ଗୀତସଂହିତା 109
109
ଦୁର୍ଦ୍ଦଶାଗ୍ରସ୍ତ ଲୋକର ଅଭିଯୋଗ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
1ହେ ମୋହର ପ୍ରଶଂସାପାତ୍ର ପରମେଶ୍ଵର, ନୀରବ ହୁଅ ନାହିଁ;
2କାରଣ ଲୋକମାନେ ମୋʼ ବିରୁଦ୍ଧରେ ଦୁଷ୍ଟତାରୂପ ମୁଖ ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି। ସେମାନେ ମିଥ୍ୟାବାଦୀ ଜିହ୍ଵାରେ ମୋʼ ସଙ୍ଗେ କଥା କହିଅଛନ୍ତି।
3ଆହୁରି, ସେମାନେ ଦ୍ଵେଷବାକ୍ୟରେ ମୋତେ ଘେରିଅଛନ୍ତି ଓ ବିନା କାରଣରେ ମୋʼ ସଙ୍ଗେ ଯୁଦ୍ଧ କରିଅଛନ୍ତି।
4ମୋʼ ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ ହୋଇଅଛନ୍ତି; ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ।
5ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।
6ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର; ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ଵରେ ଠିଆ ହେଉ।
7ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ; ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ।
8ତାହାର ଆୟୁ ଅଳ୍ପ ହେଉ
ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ।
9ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ ଓ ତାହାର ଭାର୍ଯ୍ୟା ବିଧବା ହେଉ।
10ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ଵେଷଣ କରନ୍ତୁ।
11ମହାଜନ ତାହାର ସର୍ବସ୍ଵ ଧରୁ; ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
12ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ, କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ ନ ରହୁ।
13ତାହାର ବଂଶ ଉଚ୍ଛିନ୍ନ ହେଉ; ଆସନ୍ତା ପୁରୁଷରେ ସେମାନଙ୍କ ନାମ ଲୁପ୍ତ ହେଉ।
14ତାହାର ପିତୃଲୋକଙ୍କ ଅପରାଧ ସଦାପ୍ରଭୁଙ୍କ ସ୍ମରଣରେ ଥାଉ
ଓ ତାହାର ମାତାର ପାପ ଲୁପ୍ତ ନ ହେଉ।
15ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବେ, ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ ସର୍ବଦା ଥାଉନ୍ତୁ।
16ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ। ମାତ୍ର ଦୁଃଖୀ ଓ ଦୀନହୀନ ଓ ଭଗ୍ନାନ୍ତଃକରଣ ଲୋକଙ୍କୁ ବଧ କରିବା ପାଇଁ ତାଡ଼ନା କଲା।
17ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା ତାହା ପ୍ରତି ଘଟିଲା; ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ ତାହା ତାହାଠାରୁ ଦୂର ହେଲା।
18ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, ପୁଣି ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।
19ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।
20ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ।
21ମାତ୍ର ହେ ପ୍ରଭୋ, ସଦାପ୍ରଭୋ, ତୁମ୍ଭେ ଆପଣା ନାମ ସକାଶୁ ମୋʼ ପ୍ରତି ବ୍ୟବହାର କର; ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି।
23ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ;
ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି।
24ଉପବାସରେ ମୋʼ ଆଣ୍ଠୁ ଦୁର୍ବଳ ଅଛି ଓ ମେଦର ଅଭାବରୁ ମୋʼ ମାଂସ କ୍ଷୀଣ ହୁଏ।
25ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର ହୋଇଅଛି;
ସେମାନେ ମୋତେ ଦେଖିଲେ ମୁଣ୍ତ ହଲାନ୍ତି।
26ହେ ସଦାପ୍ରଭୋ, ମୋହର ପରମେଶ୍ଵର, ମୋହର ସାହାଯ୍ୟ କର; ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର।
27ତହିଁରେ ଏହି ତୁମ୍ଭର ହସ୍ତ ବୋଲି ଓ ତୁମ୍ଭେ ସଦାପ୍ରଭୁ ଏହା କରିଅଛ ବୋଲି ସେମାନେ ଜାଣିବେ।
28ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର; ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ।
29ମୋʼ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ଵିତ ହେବେ, ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ।
30ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି; ପୁଣି, ଲୋକାରଣ୍ୟ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି।
31କାରଣ ସେ ଦୀନହୀନକୁ ତାହାର ପ୍ରାଣର ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର ଡାହାଣରେ ଠିଆ ହେବେ।
Currently Selected:
ଗୀତସଂହିତା 109: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.