YouVersion Logo
Search Icon

ଯିଖରୀୟ 12

12
ଭବିଷ୍ୟତରେ ଇସ୍ରାଏଲର ଉଦ୍ଧାର
1ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଭାରୋକ୍ତି। ଯେ ଆକାଶମଣ୍ତଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି;
2ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ଵରୂପ କରିବା ଓ ଯିରୂଶାଲମର ଅବରୋଧ କାଳେ ତାହା ଯିହୁଦାର ଉପରେ ମଧ୍ୟ ବର୍ତ୍ତିବ।
3ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ଵରୂପ ପ୍ରସ୍ତର କରିବା; ଯେଉଁମାନେ ତଦ୍ଦ୍ଵାରା ଆପଣାମାନଙ୍କୁ ଭାରଗ୍ରସ୍ତ କରନ୍ତି, ସେସମସ୍ତେ ଅତ୍ୟ; କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ।
4ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ଵକୁ ସ୍ତବ୍ଧତାରେ ଓ ତଦାରୋହୀକି ଉନ୍ମତ୍ତତାରେ ଆଘାତ କରିବା; ଆଉ, ଆମ୍ଭେ ଯିହୁଦା-ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ଵକୁ ଅନ୍ଧତାରେ ଆଘାତ କରିବା।
5ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ଯିରୂଶାଲମର ନିବାସୀମାନେ ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ସାହାଯ୍ୟରେ ମୋର ବଳସ୍ଵରୂପ ଅଟନ୍ତି।
6ସେଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ଵରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ଵରୂପ କରିବା; ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ଵସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ।
7ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ଵୁସବୁକୁ ଉଦ୍ଧାର କରିବେ।
8ସେଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେଦିନ ସେ ଦାଉଦ ପରି ହେବ ଓ ଦାଉଦ-ବଂଶ ପରମେଶ୍ଵରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ।
9ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେଦିନ ନଷ୍ଟ କରିବାକୁ ଚେଷ୍ଟା କରିବା।
10ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ।
11ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍-ରିମ୍ମୋଣର ଶୋକତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ।
12ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ପୃଥକ୍ ପୃଥକ୍ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍; ନାଥନ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍;
13ଲେବୀ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍; ଶିମୀୟିର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶୋକ କରିବେ;
14ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶୋକ କରିବେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in