Bible App logo
Search Icon

ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 21

21
1ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ତହିଁ ମଧ୍ୟରେ ଯଦି କ୍ଷେତ୍ରରେ ପତିତ କୌଣସି ହତ ଲୋକ ଦେଖାଯାଏ, ମାତ୍ର ତାହାକୁ କିଏ ବଧ କରିଅଛି, ତାହା ଜଣା ନ ଯାଏ, 2ତେବେ ତୁମ୍ଭର ପ୍ରାଚୀନବର୍ଗ ଓ ବିଚାରକର୍ତ୍ତାମାନେ ବାହାରେ ଯାଇ ସେହି ହତ ଲୋକର ଚତୁପାର୍ଶ୍ୱସ୍ଥ କେଉଁ ନଗର କେତେ ଦୂର, ତାହା ମାପିବେ। 3ତହିଁରେ ଯେଉଁ ନଗର ସେହି ହତ ଲୋକର ନିକଟସ୍ଥ ହେବ, ତହିଁର ପ୍ରାଚୀନବର୍ଗ ଗୋଠରୁ ଏପରି ଏକ ଗାଭୀ ନେବେ, ଯାହା ଦ୍ୱାରା କେବେ ଯୁଆଳି ବହନାଦି କୌଣସି କର୍ମ କରାଯାଇ ନାହିଁ। 4ଆଉ ଯହିଁରେ ଚାଷ କି ବୁଣା ହୋଇ ନାହିଁ, ଏପରି ନିତ୍ୟ ଜଳସ୍ରୋତବାହୀ ତଳଭୂମିକୁ ସେହି ନଗରର ପ୍ରାଚୀନବର୍ଗ ସେହି ଗାଭୀକୁ ଆଣି ସେଠାରେ ତାହାର ବେକ ଭାଙ୍ଗିବେ। 5ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ। 6ତହିଁ ଉତ୍ତାରେ ହତ ଲୋକର ନିକଟସ୍ଥ ସେହି ନଗରର ସମସ୍ତ ପ୍ରାଚୀନବର୍ଗ ସେହି ତଳଭୂମିରେ ବେକଭଙ୍ଗା ଗାଭୀ ଉପରେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବେ। 7ଆଉ ସେମାନେ ଉତ୍ତର ଦେଇ କହିବେ, ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ, କିଅବା ଆମ୍ଭମାନଙ୍କ ଚକ୍ଷୁ ଏହା ଦେଖି ନାହିଁ। 8ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ। ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ; 9ଏହିରୂପେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ଆପଣା ମଧ୍ୟରୁ ନିରପରାଧର ରକ୍ତପାତ-ଦୋଷ ଦୂର କରିବ।
ଯୁଦ୍ଧ ବନ୍ଦିନୀମାନଙ୍କ ସମ୍ପର୍କରେ
10ତୁମ୍ଭେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗମନ କଲେ, ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେ ସେମାନଙ୍କୁ ବନ୍ଦୀ କରି ଘେନିଯାଅ; 11ପୁଣି ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ, ଯେବେ ତୁମ୍ଭେ ତାହାକୁ ବିବାହ କରିବାକୁ ଇଚ୍ଛା କର, 12ତେବେ ତୁମ୍ଭେ ତାହାକୁ ଆପଣା ଘରକୁ ଆଣିବ, ପୁଣି ସେ ଆପଣା ମସ୍ତକ ମୁଣ୍ଡନ କରି ନଖ କାଟିବ; 13ଆଉ ସେ ଆପଣା ବନ୍ଦୀତ୍ୱାବସ୍ଥାର ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ରହିବ, ଆପଣା ପିତା ଓ ଆପଣା ମାତା ନିମନ୍ତେ ପୂର୍ଣ୍ଣ ଏକ ମାସ ବିଳାପ କରିବ। ତହିଁ ଉତ୍ତାରେ ତୁମ୍ଭେ ତାହାର ସହବାସ କରିବ ଓ ତାହାର ସ୍ୱାମୀ ହେବ, ଆଉ ସେ ତୁମ୍ଭର ଭାର୍ଯ୍ୟା ହେବ। 14ଯେବେ ତାହା ଉପରେ ତୁମ୍ଭର ସନ୍ତୋଷ ନ ହୁଏ, ତେବେ ତାହାର ଇଚ୍ଛାନୁସାରେ ତାହାକୁ ଯିବାକୁ ଦେବ; ମାତ୍ର ତୁମ୍ଭେ ଟଙ୍କା ନେଇ କୌଣସି ପ୍ରକାରେ ତାହାକୁ ବିକିବ ନାହିଁ, ତୁମ୍ଭେ ତାହା ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ, କାରଣ ତୁମ୍ଭେ ତାହାର ସହବାସ କରିଅଛ।
ପ୍ରଥମଜାତର ପୈତୃକ ଅଧିକାର
15ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ; 16ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ। 17ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।
ଅବାଧ୍ୟ ପୁତ୍ରର ଦଣ୍ଡ
18ଯେବେ କାହାରି ପୁତ୍ର ଅବାଧ୍ୟ ଓ ବିରୋଧୀ ହୁଏ, ଆପଣା ପିତାର କଥା କି ଆପଣା ମାତାର କଥା ନ ମାନେ, ପୁଣି ସେମାନେ ତାହାକୁ ଶାସନ କଲେ ହେଁ ସେମାନଙ୍କ କଥା ନ ଶୁଣେ; 19ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗରଦ୍ୱାରକୁ ନେଇଯିବେ; 20ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।” 21ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।
ବିଭିନ୍ନ ବ୍ୟବସ୍ଥା
22ଆଉ କୌଣସି ମନୁଷ୍ୟ ମୃତ୍ୟୁୁଯୋଗ୍ୟ ପାପ କଲେ, ଯେବେ ତାହାର ପ୍ରାଣଦଣ୍ଡ ହୁଏ ଓ ତୁମ୍ଭେ ତାହାକୁ ବୃକ୍ଷରେ ଟଙ୍ଗାଇ ଦିଅ। 23ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହିଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 21