ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 10
10
ନୂତନ ପ୍ରସ୍ତର ଫଳକ
1ସେହି ସମୟରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳି ପର୍ବତ ଉପରେ ଆମ୍ଭ ନିକଟକୁ ଆସ, ପୁଣି ଆପଣା ପାଇଁ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କର।” 2ଆଉ ତୁମ୍ଭେ ଯେଉଁ ପ୍ରଥମ ପ୍ରସ୍ତର ଫଳକ ଭାଙ୍ଗିଲ, ତହିଁରେ ଯେଉଁ ଯେଉଁ ବାକ୍ୟ ଥିଲା, ତାହା ଆମ୍ଭେ ଏହି ପ୍ରସ୍ତର ଫଳକରେ ଲେଖିବା, ପୁଣି ତୁମ୍ଭେ ତାହା ଏହି ସିନ୍ଦୁକରେ ରଖିବ। 3ତହୁଁ ମୁଁ ଶିଟୀମ୍ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି। 4ଏଥିଉତ୍ତାରେ ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ। 5ଏଉତ୍ତାରେ ମୁଁ ମୁଖ ଫେରାଇ ପର୍ବତରୁ ଓହ୍ଲାଇଲି ଓ ମୋହର ନିର୍ମିତ ସିନ୍ଦୁକରେ ସେହି ଦୁଇ ପ୍ରସ୍ତର ଫଳକ ରଖିଲି; ଆଉ ମୋ’ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାହା ସେହି ସ୍ଥାନରେ ରହିଅଛି। 6(ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟା-କନଠାରୁ#10:6 ଅର୍ଥାତ୍ ବେରୋତ୍-ବନେୟା-କନ ଲୋକମାନଙ୍କ କୂପଠାରୁ ମୋଷେରୋତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ; ପୁଣି ତାଙ୍କର ପୁତ୍ର ଇଲୀୟାସର ତାଙ୍କ ପଦରେ ଯାଜକ କର୍ମ କଲା। 7ସେଠାରୁ ସେମାନେ ଗୁଦ୍ଗୋଦାକୁ ଯାତ୍ରା କଲେ ଓ ଗୁଦ୍ଗୋଦାରୁ ଜଳସ୍ରୋତମୟ ଦେଶ ଯଟ୍ବାଥାକୁ ଯାତ୍ରା କଲେ। 8ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବା କର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି। 9ଏନିମନ୍ତେ ଲେବୀର ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର ଅଟନ୍ତି)। 10ପ୍ରଥମ ଥର ପରି ମୁଁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତରେ ରହିଲି; ପୁଣି ସେହି ଥର ମଧ୍ୟ ସଦାପ୍ରଭୁ ମୋ’ ପ୍ରତି କର୍ଣ୍ଣପାତ କଲେ; ସଦାପ୍ରଭୁ ତୁମ୍ଭକୁ ବିନାଶ କରିବା ପାଇଁ ସମ୍ମତ ହେଲେ ନାହିଁ, 11ଏଥିଉତ୍ତାରେ ସଦାପ୍ରଭୁ ମୋତେ କହିଲେ, ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କର ଅଗ୍ରଗାମୀ ହୁଅ; ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛୁ, ସେମାନେ ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବେ।
ହୃଦୟର ସୁନ୍ନତିକରଣ
12ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର, 13ଆଉ ଆଜି ମୁଁ ତୁମ୍ଭର ହିତ ନିମନ୍ତେ ସଦାପ୍ରଭୁଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଚାହାନ୍ତି ? 14ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ। 15କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ। 16ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। 17କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। 18ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି। 19ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ। 20ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। 21ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି। 22ତୁମ୍ଭ ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିସରକୁ ଯାଇଥିଲେ; ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶମଣ୍ଡଳର ତାରାଗଣ ପରି ତୁମ୍ଭକୁ ବହୁସଂଖ୍ୟକ କରିଅଛନ୍ତି।
Currently Selected:
ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 10: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0