ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 26
26
ପ୍ରଥମ ଫଳ ଏବଂ ଦଶମାଂଶ
1ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ସେହି ଦେଶରେ ଉପସ୍ଥିତ ହୋଇ ତାହା ଅଧିକାର କରି ବାସ କଲେ; 2ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶର ଭୂମିଜାତ ସମସ୍ତ ପ୍ରଥମ ଫଳରୁ କିଛି କିଛି ରଖିବ ଓ ଚାଙ୍ଗୁଡ଼ିରେ ତାହା ନେଇ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ଗମନ କରିବ। 3ପୁଣି ତୁମ୍ଭେ ତତ୍କାଳୀନ ଯାଜକ ନିକଟକୁ ଯାଇ ତାହାକୁ କହିବ, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେହି ଦେଶରେ ଆମ୍ଭେ ଉପସ୍ଥିତ ହୋଇଅଛୁ, ଏହା ଆଜି ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ପ୍ରକାଶ କରୁଅଛୁ। 4ତହୁଁ ଯାଜକ ତୁମ୍ଭ ହସ୍ତରୁ ସେହି ଚାଙ୍ଗୁଡ଼ି ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବ। 5ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ, “ଏକଜଣ ଭ୍ରମଣକାରୀ ଅରାମୀୟ ଲୋକ ଆମ୍ଭର ପିତା ଥିଲା ଓ ସେ ଅଳ୍ପସଂଖ୍ୟକ ହୋଇ ମିସରକୁ ଯାଇ ପ୍ରବାସ କଲା; ପୁଣି ସେ ସ୍ଥାନରେ ସେ ମହାନ୍, ବଳବାନ ଓ ବହୁସଂଖ୍ୟକ ଏକ ଗୋଷ୍ଠୀ ହୋଇ ଉଠିଲା। 6ତହିଁରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କ୍ଳେଶ ଦେଇ କଠିନ ଦାସତ୍ୱ କରାଇଲେ। 7ତହୁଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ଡାକ ପକାଇଲୁ, ଆଉ ସଦାପ୍ରଭୁ ଆମ୍ଭମାନଙ୍କ ରବ ଶୁଣିଲେ ଓ ଆମ୍ଭମାନଙ୍କ କ୍ଳେଶ, ଶ୍ରମ ଓ ଅତ୍ୟାଚାର ଦେଖିଲେ। 8ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା, ବିସ୍ତୀର୍ଣ୍ଣ ବାହୁ ଦ୍ୱାରା, ମହାଭୟ ଓ ନାନା ଚିହ୍ନ ପୁଣି ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ। 9ଆଉ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି ଓ ଏହି ଦେଶ, ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଅଛନ୍ତି। 10ଏବେ, ହେ ସଦାପ୍ରଭୁ, ଦେଖ, ତୁମ୍ଭେ ଆମ୍ଭକୁ ଯେଉଁ ଭୂମି ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।” ଏଉତ୍ତାରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବ। 11ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ। 12ତୃତୀୟ ବର୍ଷରେ, ଅର୍ଥାତ୍, ଦଶମାଂଶ-ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟାଦିର ଦଶମାଂଶ ଦେବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ଲେବୀୟକୁ, ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ତାହା ଦେବ, ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ। 13ତହୁଁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଏହା କହିବ, ମୋ’ ପ୍ରତି ତୁମ୍ଭର ସମସ୍ତ ଆଜ୍ଞାନୁସାରେ ମୁଁ ଆପଣା ଗୃହରୁ ପବିତ୍ର ବସ୍ତୁ ବାହାର କରି ପୃଥକ ରଖିଅଛି, ମଧ୍ୟ ଲେବୀୟକୁ ଓ ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ଦେଇଅଛି; ମୁଁ ତୁମ୍ଭର କୌଣସି ଆଜ୍ଞା-ଲଙ୍ଘନ କରି ନାହିଁ, କିଅବା ତାହା ପାସୋରି ନାହିଁ। 14ମୁଁ ଆପଣା ଶୋକ ସମୟରେ ତହିଁରୁ କିଛି ଭୋଜନ କରି ନାହିଁ, ଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ, କିଅବା ମୃତ ଲୋକ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ କରିଅଛି, ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେହି ସମସ୍ତ ମୁଁ କରିଅଛି। 15ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର, ପୁଣି ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆଶୀର୍ବାଦ କର। 16ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ମାନିବ ଓ କରିବ, 17ତୁମ୍ଭେ ଆଜି ସ୍ୱୀକାର କରିଅଛ ଯେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଚାଲିବ ଓ ତାହାଙ୍କ ବିଧି, ଆଜ୍ଞା ଓ ଶାସନ ମାନିବ ଓ ତାହାଙ୍କ ରବରେ କର୍ଣ୍ଣପାତ କରିବ। 18ପୁଣି ସଦାପ୍ରଭୁ ଆଜି ଏହି ଅଙ୍ଗୀକାର କରିଅଛନ୍ତି ଯେ, ତାହାଙ୍କ ପ୍ରତିଜ୍ଞାନୁସାରେ ତୁମ୍ଭେ ତାହାଙ୍କର ସଞ୍ଚିତ ଧନ ହେବ ଓ ତାହାଙ୍କର ସମସ୍ତ ଆଜ୍ଞା ମାନିବ; 19ପୁଣି ସେ ତୁମ୍ଭକୁ ପ୍ରଶଂସାରେ, ନାମରେ ଓ ସମ୍ମାନରେ ଆପଣାର ସୃଷ୍ଟ ସମସ୍ତ ଦେଶୀୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ କରିବେ, ଆଉ ତୁମ୍ଭେ ତାହାଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ।
Currently Selected:
ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 26: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0