YouVersion Logo
Search Icon

୧ ତୀମଥି 2

2
ମଣ୍ଡଳୀର ଉପାସନା ବିଧି
1ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ୱରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ, 2ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି । 3ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ; 4ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି । 5କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ; 6ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି । 7ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୂଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ । 8ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ । 9ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି 10ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ । 11ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନିରବରେ ଶିକ୍ଷା ଗ୍ରହଣ କରୁ । 12ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନିରବରେ ରହୁ । 13କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; 14ଆଉ ଆଦମ ଠକରେ ପଡ଼ି ନ ଥିଲେ, ମାତ୍ର ନାରୀ ଠକରେ ପଡ଼ି ଆଜ୍ଞା ନ ମାନିବା ଦୋଷରେ ଦୋଷୀ ହେଲେ; 15କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ ।

Highlight

Share

Copy

None

Want to have your highlights saved across all your devices? Sign up or sign in

YouVersion uses cookies to personalize your experience. By using our website, you accept our use of cookies as described in our Privacy Policy