Bible App logo
Search Icon

ଗୀତସଂହିତା 22

22
ବେଦନାର କ୍ରନ୍ଦନ ଓ ପ୍ରଶଂସାର ସଂଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍-ହସଶହର (ଅଋଣର ମୃଗୀ) ସ୍ଵରରେ ଦାଉଦଙ୍କର ଗୀତ।
1ହେ ମୋହର ପରମେଶ୍ଵର, ହେ ମୋହର ପରମେଶ୍ଵର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ?
ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ?
2ହେ ମୋହର ପରମେଶ୍ଵର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉନାହଁ, ଆଉ ରାତ୍ରିକାଳରେ ଡାକେ, ପୁଣି ନୀରବ ନ ରହେ।
3ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍, ତୁମ୍ଭେ ପବିତ୍ର ଅଟ।
4ଆମ୍ଭମାନଙ୍କ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ଵାସ କଲେ; ସେମାନେ ବିଶ୍ଵାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ।
5ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ଵାସ କଲେ, ଆଉ ଲଜ୍ଜିତ ନୋହିଲେ।
6ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ।
7ମୋତେ ଦେଖିବା ଲୋକସମସ୍ତେ ମୋତେ ପରିହାସ କରନ୍ତି;
ସେମାନେ ଓଷ୍ଠ ଲମ୍ଵାଇ, ମସ୍ତକ ହଲାଇ କହନ୍ତି,
8ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; ସେ ତାହାକୁ ଉଦ୍ଧାର କରନ୍ତୁ; ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ।
9ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ଵାସ ଜନ୍ମାଇଅଛ।
10ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ଵର ଅଟ।
11ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; ସାହାଯ୍ୟକାରୀ କେହି ନାହିଁ।
12ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; ବାଶନର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି।
13ସେମାନେ ଗ୍ରାସେଚ୍ଛୁ ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ ମୋʼ ପ୍ରତି ମୁଖ ମେଲାଇ ଅଛନ୍ତି।
14ମୁଁ ଜଳ ପରି ଢଳା ହେଉଅଛି ଓ ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି। ମୋହର ହୃଦୟ ମହମ ପରି ହୋଇଅଛି; ତାହା ମୋʼ ଅନ୍ତ୍ର ମଧ୍ୟରେ ତରଳି ଯାଏ।
15ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି;
ଆଉ, ମୋହର ଜିହ୍ଵା ତାଳୁରେ ଲାଗି ଯାଉଅଛି; ପୁଣି, ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ।
16କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; ଦୁରାଚାରୀମାନଙ୍କ ମଣ୍ତଳୀ ମୋତେ ବେଢ଼ିଅଛନ୍ତି; ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି।
17ମୁଁ ଆପଣା ଅସ୍ଥିସବୁ ଗଣିପାରେ; ସେମାନେ ମୋତେ ଅନାଇ ଚାହିଁ ରହିଥାʼନ୍ତି।
18ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋʼ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି।
19ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ଵର ହୁଅ।
20ଖଡ଼୍‍ଗରୁ ମୋʼ ପ୍ରାଣକୁ ଓ କୁକ୍କୁରର ବଳରୁ ମୋହର ଏକମାତ୍ର (ଆତ୍ମାକୁ) ଉଦ୍ଧାର କର।
21ସିଂହର ମୁଖରୁ ମୋତେ ନିସ୍ତାର କର; ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ।
22ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି।
23ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ।
24କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି। କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ।
25ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି;
ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି।
26ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ଵେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ।
27ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ।
28କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି।
29ପୃଥିବୀସ୍ଥ ପୁଷ୍ଟ ଲୋକସମସ୍ତେ ଭୋଜନ କରି ପ୍ରଣାମ କରିବେ;
ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍, ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ।
30ଏକ ବଂଶ ତାହାଙ୍କର ସେବା କରିବେ; ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ।
31ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନ କରିଅଛନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in