିଲା; ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର; ତହିଁର ମୁଣ୍ଡାଳି ରୌପ୍ୟ-ମଣ୍ଡିତ; ପୁଣି, ରୂପା-ବନ୍ଧନୀରେ ପ୍ରାଙ୍ଗଣର ସକଳ ସ୍ତମ୍ଭ ସଂଯୁକ୍ତ ଥିଲା। 18ଆଉ, ପ୍ରାଙ୍ଗଣ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକର୍ମବିଶିଷ୍ଟ ଓ ପ୍ରାଙ୍ଗଣର ପରଦା ତୁଲ୍ୟ ତାହା ଦୀର୍ଘରେ କୋଡ଼ିଏ ହସ୍ତ ଓ ପ୍ରସ୍ଥରେ ପାଞ୍ଚ ହସ୍ତ ଉଚ୍ଚ ଥିଲା। 19ପୁଣି, ତହିଁର ପିତ୍ତଳର ଚାରି ସ୍ତମ୍ଭ, ଚାରି ଚୁଙ୍ଗୀ, ରୂପାର ଆଙ୍କୁଡ଼ା ଓ ତହିଁର ମୁଣ୍ଡାଳି ରୌପ୍ୟ-ମଣ୍ଡିତ ଓ ବନ୍ଧନୀ ରୂପାର ଥିଲା। 20ପୁଣି, ଆବାସର ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର କଣ୍ଟାସବୁ ପିତ୍ତଳର ଥିଲା।
ଆବାସ ନିମନ୍ତେ ବ୍ୟବହୃତ ବସ୍ତୁ
21ଲେବୀୟ ଲୋକମାନଙ୍କର କାର୍ଯ୍ୟ ନିମନ୍ତେ ହାରୋଣ ଯାଜକଙ୍କର ପୁତ୍ର ଈଥାମରଙ୍କ ଦ୍ୱାରା ମୋଶାଙ୍କର ଆଜ୍ଞାନୁସାରେ ଆବାସର, ଅର୍ଥାତ୍‍, ସାକ୍ଷ୍ୟରୂପେ ଆବାସର ଗଣନୀୟ ବସ୍ତୁ ସମୂହର ଏହି ଗଣନା କରାଗଲା। 22ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯିହୁଦା ବଂଶଜାତ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ସେସବୁ ନିର୍ମାଣ କରିଥିଲେ। 23ଆଉ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକାରୀ, ଖୋଦକ ଓ ବିଜ୍ଞ ତନ୍ତୁବାୟ ଦାନ୍ ବଂଶଜାତ ଅହୀଷାମକଙ୍କ ପୁତ୍ର ଅହଲୀୟାବ ସହକାରୀ ଥିଲେ। 24ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା, ଅର୍ଥାତ୍‍, ନୈବେଦ୍ୟର; ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ଶେକଲାନୁସାରେ ଊନତ୍ରିଂଶ ତାଳନ୍ତ ସାତଶହ ତିରିଶ ଶେକଲ ଥିଲା। 25ପୁଣି, ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକଶହ ତାଳନ୍ତ ଏକ ସହସ୍ର ସାତଶହ ପଞ୍ଚସ୍ତରି ଶେକଲ#38:25 ପ୍ରାୟ ଏକ ହଜାର କିଲୋଗ୍ରାମ୍ ଥିଲା। 26ପ୍ରତ୍ୟେକ ଗଣିତ ଲୋକଙ୍କ ନିମନ୍ତେ, ଅର୍ଥାତ୍‍, ଯେଉଁମାନେ ବିଂଶତି ବର୍ଷ ବୟସ୍କ ଅବା ତହିଁରୁ ଅଧିକ ବୟସ୍କ ଥିଲେ, ସେହି ଛଅ ଲକ୍ଷ ତିନି ସହସ୍ର ପାଞ୍ଚଶହ ପଚାଶ ଲୋକଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ଏକ ଏକ ବେକା, ଅର୍ଥାତ୍‍, ପବିତ୍ର ସ୍ଥାନର ଶେକଲାନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେବାକୁ ହୋଇଥିଲା। 27ଏଣୁ ସେହି ଏକଶହ ତାଳନ୍ତ ରୂପାରେ#38:27 ୩,୩୦୦ କିଲୋଗ୍ରାମ୍ ରୂପା ପବିତ୍ର ସ୍ଥାନର ଓ ବିଚ୍ଛେଦ ବସ୍ତ୍ରର ଚୁଙ୍ଗୀ ଢଳାଗଲା; ଏକଶହ ଚୁଙ୍ଗୀ ନିମନ୍ତେ ଏକଶହ ତାଳନ୍ତ, ଅର୍ଥାତ୍‍, ଏକ ଏକ ଚୁଙ୍ଗୀ ନିମନ୍ତେ ଏକ ଏକ ତାଳନ୍ତ ବ୍ୟୟ ହେଲା। 28ପୁଣି, ସେହି ଏକ ସହସ୍ର ସାତଶହ ପଞ୍ଚସ୍ତରି ଶେକଲ#38:28 ଏକ ଶେକଲର ଓଜନ 11 ଗ୍ରାମ୍ ଅଟେ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଙ୍କୁଡ଼ା ନିର୍ମାଣ କଲେ ଓ ତହିଁର ମୁଣ୍ଡାଳି ମଣ୍ଡିତ ଓ ବନ୍ଧନୀରେ ସଂଯୁକ୍ତ କଲେ। 29ପୁଣି, ନୈବେଦ୍ୟର ପିତ୍ତଳ ସତୁରି ତାଳନ୍ତ ଦୁଇ ସହସ୍ର ଚାରିଶହ ଶେକଲ#38:29 ସର୍ବମୋଟ ପ୍ରାୟ ୨,୪୨୫ କିଲୋଗ୍ରାମ୍ ଥିଲା। 30ଏଣୁ ସେ ତାହା ଦ୍ୱାରା ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ, ପିତ୍ତଳର ବେଦି, ତହିଁର ପିତ୍ତଳର ଝାଞ୍ଜିରୀ ଓ ବେଦିର ସମସ୍ତ ପାତ୍ର, 31ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗର ଚୁଙ୍ଗୀ, ପ୍ରାଙ୍ଗଣ ଦ୍ୱାରର ଚୁଙ୍ଗୀ, ଆବାସର ସମସ୍ତ ମେଖ ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର ମେଖସକଳ ନିର୍ମାଣ କଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 38