ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 34
34
ମୋଶାଙ୍କ ମୃତ୍ୟୁୁ
1ଏଥିଉତ୍ତାରେ ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ପିସ୍ଗା ଶୃଙ୍ଗ ଆରୋହଣ କଲେ। ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ; 2ପୁଣି, ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ; 3ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ। 4ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଯେଉଁ ଦେଶ ବିଷୟରେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ।” 5ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ। 6ପୁଣି, ସେ ମୋୟାବ ଦେଶରେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବରସ୍ଥାନ କେହି ଜାଣେ ନାହିଁ। 7ମରଣ କାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା; ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ ନ ଥିଲା। 8ଏଉତ୍ତାରେ ଇସ୍ରାଏଲ ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା। 9ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ। 10ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ 11ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେହିସବୁ ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ବିଷୟରେ, 12ପୁଣି, ମୋଶା ସମସ୍ତ ବାହୁବଳ ଏବଂ ଯେଉଁ ସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେହି ସବୁ ତୁଳନାରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍ବକ୍ତା ସେହି ଦିନଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି।
Currently Selected:
ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 34: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0