YouVersion Logo
Search Icon

୨ ଥେସଲନୀକୀୟ 3

3
ପ୍ରାର୍ଥନା ଅନୁରୋଧ
1ଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେପରି, ସେହିପରି ଚାରିଆଡ଼େ ଶୀଘ୍ର ବ୍ୟାପିଯାଇ ଗୌରବ ପାଇବ, 2ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ । 3କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ । 4ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହି ସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ । 5ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାଉନ୍ତୁ ।
ଆଳସ୍ୟତା ବିରୁଦ୍ଧରେ ଚେତାବନୀ
6ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର । 7କାରଣ କିପରି ଅାମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ, 8କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ; 9ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ । 10କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ । 11ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାର ଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ । 12ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ । 13କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲାନ୍ତ ହୁଅ ନାହିଁ । 14ଆଉ ଯେବେ କେହି ଏହି ପତ୍ରରେ ଲେଖାଯାଇଥିବା ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି, ସେ ଯେପରି ଲଜ୍ଜିତ ହୁଏ, ଏଥି ନିମନ୍ତେ ତାହା ସହିତ ସମ୍ପର୍କ ରଖ ନାହିଁ; 15ତଥାପି ତାହାକୁ ଶତ୍ରୁ ବୋଲି ଭାବ ନାହିଁ, ମାତ୍ର ତାହାକୁ ଭାଇ ବୋଲି ଭାବି ସତର୍କ କରାଅ ।
ଶେଷ ଆଶିଷ
16ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ । ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ । 17ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ୱରୂପ, ମୁଁ ଏହିପରି ଲେଖେ । 18ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।

Highlight

Share

Copy

None

Want to have your highlights saved across all your devices? Sign up or sign in

YouVersion uses cookies to personalize your experience. By using our website, you accept our use of cookies as described in our Privacy Policy