Bible App logo
Search Icon

ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 5

5
ଦଶ ଆଜ୍ଞା
1ତହୁଁ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, “ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ, ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣ-ଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର। 2ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। 3ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ; ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ, ଆମ୍ଭ ସମସ୍ତଙ୍କ ସହିତ ତାହା କଲେ 4ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ କଥା କହିଲେ। 5ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଠିଆ ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା, 6ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। 7ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। 8ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ)। 9ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା; 10ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ। 11ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ନାମ ନେବ ନାହିଁ; ଯେହେତୁ ଯେକେହି ମିଥ୍ୟାରେ ତାହାଙ୍କ ନାମ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ। 12ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମଦିନ ପାଳନ କରି ପବିତ୍ର କର। 13ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; 14ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ତୁମ୍ଭର ଦାସୀ, ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର-ଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ। 15ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି। 16ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ। 17ତୁମ୍ଭେ ନରହତ୍ୟା କରିବ ନାହିଁ। 18କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ। 19କିଅବା ତୁମ୍ଭେ ଚୋରି କରିବ ନାହିଁ। 20କିଅବା ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ। 21କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, ତାହାର ଦାସ, କି ତାହାର ଦାସୀ, ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ। 22ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚୈଃସ୍ୱରରେ କହିଲେ, “ଆଉ କିଛି କହିଲେ ନାହିଁ। ତହୁଁ ସେ ଏହି ସମସ୍ତ କଥା ଦୁଇଖଣ୍ଡ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ ।” 23ମାତ୍ର ପର୍ବତ ଅଗ୍ନିରେ ଜ୍ୱଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି, ତୁମ୍ଭେମାନେ ଅର୍ଥାତ୍‍, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ, ମୋ’ ନିକଟକୁ ଆସିଲ; 24ପୁଣି, ତୁମ୍ଭେମାନେ କହିଲ, “ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଅଛୁ ଯେ, ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ସୁଦ୍ଧା ସେ ବଞ୍ଚିପାରେ।” 25ମାତ୍ର ଆମ୍ଭେମାନେ ଏବେ କାହିଁକି ମରିବା ? କାରଣ ଏହି ମହା-ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ; ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା। 26କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି ? 27ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା। 28ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, “ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି। 29ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା ! 30ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ବୁକୁ ଫେରି ଯାଅ। 31ମାତ୍ର ତୁମ୍ଭେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ, ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମ୍ଭେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ ତାହାସବୁ ଆମ୍ଭେ ତୁମ୍ଭକୁ କହିବା। 32ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ। 33ଯେପରି ତୁମ୍ଭେମାନେ ବଞ୍ଚିବ ଓ ତୁମ୍ଭମାନଙ୍କର ମଙ୍ଗଳ ହେବ, ପୁଣି ଯେଉଁ ଦେଶ ତୁମ୍ଭେମାନେ ଅଧିକାର କରିବ, ତହିଁରେ ଯେପରି ତୁମ୍ଭମାନଙ୍କର ଦୀର୍ଘ ପରମାୟୁ ହେବ, ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଯେଉଁ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 5