ଗୀତସଂହିତା 18
18
ଦାଉଦଙ୍କ ବିଜୟ ସଂଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ,
1ହେ ମୋହର ବଳ ସ୍ଵରୂପ ସଦାପ୍ରଭୋ, ମୁଁ ତୁମ୍ଭଙ୍କୁ ପ୍ରେମ କରୁଥାଏ।
2ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ଵର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି;
ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ।
3ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି।
4ମୃତ୍ୟୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପାଧମତାରୂପ ପ୍ଳାବନ ମୋତେ ଭୟଗ୍ରସ୍ତ କଲା।
5ପାତାଳର ରଜ୍ଜୁସବୁ ମୋʼ ଚାରିଆଡ଼େ ଥିଲା; ମୃତ୍ୟୁର ପାଶ ମୋʼ ଉପରେ ପଡ଼ିଲା।
6ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋʼ ପରମେଶ୍ଵରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା।
7ସେତେବେଳେ ପୃଥିବୀ ଟଳଟଳ ଓ କମ୍ପିତ ହେଲା,
ପର୍ବତଗଣର ଭିତ୍ତିମୂଳ ମଧ୍ୟ ବିଚଳିତ ହେଲା ଓ ତାହାଙ୍କ କୋପ ସକାଶୁ ଟଳଟଳ ହେଲା।
8ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ଵାରା ଅଙ୍ଗାର ପ୍ରଜ୍ଵଳିତ ହେଲା।
9ସେ ଆକାଶମଣ୍ତଳକୁ ହିଁ ନୁଆଁଇ ତଳକୁ ଆସିଲେ; ଆଉ, ତାହାଙ୍କ ପାଦ ତଳେ ଘୋର ଅନ୍ଧକାର ଥିଲା।
10ପୁଣି, ସେ କିରୂବ ଉପରେ ଆରୋହଣ କରି ଉଡ଼ିଲେ; ହଁ ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ।
11ସେ ଅନ୍ଧକାରକୁ ଆପଣାର ନିଭୃତ ସ୍ଥାନ ଓ ଜଳମୟ ଅନ୍ଧକାରକୁ, ଗଗନମଣ୍ତଳର ନିବିଡ଼ ମେଘମାଳକୁ ଆପଣା ଚତୁର୍ଦ୍ଦିଗରେ ଆବାସ ସ୍ଵରୂପ କଲେ।
12ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ତାହାଙ୍କର ନିବିଡ଼ ମେଘମାଳ ଶିଳାବୃଷ୍ଟି ଓ ପ୍ରଜ୍ଵଳିତ ଅଙ୍ଗାର ନିର୍ଗତ କଲା।
13ସଦାପ୍ରଭୁ ମଧ୍ୟ ଆକାଶମଣ୍ତଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ; (ତାହା) ଶିଳାବୃଷ୍ଟି ଓ ପ୍ରଜ୍ଵଳିତ ଅଙ୍ଗାର।
14ଆଉ, ସେ ଆପଣା ତୀର ପ୍ରେରଣ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ହଁ, ଅନେକ ବିଜୁଳି ପଠାଇ ସେମାନଙ୍କୁ ବ୍ୟାକୁଳ କଲେ।
15ସେତେବେଳେ, ହେ ସଦାପ୍ରଭୋ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ଵାସବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ତଳର ମୂଳସକଳ ଅନାବୃତ ହେଲା।
16ସେ ଊର୍ଦ୍ଧ୍ଵରୁ ହସ୍ତ ବିସ୍ତାର କରି ମୋତେ ଧରିଲେ; ସେ ଆପଣା ଜଳରାଶିରୁ ମୋତେ ଓଟାରି ଆଣିଲେ,
17ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ଉଦ୍ଧାର କଲେ, କାରଣ ସେମାନେ ମୋʼ ଅପେକ୍ଷା ଅତି ପରାକ୍ରା; ଥିଲେ।
18ସେମାନେ ମୋହର ବିପଦ ଦିନରେ ମୋତେ ଆକ୍ରମଣ କଲେ; ମାତ୍ର ସଦାପ୍ରଭୁ ମୋହର ଅବଲମ୍ଵନ ହେଲେ।
19ମଧ୍ୟ ସେ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋʼଠାରେ ସନ୍ତୁଷ୍ଟ ହେବାରୁ ମୋତେ ଉଦ୍ଧାର କଲେ।
20ସଦାପ୍ରଭୁ ମୋହର ଧର୍ମାନୁସାରେ ମୋତେ ପୁରସ୍କାର ଦେଲେ; ମୋʼ ହସ୍ତର ଶୌଚ ଅନୁସାରେ ସେ ମୋତେ ଫଳ ଦେଲେ।
21କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ଵରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ।
22ଆଉ, ତାହାଙ୍କ ଶାସନସବୁ ମୋʼ ସମ୍ମୁଖରେ ଥିଲା, ପୁଣି ମୁଁ ତାହାଙ୍କ ବିଧିସବୁ ଆପଣାଠାରୁ ଦୂର କଲି ନାହିଁ।
23ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।
24ଏହେତୁ ସଦାପ୍ରଭୁ ମୋର ଧର୍ମାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋʼ ହସ୍ତର ଶୌଚାନୁସାରେ ମୋତେ ଫଳ ଦେଇ ଅଛନ୍ତି।
25ଦୟାଳୁ ପ୍ରତି ତୁମ୍ଭେ ଆପଣାକୁ ଦୟାଳୁ ଦେଖାଇବ; ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ;
26ନିର୍ମଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ। ଆଉ, କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ;
27କାରଣ ତୁମ୍ଭେ ଦୁଃଖୀଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ।
28ଯେଣୁ ତୁମ୍ଭେ ମୋʼ ପ୍ରଦୀପ ଜ୍ଵଳାଇବ; ସଦାପ୍ରଭୁ ମୋʼ ପରମେଶ୍ଵର ମୋʼ ଅନ୍ଧକାରକୁ ଆଲୁଅମୟ କରିବେ।
29କାରଣ ତୁମ୍ଭ ଦ୍ଵାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋʼ ପରମେଶ୍ଵରଙ୍କ ଦ୍ଵାରା ମୁଁ ପ୍ରାଚୀର ଡିଏଁ।
30ପରମେଶ୍ଵରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ।
31କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ଵର କିଏ? ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଛଡ଼ା ଶୈଳ କିଏ?
32ସେହି ପରମେଶ୍ଵର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି।
33ସେ ମୋହର ଚରଣକୁ ହରିଣୀର ଚରଣ ପରି କରନ୍ତି ଓ ମୋତେ ମୋʼ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34ସେ ମୋʼ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋʼ ବାହୁ ପିତ୍ତଳ ଧନୁ ନୁଆଁଏ।
35ତୁମ୍ଭେ ମଧ୍ୟ ଆପଣା ପରିତ୍ରାଣର ଢାଲ ମୋତେ ଦେଇଅଛ; ଆଉ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ଓ ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି।
36ତୁମ୍ଭେ ମୋʼ ପାଦ ପକାଇବାର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋʼ ପାଦ ଖସି ଯାଇ ନାହିଁ।
37ମୁଁ ଆପଣା ଶତ୍ରୁମାନଙ୍କ ପଛେ ଗୋଡ଼ାଇ ସେମାନଙ୍କୁ ଧରିବି; କିଅବା ସେମାନେ ସଂହାରିତ ନୋହିବାଯାଏ ମୁଁ ଫେରି ଆସିବି ନାହିଁ।
38ମୁଁ ସେମାନଙ୍କୁ ଏପରି ଆଘାତ କରିବି ଯେ, ସେମାନେ ଆଉ ଉଠି ପାରିବେ ନାହିଁ; ସେମାନେ ମୋʼ ପଦ ତଳେ ପତିତ ହେବେ।
39କାରଣ ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋʼ କଟି ବାନ୍ଧିଅଛ; ମୋʼ ବିରୁଦ୍ଧରେ ଯେଉଁମାନେ ଉଠିଲେ, ସେମାନଙ୍କୁ ତୁମ୍ଭେ ମୋହର ବଶୀଭୂତ କରିଅଛ।
40ମଧ୍ୟ ତୁମ୍ଭେ ମୋʼ ଶତ୍ରୁମାନଙ୍କୁ ମୋʼ ନିକଟରୁ ଫେରାଇ ଦେଇଅଛ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କରିଅଛି।
41ସେମାନେ ଡାକ ପକାଇଲେ, ମାତ୍ର ତ୍ରାଣ କରିବାକୁ କେହି ନ ଥିଲା, ସଦାପ୍ରଭୁଙ୍କୁ ହିଁ ଡାକିଲେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42ସେତେବେଳେ ମୁଁ ବାୟୁ ସମ୍ମୁଖସ୍ଥ ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି; ମୁଁ ସେମାନଙ୍କୁ ବାଟର କାଦୁଅ ପରି ପକାଇଦେଲି।
43ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ଵରୂପ କରିଅଛ;
ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।
44ସେମାନେ ମୋର ବିଷୟ ଶୁଣିବାମାତ୍ରେ ମୋହର ଆଜ୍ଞାବହ ହେବେ; ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ।
45ବିଦେଶୀମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତସ୍ଥାନରୁ ଥରହର ହୋଇ ବାହାରି ଆସିବେ।
46ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ଵରୂପ ପରମେଶ୍ଵର ଉନ୍ନତ ହେଉନ୍ତୁ।
47ସେହି ପରମେଶ୍ଵର ମୋʼ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋହର ବଶୀଭୂତ କରନ୍ତି।
48ସେ ମୋʼ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି; ହଁ, ତୁମ୍ଭେ ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ଉଦ୍ଧାର କରୁଅଛ।
49ଏହେତୁ, ହେ ସଦାପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।
50ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି ଓ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ପ୍ରତି ଓ ତାହାର ବଂଶ ପ୍ରତି ଅନନ୍ତକାଳ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରନ୍ତି।
Currently Selected:
ଗୀତସଂହିତା 18: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.