ଗୀତସଂହିତା 51
51
କ୍ଷମା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।
1ହେ ପରମେଶ୍ଵର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।
2ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର।
3କାରଣ ମୁଁ ଆପଣା ଅଧର୍ମ ସ୍ଵୀକାର କରୁଅଛି ଓ ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି।
4ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି,
ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି;
ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ।
5ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋʼ ମାତା ମୋତେ ଗର୍ଭରେ ଧାରଣ କଲା।
6ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।
7ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି;
ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।
8ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; ତହିଁରେ ତୁମ୍ଭ ଦ୍ଵାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।
9ମୋʼ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋʼ ଅପରାଧସବୁ ମାର୍ଜ୍ଜନା କର।
10ହେ ପରମେଶ୍ଵର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
11ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋʼଠାରୁ ନିଅ ନାହିଁ।
12ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ଵଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।
13ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।
14ହେ ପରମେଶ୍ଵର, ମୋʼ ତ୍ରାଣର ପରମେଶ୍ଵର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ଵା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ଵରରେ ଗାନ କରିବ।
15ହେ ପ୍ରଭୋ, ମୋʼ ଓଷ୍ଠାଧର ଫିଟାଅ, ତହିଁରେ ମୋʼ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।
16କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।
17ଭଗ୍ନ-ଆତ୍ମା ପରମେଶ୍ଵରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ଵର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।
18ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।
19ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ;
ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।
Currently Selected:
ଗୀତସଂହିତା 51: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.