ଗୀତସଂହିତା 40
40
ସ୍ତୁତିଗାନ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
1ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି;
ପୁଣି, ସେ ମନୋଯୋଗ କରି ମୋହର କାକୁକ୍ତି ଶୁଣିଲେ।
2ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଗୀତ. ୬୯:୨,୧୪
ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ।
3ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି;
ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କଠାରେ ବିଶ୍ଵାସ କରିବେ।
4ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ଵାସଭୂମି କରେ, ପୁଣି ଅହଂକାରୀକି ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ।
5ହେ ସଦାପ୍ରଭୋ, ମୋʼ ପରମେଶ୍ଵର, ତୁମ୍ଭର କୃତ ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଙ୍କଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ;
ମୁଁ ସେସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ।
6ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।
7ତେବେ ମୁଁ କହିଲି, ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।
8ହେ ମୋହର ପରମେଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।
9ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି;
ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ।
10ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ
ମୁଁ ତୁମ୍ଭର ବିଶ୍ଵସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ।
11ହେ ସଦାପ୍ରଭୋ, ତୁମ୍ଭେ ମୋʼଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ।
12କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋʼ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି।
13ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ଵର ହୁଅ।
14ମୋʼ ପ୍ରାଣନାଶର ଅନ୍ଵେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ।
15ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ।
16ଯେଉଁମାନେ ତୁମ୍ଭର ଅନ୍ଵେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ;
ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ।
17ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ;
ହେ ମୋହର ପରମେଶ୍ଵର, ବିଳମ୍ଵ କର ନାହିଁ।
Currently Selected:
ଗୀତସଂହିତା 40: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.