Bible App logo
Search Icon

ଗୀତସଂହିତା 36

36
ମନୁଷ୍ୟର ଦୁଷ୍ଟତା
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ।
1ଦୁଷ୍ଟର ଅପରାଧ ମୋʼ ହୃଦୟ ମଧ୍ୟରେ କହେ, ପରମେଶ୍ଵର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର।
2କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ।
3ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନାମାତ୍ର; ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।
4ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ;
ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ; ସେ ମନ୍ଦତା ଘୃଣା କରେ ନାହିଁ।
ଈଶ୍ଵର ମଙ୍ଗଳମୟ
5ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ଵର୍ଗରେ ଥାଏ; ତୁମ୍ଭର ବିଶ୍ଵସ୍ତତା ଗଗନସ୍ପର୍ଶୀ।
6ତୁମ୍ଭର ଧର୍ମ ପରମେଶ୍ଵରଙ୍କ ପର୍ବତଗଣ ତୁଲ୍ୟ; ତୁମ୍ଭର ଶାସନସବୁ ମହାବାରିଧି ସ୍ଵରୂପ; ହେ ସଦାପ୍ରଭୋ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।
7ହେ ପରମେଶ୍ଵର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ ! ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।
8ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ;
ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।
9କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
10ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର।
11ଅହଂକାରୀର ଚରଣ ମୋʼ ବିରୁଦ୍ଧରେ ନ ଆସୁ ଓ ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ।
12ହେଇ, ଅଧର୍ମାଚାରୀମାନେ ପତିତ ହେଲେ; ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in