YouVersion Logo
Search Icon

ଗୀତସଂହିତା 80

80
ଜାତିର ପୁନରୁଦ୍ଧାର ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍-ଏଦୂତ୍ ସ୍ଵରରେ ଆସଫର ଗୀତ।
1ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ,
ତୁମ୍ଭେ କର୍ଣ୍ଣପାତ କର; କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।
2ଇଫ୍ରୟିମ ଓ ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର
ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର।
3ହେ ପରମେଶ୍ଵର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
4ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ଵର, ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ?
5ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।
6ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ; ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି।
7ହେ ସୈନ୍ୟାଧିପତି ପରମେଶ୍ଵର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
8ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ;
ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇ ତାହା ରୋପଣ କଲ।
9ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, ତହିଁରେ ତାହା ବଦ୍ଧମୂଳ ହୋଇ ଦେଶଯାକ ବ୍ୟାପିଗଲା।
10ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ଵରଙ୍କ ଏରସବୃକ୍ଷ ତୁଲ୍ୟ ହେଲେ।
11ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ, ପଥିକସବୁ ତାହା ଛିଣ୍ତାଇ ପକାଉ ଅଛନ୍ତି?
13ବନରୁ ବରାହ ଆସି ତାହା ଉଜାଡ଼ି ପକାଏ ଓ ବିଲର ପଶୁଗଣ ତାହା ଖାଇଯାʼନ୍ତି।
14ହେ ସୈନ୍ୟାଧିପତି ପରମେଶ୍ଵର, ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ଵର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର ଯିଶା. ୬୩:୧୫
15ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ଵାରା ସ୍ଥାପିତ ଗଣ୍ତିର ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ଵ ନିଅ।
16ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି; ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି।
17ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ।
18ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରି ଯିବା ନାହିଁ; ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା।
19ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ଵର, ଆମ୍ଭମାନଙ୍କୁ ଫେରାଅ; ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ଗୀତସଂହିତା 80