YouVersion Logo
Search Icon

ଯିଖରୀୟ 14

14
ସଦାପ୍ରଭୁଙ୍କ ଦିନର ଆଗମନ
1ଦେଖ, ସଦାପ୍ରଭୁଙ୍କର ଏକ ଦିନ ଆସୁଅଛି, ସେସମୟରେ ତୁମ୍ଭ ସମ୍ପତ୍ତି ତୁମ୍ଭ ମଧ୍ୟରେ ବିଭକ୍ତ କରାଯିବ।
2କାରଣ ଯିରୂଶାଲମ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସଂଗ୍ରହ କରିବା; ପୁଣି, ନଗର ଶତ୍ରୁ ହସ୍ତଗତ ଓ ଗୃହସକଳ ଲୁଟିତ ହେବ ଓ ସ୍ତ୍ରୀମାନେ ବଳାତ୍କୃତ ହେବେ; ଆଉ, ନଗରର ଅର୍ଦ୍ଧେକ ଲୋକ ବନ୍ଦୀ ହୋଇ ଯିବେ ଓ ଅବଶିଷ୍ଟ ଲୋକ ନଗରରୁ ଉଚ୍ଛିନ୍ନ ହେବେ ନାହିଁ।
3ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେପରି ସେହିସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ।
4ପୁଣି, ସେଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟ ଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ।
5ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍ସଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷିୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋʼ ପରମେଶ୍ଵର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ।
6ପୁଣି, ସେଦିନ ଏପରି ଘଟିବ ଯେ, ଦୀପ୍ତି ଉଜ୍ଜ୍ଵଳ ଓ ଅନ୍ଧକାର ହେବ ନାହିଁ।
7ମାତ୍ର ତାହା ଗୋଟିଏ ଦିନ ହେବ, ତହିଁର ତତ୍ତ୍ଵ ସଦାପ୍ରଭୁଙ୍କୁ ଜଣା; ତାହା ଦିନ ନୁହେଁ ଓ ରାତ୍ରି ନୁହେଁ; ମାତ୍ର ସନ୍ଧ୍ୟାକାଳରେ ଦୀପ୍ତି ହେବ।
8ପୁଣି, ସେଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ।
9ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେଦିନ ସଦାପ୍ରଭୁ ଅଦ୍ଵିତୀୟ ହେବେ ଓ ତାହାଙ୍କର ନାମ ଅଦ୍ଵିତୀୟ ହେବ।
10ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ,ନଗର ଉନ୍ନତ ହୋଇ ବିନ୍ୟାମୀନର ଦ୍ଵାରଠାରୁ ପ୍ରଥମ ଦ୍ଵାରର ସ୍ଥାନ, ଅର୍ଥାତ୍, କୋଣର ଦ୍ଵାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ।
11ପୁଣି, ମନୁଷ୍ୟମାନେ ତହିଁ ମଧ୍ୟରେ ବାସ କରିବେ, ପୁଣି ଅଭିଶାପ ଆଉ ନୋହିବ; ମାତ୍ର ଯିରୂଶାଲମ ନିରାପଦରେ ବାସ କରିବ।
12ଆଉ, ଯେଉଁ ସକଳ ଗୋଷ୍ଠୀ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମାରୀରେ ଆଘାତ କରିବେ, ତାହା ଏହି; ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ଵା କ୍ଷୟ ପାଇବ।
13ପୁଣି, ସେଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ।
14ଯିହୁଦା ମଧ୍ୟ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବ ଓ ଚତୁର୍ଦ୍ଦିଗସ୍ଥିତ ସବୁ ଗୋଷ୍ଠୀଙ୍କ ସମ୍ପତ୍ତି ସୁନା, ରୂପା ଓ ବସ୍ତ୍ର ଅତିଶୟ ପ୍ରଚୁର ରୂପେ ସଞ୍ଚୟ କରାଯିବ।
15ପୁଣି, ସେହିସବୁ ଛାଉଣିରେ ଯେଉଁ ଅଶ୍ଵ, ଖଚର, ଉଷ୍ଟ୍ର ଓ ଗର୍ଦ୍ଦଭ ଓ ସବୁ ପ୍ରକାର ପଶୁ ଥିବେ, ସେମାନଙ୍କ ପ୍ରତି ଯେଉଁ ମାରୀ ଘଟିବ, ତାହା ସେହି ମାରୀ ତୁଲ୍ୟ ହେବ।
16ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ର-କୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ।
17ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ।
18ଆଉ, ମିସରର ଗୋଷ୍ଠୀ ଯେବେ ନ ଆସେ, ତେବେ ସେମାନଙ୍କ ଉପରେ ହିଁ ତାହା ହେବ ନାହିଁ ଯେଉଁ ଗୋଷ୍ଠୀଗଣ ପତ୍ର-କୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ଯଦ୍ଦ୍ଵାରା ଆଘାତ କରିବେ, ସେହି ମାରୀ ସେଠାରେ ଘଟିବ।
19ଏହା ମିସରର ଦଣ୍ତ ହେବ ଓ ଯେଉଁସବୁ ଗୋଷ୍ଠୀ ପତ୍ର-କୁଟୀର ପର୍ବ ପାଳନ କରିବାକୁ ଆସିବେ ନାହିଁ, ସେମାନଙ୍କ ପ୍ରତି ଏହି ଦଣ୍ତ ହେବ।
20ସେଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ଏହି କଥା ଅଶ୍ଵଗଣର ଘଣ୍ଟିରେ ଲେଖା ହେବ ଓ ସଦାପ୍ରଭୁଙ୍କ ଗୃହର ହାଣ୍ତିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ତୁଲ୍ୟ ହେବ।
21ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ତିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ତି ମଧ୍ୟରୁ ନେଇ ତହିଁରେ ପାକ କରିବେ; ପୁଣି, ସେ ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in