YouVersion Logo
Search Icon

ଗୀତସଂହିତା 90

90
ଚତୁର୍ଥ ଖଣ୍ତ (୯୦:୧-୧୦୬:୪୮)
ପରମେଶ୍ଵର ଓ ମନୁଷ୍ୟ
ପରମେଶ୍ଵରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
1ହେ ପ୍ରଭୋ, ତୁମ୍ଭେ ପୁରୁଷାନୁକ୍ରମରେ ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ।
2ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ଵାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ଵର ଅଟ।
3ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ। ପୁଣି କହୁଅଛ, ହେ ମନୁଷ୍ୟ-ସନ୍ତାନଗଣ, ଫେର।
4କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ ଓ ରାତ୍ରିର ଏକ ପ୍ରହରର ସମାନ।
5ଯେପରି ପ୍ଲାବନରେ, ସେପରି ତୁମ୍ଭେ ସେମାନଙ୍କୁ ଭସାଇ ନେଉଅଛ; ସେମାନେ ସ୍ଵପ୍ନ ତୁଲ୍ୟ।
ପ୍ରାତଃକାଳରେ ସେମାନେ ବଢ଼ନ୍ତା ତୃଣ ତୁଲ୍ୟ।
6ପ୍ରାତଃକାଳରେ ତାହା ସତେଜ ହୋଇ ବଢ଼ଇ; ସନ୍ଧ୍ୟାକାଳରେ ତାହା କଟା ଯାଇ ଶୁଖଇ।
7କାରଣ ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ପାଉ, ପୁଣି ତୁମ୍ଭ କୋପରେ ଆମ୍ଭେମାନେ ବ୍ୟସ୍ତ ହେଉ।
8ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ, ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ।
9କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ; କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ।
10ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ଗର୍ବ ଓ ପରିଶ୍ରମ ଦୁଃଖମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ।
11ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ?
12ଯେପରି ଆମ୍ଭେମାନେ ଜ୍ଞାନବିଶିଷ୍ଟ ଅନ୍ତଃକରଣ ପାଇ ପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ।
13ହେ ସଦାପ୍ରଭୋ, ଫେର; କେତେ କାଳ? ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ।
14ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର; ତହିଁରେ ଆମ୍ଭେମାନେ ଯାବଜ୍ଜୀବନ ହୃଷ୍ଟ ଓ ଆନନ୍ଦିତ ହେବା।
15ଯେତେ ଦିନ ଆମ୍ଭମାନଙ୍କୁ ଦୁଃଖ ଦେଇଅଛ ଓ ଯେତେ ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ, ତଦନୁସାରେ ଆମ୍ଭମାନଙ୍କୁ ଆନନ୍ଦିତ କର।
16ତୁମ୍ଭ ଦାସଗଣ ପ୍ରତି ତୁମ୍ଭର କର୍ମ ଓ ସେମାନଙ୍କ ସନ୍ତାନଗଣ ପ୍ରତି ତୁମ୍ଭର ମହିମା ପ୍ରକାଶିତ ହେଉ।
17ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ଉପରେ ଅଧିଷ୍ଠାନ କରୁ;
ଆଉ, ତୁମ୍ଭେ ଆମ୍ଭମାନଙ୍କ ହସ୍ତକୃତ କର୍ମ ଆମ୍ଭମାନଙ୍କ ପକ୍ଷରେ ସ୍ଥାୟୀ କର;
ହଁ, ଆମ୍ଭମାନଙ୍କର ହସ୍ତକୃତ କର୍ମ ତୁମ୍ଭେ ସ୍ଥାୟୀ କର।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in