YouVersion Logo
Search Icon

ଯିଖରୀୟ 2

2
ଦର୍ଶନ - ପରିମାପକ ରଜ୍ଜୁ
1ଅନନ୍ତର ମୁଁ ଚକ୍ଷୁ ମେଲି ଅନାଇଲି, ଆଉ ଦେଖ, ଆପଣା ହସ୍ତରେ ପରିମାପକ ରଜ୍ଜୁଧାରୀ ଏକ ପୁରୁଷ।
2ତେବେ ମୁଁ କହିଲି, ଆପଣ କେଉଁଠାକୁ ଯାଉଅଛନ୍ତି? ତହୁଁ ସେ ମୋତେ କହିଲେ, ଯିରୂଶାଲମକୁ ମାପିବା ପାଇଁ, ତହିଁର ପ୍ରସ୍ଥ କେତେ ଓ ତହିଁର ଦୀର୍ଘତା କେତେ, ଏହା ଦେଖିବା ପାଇଁ ଯାଉଅଛୁ।
3ଆଉ ଦେଖ, ମୋʼ ସଙ୍ଗେ କଥା କହୁଥିବା ଦୂତ ବାହାର ହେଲେ ଓ ଆଉ ଜଣେ ଦୂତ ତାଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ବାହାରିଲେ,
4ପୁଣି, ତାହାଙ୍କୁ କହିଲେ, ଦୌଡ଼, ଏହି ଯୁବାଲୋକକୁ କୁହ; ଯିରୂଶାଲମର ମଧ୍ୟବର୍ତ୍ତୀ ମନୁଷ୍ୟ ଓ ପଶୁଗଣର ବାହୁଲ୍ୟ ହେତୁ ତାହା ପ୍ରାଚୀରବିହୀନ ଗ୍ରାମସମୂହର ତୁଲ୍ୟ ବସତି-ସ୍ଥାନ ହେବ।
5କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀରସ୍ଵରୂପ ହେବା ଓ ଆମ୍ଭେ ତହିଁର ମଧ୍ୟରେ ପ୍ରତାପସ୍ଵରୂପ ହେବା।
6ଆହେ, ଆହେ, ଉତ୍ତର ଦେଶରୁ ପଳାଅ, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ, ଏହା ସଦାପ୍ରଭୁ କହନ୍ତି।
7ହେ ବାବିଲର କନ୍ୟା ସହିତ ବାସକାରିଣୀ ସିୟୋନ, ତୁମ୍ଭେ ରକ୍ଷାର୍ଥେ ପଳାଅ।
8କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଯେଉଁ ଗୋଷ୍ଠୀଗଣ ତୁମ୍ଭମାନଙ୍କୁ ଲୁଟିଲେ, ସେମାନଙ୍କ ନିକଟକୁ ମହିମାର୍ଥେ ସେ ମୋତେ ପ୍ରେରଣ କରିଅଛନ୍ତି; କାରଣ ଯେଉଁ ଲୋକ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ତାହାଙ୍କ ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ।
9ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀ-ଗଣର ଲୁଟବସ୍ତୁ ସ୍ଵରୂପ ହେବେ। ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।
10ଗୋ ସିୟୋନ କନ୍ୟେ, ଗାନ କରି ଉଲ୍ଳାସ କର; କାରଣ ଦେଖ, ଆମ୍ଭେ ଆସୁଅଛୁ ଓ ଆମ୍ଭେ ତୁମ୍ଭ ମଧ୍ୟରେ ବାସ କରିବା, ଏହା ସଦାପ୍ରଭୁ କହନ୍ତି।
11ପୁଣି, ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ; ଆଉ, ମୁଁ ତୁମ୍ଭ ମଧ୍ୟରେ ବାସ କରିବି, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
12ଆଉ, ସଦାପ୍ରଭୁ ପବିତ୍ର ଦେଶରେ ଯିହୁଦାକୁ ଆପଣା ଅଂଶ ରୂପେ ଅଧିକାର କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।
13ହେ ପ୍ରାଣୀସବୁ, ସଦାପ୍ରଭୁଙ୍କ ସାକ୍ଷାତରେ ନୀରବ ହୁଅ; କାରଣ ସେ ଆପଣା ପବିତ୍ର ଆବାସ ମଧ୍ୟରୁ ଜାଗି ଉଠିଅଛନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in